ଜଗତସିଂହପୁର,ତା-୦୫.୦୭.୨୦୨୬/ସୁମନ୍ତ କୁମାର ଦାସ: ଭାରତ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ଓଡ଼ିଶାରେ ୩୦.୦୫.୨୦୨୬ ତାରିଖରୁ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
SIR ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ଆଜି ୦୫.୦୭.୨୦୨୬ ତାରିଖ ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଦ୍ଵାରା ପ୍ରକାଶ ପାଇଲା। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ସମସ୍ତ ୪ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଡେପୁଟି କଲେକ୍ଟର ନିର୍ବାଚନ ଏବଂ ବିଭିନ୍ନ ପଞ୍ଜିକୃତ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି।
ଏଥିସହିତ ଜିଲ୍ଳାର ସମସ୍ତ ମତଦାନ କେନ୍ଦ୍ର, ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ତାଲିକା ପ୍ରକାଶ କରାଯାଉଛି। ଏହି ଅବସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଜର ବକ୍ତବ୍ୟ ରଖିଥିଲେ।ଚିଠା ଭୋଟର ତାଲିକା ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦିଷ୍ଟ ଅନଲାଇନ୍ ପ୍ଲାଟଫର୍ମ voters.eci.gov.in ଏବଂ ceoodisha.nic.in ରେ ମଧ୍ୟ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ରହିବ।
ଜିଲ୍ଲାର ସମସ୍ତ ମତଦାତାଙ୍କୁ ଚିଠା ଭୋଟର ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ ଚିଠା ଭୋଟର ତାଲିକାରେ ସ୍ଥାନ ପାଇନାହିଁ କିମ୍ବା କୌଣସି ସଂଶୋଧନ, ବିଲୋପ ଅଥବା ଆପତ୍ତି ଦାଖଲ କରିବାର ଆବଶ୍ୟକତା ଥାଏ, ତେବେ ୦୫.୦୭.୨୦୨୬ ଠାରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧି ମଧ୍ୟରେ ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) / ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କ ନିକଟରେ ଆବେଦନ କରିପାରିବେ।
ଏଥିପାଇଁ ନିମ୍ନଲିଖିତ ନିର୍ଦ୍ଧାରିତ ଫର୍ମ ବ୍ୟବହାର କରାଯିବ—
ଫର୍ମ-୬ : ଯୋଗ୍ୟ ମତଦାତାଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ।
ଫର୍ମ-୭ : ଅଯୋଗ୍ୟ ମତଦାତାଙ୍କ ନାମ ବିଲୋପ କରିବା କିମ୍ବା କୌଣସି ବିଦ୍ୟମାନ ନାମ ସମ୍ପର୍କରେ ଆପତ୍ତି ଦାଖଲ କରିବା ପାଇଁ।
ଫର୍ମ-୮ : ଭୋଟର ତାଲିକାରେ ଥିବା ବିବରଣୀର ସଂଶୋଧନ କିମ୍ବା ଅଦ୍ୟତନ କରିବା ପାଇଁ।
ଚିଠା ଭୋଟର ତାଲିକା ରେ ଆପଣଙ୍କର ନାମ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ନିଜ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ନିକଟରେ ଉପଲବ୍ଧ ଚିଠା ତାଲିକା , ECINET ମୋବାଇଲ ଆପ୍ , voters.eci.gov.in ୱେବ୍ ସାଇଟ୍ ceoodisha.nic.in ୱେବ୍ ସାଇଟ୍ ମାଧ୍ୟମ ରେ କରିପାରିବେ। ଯେଉଁ ଯୁବ ଭୋଟରଙ୍କ ୦୧.୦୭.୨୦୨୬ କିମ୍ୱା ତା ପୂର୍ବ ରୁ ୧୮ ବର୍ଷ ବୟସ ହୋଇଛନ୍ତି ସେମାନଙ୍କୁ ପରିଶିଷ୍ଟ -୪ ର ନିର୍ଦ୍ଦିଷ୍ଟ ଘୋଷଣା ଫର୍ମ ସହିତ ଫର୍ମ-୬ ମାଧ୍ୟମ ରେ ଆବେଦନ କରିବାକୁ ଉତ୍ସାହିତ କରଯାଉଛି ।
ଜିଲ୍ଲାରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି କରାଯାଇଥିବା ସର୍ଭେ ପରେ, ପ୍ରକାଶିତ ଏହି ଭୋଟର ତାଲିକା ଅନୁଯାୟୀ, ମୋଟ ୬୫୦୨୬ ଜଣ (ଯାହା ମୋଟ ଭୋଟର ସଂଖ୍ୟା ର ୬.୭୪%) ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ପାଇଁ ଚିହ୍ନଟ କରାଯାଇଛି। ବିଭିନ୍ନ କାରଣରୁ ଏହି ନାମଗୁଡ଼ିକୁ ବାଦ୍ ଦିଆଯାଉଛି, ଯେପରି ସର୍ବାଧିକ ୨୨୫୮୫ ଜଣଙ୍କ ନାମ ମୃତ୍ୟୁବରଣ କରିଥିବା କାରଣରୁ ବାଦ୍ ପଡ଼ିବ। ସେହିପରି ୨୮୩୧୫ ଜଣ ବ୍ୟକ୍ତି ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଥିବାରୁ ତାଙ୍କ ନାମ ତାଲିକାରୁ କଟାଯିବ। ଅନ୍ୟପକ୍ଷରେ, ୪୧୧୭ ଜଣଙ୍କର ନାମ ଦୁଇଥର ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ୯୦୯୫ ଜଣ ବ୍ୟକ୍ତି ଅନୁପସ୍ଥିତ ରହିଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ କାରଣରୁ ଆଉ ୯୨୬ ଜଣଙ୍କ ନାମକୁ ବାଦ୍ ଦେବା ପାଇଁ ଚିହ୍ନଟ କରାଯାଇଛି।
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସର୍ବସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାରେ ବ୍ୟବସ୍ଥିତ ମତଦାତା ଶିକ୍ଷା ଓ ନିର୍ବାଚନୀ ଅଂଶଗ୍ରହଣ (SVEEP) ଅନ୍ତର୍ଗତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଯୋଗ୍ୟ ମତଦାତା, ସ୍ୱୀକୃତ ରାଜନୈତିକ ଦଳ, ବୁଥ୍ ଲେଭେଲ ଏଜେଣ୍ଟ (BLA) ଏବଂ ଅନ୍ୟାନ୍ୟ ସମସ୍ତ ଅଂଶୀଦାରଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଓ ଆପତ୍ତି ଦାଖଲ କରି ଏକ ସ୍ୱଚ୍ଛ, ସଠିକ୍, ତ୍ରୁଟିମୁକ୍ତ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତିରେ ସକ୍ରିୟ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ଶ୍ରୀ ସମ୍ବିତ କୁମାର ରାଉତ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ , ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ ନିରଂଜନ ବେହେରା, ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ପ୍ରଶାନ୍ତ ସେଠୀ, ଡେପୁଟି କଲେକ୍ଟର ତଥା SVEEP ନୋଡାଲ ଅଧିକାରୀ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଙ୍କ ସମେତ ସମସ୍ତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି , ନିର୍ବାଚନ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ଥିଲେ।







