କୁଚିଣ୍ଡା/ଜମନକିରା, ୧୭।୬( ଅଜୟ କୁମାର ବାଘ): ଗରିବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ସରକାର କୋଟକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି । ଏଭଳି ଏକ ଉଦାହରଣ ଦେଖାଦେଇଛି । ଜମନକିରା ବ୍ଲକ ଅଞ୍ଚଳରେ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି, ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ଗ୍ରାମପଞ୍ଚାୟତ ନାଗ୍ରାବାହାଲ(ମଦନ ଢ଼ିପା)ରେ ରହୁଥିବା ୭୪ ବର୍ଷୀୟ ବୃଦ୍ଧା ମହିଳା ବୈଦେହୀ ମିଞ୍ଜ। ବୈଦେହୀଙ୍କ କେହି ସାହାରା ନଥିବା ସର୍ତ୍ତେ, ସେ ଆଜିବି ଏକ ଭଙ୍ଗାଦଦରା ଘରେ ଜୀବନ ବିତାଉଛନ୍ତି । ସରକାର ଯେଉଁ ଆବାସ ଯୋଜନା ଗରିବ ଓ ଅସହାୟଙ୍କ ପାଇଁ ଘୋଷଣା କରିଛନ୍ତି, ସେହି ଯୋଜନାରେ ସେ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ ହୋଇଥିବା ସର୍ତ୍ତେ ସେଥିରୁ ସେ ବଞ୍ଚିତ ରହିଛନ୍ତି । ଦଶ ବର୍ଷରୁ ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ, ବ୍ଲକ ପ୍ରଶାସନ ଓ ନେତାମାନଙ୍କୁ ବାରମ୍ବାର ଗୁହାରୀ, ଦରଖାସ୍ତ ଓ ଅନୁରୋଧ ସର୍ତ୍ତେ କିଛି ସୁଫଳ ମିଳିନଥିବା ବୃଦ୍ଧା ବୈଦେହୀ କୋହଲଭୋରା କଣ୍ଠରେ କହିଛନ୍ତି । ଶେଷରେ କୌଣସି ଉପାୟ ନପାଇ ନିରାଶ ହୋଇ ସେହି ଭଙ୍ଗା ଦଦରା ଘରେ ମୁଣ୍ଡଗୁଞ୍ଜି ରହିବାକୁ ପଡୁଛି । ସୂଚନନୁଯାୟୀ ବୃଦ୍ଧା ବୈଦେହୀଙ୍କ ପରିବାର କହିଲେ ସ୍ୱାମୀ ଓ ଦୁଇ ପୁଅଙ୍କୁ ନେଇ ହସଖୁସିରେ ସଂସାର ଚାଲୁଥିଲା । ଦୁଇ ପୁଅଙ୍କ ବିବାହ ପରେ ମଧ୍ୟ ସଂସାର ଠିକ୍ ଠାକରେ ଥିଲା। ଦୁଇ ପୁଅଙ୍କ ପିଲାଛୁଆ ଜନ୍ମ ହେବା ପରେ ସେମାନେ ନିଜନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ଧରି ଅନ୍ୟତ୍ର ଘର କରି ଅଲଗା ଅଲଗା ଅଲଗା ରହୁଛନ୍ତି । ହେଲେ ଏହି ବୃଦ୍ଧା ମହିଳା ବୈଦେହୀଙ୍କୁ ଦେଖାଦେଖି କରିବା ପାଇଁ କେହି ସାହାରା ନାହାନ୍ତି । ସ୍ୱାମୀ ଥିଲାବେଳେ ଠିକ୍ ଠାକରେ ଘରକୁ ସଜାଡ଼ି ରଖୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ହୋଇପଡିଛନ୍ତି ବୃଦ୍ଧା ବୈଦେହୀ ହେଲେ ତାଙ୍କୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଘର ଖଣ୍ଡିଏ ବି ମିଳିନାହିଁ । ଖରା, ବର୍ଷା, ଶୀତ ସବୁ ସମୟରେ ସେହି ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୁଅନ୍ତି । ବୈଦେହୀଙ୍କୁ ସରକାରୀ ସହାୟତା କହିଲେ ଗ୍ରାମପଞ୍ଚାୟତରୁ ଯେଉଁ ମାସକୁ ୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ସେହି ଭତ୍ତା ଟଙ୍କାରେ ଘର ତିଆରି କରିବା କଷ୍ଟକର ହୋଇପଡୁଛି ବୋଲି ବୈଦେହୀ କହିଛନ୍ତି । କେତେବେଳେ ମଧ୍ୟ ଘର ଭାଙ୍ଗିଯିବ ତାହା କହିହେବ ନାହିଁ । ଏତେ କଷ୍ଟରେ ଜୀବନ ଯାପନ ବିତାଉଥିବା ଅସହାୟ ବୃଦ୍ଧା ମହିଳା ବୈଦେହୀଙ୍କ ଘରକୁ ଉପଯୁକ୍ତ ତଦନ୍ତ କରି ଯଥାଶୀଘ୍ର ଏକ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ଦାବୀ ହେଉଛି ।
ରାଜ୍ୟ
ସରକାରଙ୍କ ପକ୍କାଘର ଯୋଜନା କାହାପାଇଁ ? ଭଙ୍ଗା ଦଦରା ଘରେ ବିତୁଛି ବୈଦେହୀଙ୍କ ଜୀବନ
- Hits: 14







