ଦୟନୀୟ ଭାବେ ଅସୁସ୍ଥ ପୁତ୍ର ମାଆ ଶବକୁ ଘୋଷାରି ଘୋଷାରି ନେଇ ଦାହ କଲା।
କେନ୍ଦୁଝର,ତା୧୭/୬- ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସହରରେ ସ୍ୱାସ୍ଥସେବାର ଏକ ବିକଳ ଚିତ୍ର ଏବେ ସାମ୍ନାକୁ ଆସୁଛି। ପ୍ରତିଦିନ ଏହିପରି ଅଭିଯୋଗ ଆସୁଥିଲେ ମଧ୍ୟ ଏହି ସ୍ପର୍ଶକାତର ଘଟଣା ନିଶ୍ଚିତ ହୃଦୟକୁ ଆଘାତ ଦେବ। ଦାନ ମାଝୀ ତଥା ଜିତୁ ମୁଣ୍ଡା ଶବ ବୁହା ଘଟଣାଠାରୁ ଏହା ଆହୁରି ଗମ୍ଭୀର ବୋଲି ଆଲୋଚନା ହେଉଛି। ସୂଚନା ମିଳିଛି କି କେନ୍ଦୁଝର ସହର ମଝିରେ ଥିବା ମାଧପୁରରେ ପ୍ରମୋଦିନୀ ପାଢ଼ୀ(କଣ୍ଢେଇ) ନିଜ ପୁଅ ପ୍ରଶାନ୍ତ ନନ୍ଦ(ଲିଟୁ) ସହ ବହୁତ ଦିନ ହେବ ରହୁଥିଲେ। ତେବେ ପ୍ରମୋଦିନୀ ପରେ ପୁଅସହ ନ୍ୟୁ କଲୋନୀରେ ରହୁଥିଲେ। ମାଆ ପୁଅ ଫାଇଲେରିଆ ରୋଗରେ ଅସୁସ୍ଥ ହୋଇ ଅନେକ ଥର ଜିଲ୍ଲାପାଳଙ୍କୁ ସାହାଯ୍ୟ ଲାଗି ଭେଟିବାକୁ ଯାଆନ୍ତି ତେବେ କିଛି ସାହାଯ୍ୟ ମିଳିନଥାଏ। ତେବେ ଦୁଇ ଦିନ ତଳେ ରାତିରେ ପ୍ରମୋଦିନୀ ଗୁରୁତର ଅସୁସ୍ଥ ହେବାରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଗଲା ତେବେ ରାତି ୮ରୁ ୧୨ଟା ଯାଏ ଗାଡ଼ି ଆସିଲାନି ଓଲଟି ସେପଟୁ କହିଲେ ଆମେ ଠିକଣା ପାଉନୁ। କଣ୍ଢେଇଙ୍କ ଅଣ୍ଟା ଅପରେସନ ହେଇଥିଲା ଗୋଡ ଗୋଟେ ଫୁଲି ଇନଫେକସନ ଥିଲା ତେଣୁ ନିହାତି ଆମ୍ବୁଲାନ୍ସ ଦରକାର ଥିଲା ଯାହା ମିଳିବା ସମ୍ଭବ ହେଲାନି। ତେବେ ଲିଟୁ ରାତି ୧୨ରେ ଯାଇ ଦେଖିଲା ବେଳେ ମାଆର ଜୀବନ ନାହିଁ ଏପଟେ ସେ ନିଜେ ଗୋଟେ ରୋଗୀ ତେଣୁ କ'ଣ କରିବ ଚିନ୍ତା କରି ପାରିଲା ନାହିଁ। ତେବେ ଇନଫେକସନ ଲାଗି ଶବ ଜଲଦି ପଚିବାକୁ ଆରମ୍ଭ କରି ଦୁର୍ଗନ୍ଧ ହେଵାକୁ ଆରମ୍ଭ କରିବାରୁ ସେ ରାତିରେ ଶବ ଦାହ ଲାଗି କିଛି ସମାଜସେବୀ କହିଲେ। ତେଣୁ ଧାଙ୍ଗଡ଼ପଡା ଆଦର୍ଶ ଶ୍ମଶାନ ନେବାକୁ ବାହାରିବା ବେଳେ ଗାଡ଼ି ମିଳିଲାନି କି ସେଠାରେ କାଠ ନାହିଁ ବୋଲି ରାତି ଶବ ଦାହ ହେବନି ବୋଲି ରୋକଠୋକ ଜବାବ ଆସିଲା। ତେଣୁ ମଣ୍ଡୁଆ ଶ୍ମଶାନରେ ଶବ ଦାହ ଲାଗି ନିଷ୍ପତ୍ତି ହେଲା।