ପ୍ରଶିକ୍ଷଣ ସହ ସଚେତନତା ରଥ ପରିକ୍ରମା
ପଦ୍ମପୁର:- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (Special Intensive Revision - SIR) କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଦ୍ମପୁରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଆଜି ପଦ୍ମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏକ ଅତିରିକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ପଦ୍ମପୁରର ଏଡିଏମ୍ ତଥା ଇଆରଓ (ERO) ସରୋଜିନୀ ପ୍ରସନ୍ନ କୁଲୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଆରଓ (AERO), ବିଏଲଓ (BLO), ବିଏଲଏ (BLA) ଏବଂ ବିଏଲଓ ସୁପରଭାଇଜରମାନଙ୍କୁ SIR ପ୍ରକ୍ରିୟାର ସର୍ବଶେଷ ନିର୍ଦ୍ଦେଶାବଳୀ ଓ କାର୍ଯ୍ୟ ସମ୍ପାଦନ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ବୈଠକରେ ରାଜବୋଡ଼ାସମ୍ବର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା, ପଦ୍ମପୁର ଡେପୁଟି କଲେକ୍ଟର ଭବାନୀ ଶଙ୍କର ମହାନ୍ତ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମେନକା ମେହେର ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ସ୍ୱିପ୍ (SVEEP) କାର୍ଯ୍ୟକ୍ରମ ଅଧୀନରେ ପଦ୍ମପୁର ଏନଏସି (NAC) ଅଞ୍ଚଳରେ ଏକ ସଚେତନତା ରଥ ପରିକ୍ରମା କରାଯାଇଛି। ଏହି ରଥ ମାଧ୍ୟମରେ ‘ମୀତା ଦିଦି’ଙ୍କ SIR ସମ୍ବନ୍ଧୀୟ ସଚେତନତା ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଛି। ସାଧାରଣ ନାଗରିକମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରିବା ଏବଂ ଭୋଟର ତାଲିକା ସଂଶୋଧନ ନେଇ ସଚେତନ କରାଇବା ଏହି ରଥ ପରିକ୍ରମାର ମୂଳ ଉଦ୍ଦେଶ୍ୟ।







