ହେଡଲାଇନସ୍:

ଲଇକେରାରେ ‘ବିକାଶ ଧାରା ଓଡ଼ିଶା’ କାର୍ଯ୍ୟକ୍ରମ, ବିଭିନ୍ନ ଯୋଜନାର ସହାୟତା ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା: ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଝାରସୁଗୁଡ଼ା ଜିଲ୍ଲାର ଲଇକେରା ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର “ବିକାଶ ଧାରା ଓଡ଼ିଶା” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ସମାବେଶରେ ବହୁ ସଂଖ୍ୟାରେ ଲୋକମାନେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଗ୍ରାମୀଣ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟଣ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଗାଁ’ ଗଠନ ସଂକଳ୍ପ ମାଧ୍ୟମରେ ହିଁ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର ହୋଇପାରିବ।

ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ବାସଗୃହ ମଞ୍ଜୁରି, ସାମାଜିକ ସୁରକ୍ଷା ଭତ୍ତା ଏବଂ ନୂତନ ରାସନ କାର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି ଡିଜିଟାଲ ଇଣ୍ଡିଆ ଅଭିଯାନ ଅଧୀନରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ ମଧ୍ୟ ବଣ୍ଟନ କରାଯାଇଥିଲା।

ବିଧାୟକ ଶ୍ରୀ ତ୍ରିପାଠୀ ଭାଜପା ସରକାର ଗଠନ ପରଠାରୁ ଅଞ୍ଚଳରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ରାସ୍ତା ଓ ଗମନାଗମନ ବ୍ୟବସ୍ଥାର ସୁଧାର, ରୋଜଗାର ସୃଷ୍ଟି, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ବିଧାୟକ ଅଞ୍ଚଳବାସୀଙ୍କୁ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମ ଶେଷରେ ‘ଏକ ପେଡ଼ ମା କେ ନାମ’ ଅଭିଯାନ ଅନ୍ତର୍ଗତ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷାର ବାର୍ତ୍ତା ଦିଆଯାଇଥିଲା।

0
0
0
s2sdefault