ଏଠାରେ ଉଲ୍ଲେଖଯୋଗ୍ୟ କି କେନ୍ଦୁଝର ସହରରେ ଏବେ ଶବ ଦାହ ଲାଗି କାଠ ମିଳୁନି ଲୋକେ ହିନସ୍ତା ହୋଇ ନିଜେ ଘରୋଇ ଭାବେ କାଠ ଯୋଗାଡ଼ କରି ଶବ ଦାହ କରୁଛନ୍ତି। ତେବେ ମାଧପୁର କାସାଣ୍ଡ୍ରା କଲଚରାଲ କ୍ଲବ ସଦସ୍ୟ ମାନେ କିଛି କାଠ ଦେଇଥିଲେ। ସମାଜସେବୀ ବିଲି ପଣ୍ଡା ମହାଯାତ୍ରା ଗାଡ଼ି ଯୋଗାଡ଼ କରିଥିଲେ। ଏଥିସହ ସମାଜସେବୀ କୁନୁ ବ୍ରହ୍ମ ଶୁଖିଲା ନଡ଼ିଆ ବାହୁଙ୍ଗା ଧରି ମଣ୍ଡୁଆ ଶ୍ମଶାନକୁ ଯାଇଥିଲେ। ସମାଜସେବୀ କମଳକୃଷ୍ଣ ନାୟକ ନିଜେ ଉପସ୍ଥିତ ରହି ଲିଟୁକୁ ସାନ୍ତ୍ୱନା ଦେବା ସହ ସୀମିତ ଲୋକବଳରେ ସବୁ ବୁଝୁଥିଲେ ପେଟ୍ରୋଲ ନିଜ ଗାଡ଼ିରୁ କାଢି ଆଣିଲେ । ତେବେ ବହୁ କଷ୍ଟରେ କଣ୍ଢେଇଙ୍କ ଶବକୁ ନେଇ ମସାଣୀକୁ ଗଲେ ସେଠାରେ ରାସ୍ତା କଡ଼େ ଗାଡ଼ିରୁ ଶବକୁ ଓହ୍ଲାଇ ଦିଆଗଲା। ମସାଣୀରେ କାଠ ବେଶୀ ନାହିଁ ମାତ୍ର ତିନି ଜଣ ଲୋକ କାଠ ବୋହିବେ ସଜାଇବେ ତେଣୁ ଲିଟୁ ମାନସିକ ଭାବେ ବିଚଳିତ ହୋଇ ମାଆ ଶବକୁ ଏକୁଟିଆ ଘୋଷାରି ଘୋଷାରି ନେଉଥିବାର ହୃଦୟବିଦାରକ ଘଟଣା ସେଠାରେ ଦେଖାଯାଇଥିଲା ଯାହା ସମସ୍ତଙ୍କୁ ବିଚଳିତ କରିବ। ବଂଚିଥିଲା ବେଳେ ସରକାରୀ ସାହାଯ୍ୟ ମିଳିବନି କି ଆମ୍ବୁଲାନ୍ସ ଆସିବନି ପୁଣି ମଲେ ଶବ ଉଠେଇବାକୁ କାନ୍ଧ କି ଗାଡ଼ି ମିଳିବନି ତେଣୁ ମୃତକ ପରିବାରରେ ଏକୁଟୁଆ ଅସୁସ୍ଥ ଥିବା ଲିଟୁ ପରି ଲୋକ ଅବସ୍ଥା ସହଜେ ଅନୁମାନ କରିହେଉଥିବ। ତେବେ ଏପରି ଘଟଣା ଘଟି ଯାଇଥିଲେ ମଧ୍ୟ କିପରି ୧୦୮ ଆମ୍ବୁଲାନ୍ସ ସେବା ଚାଲିଛି କଣ୍ଢେଇ ପରି କେତେ ଲୋକ ଏଥିରୁ ଏମିତି ଉପକୃତ ହେଉଥିବେ ପ୍ରଶ୍ନ ଉଠିଛି। ମାଆ ଚାଲିଯିବା ପରେ ଲିଟୁ ନନ୍ଦ ଏବେ ସମ୍ପୂର୍ଣ୍ଣ ଅସହାୟ ରୋଗୀଣା ଅବସ୍ଥାରେ ଅଛି ତେଣୁ ତାକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି।







