ହେଡଲାଇନସ୍:

୩୩ କୋଟିରେ ଗଢ଼ିବ ୨୦ ଏସଟି ହଷ୍ଟେଲ, ଲାଭ ପାଇବେ ୧୦୦୦ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା : ଜିଲ୍ଲାର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଆବାସିକ ସୁବିଧା ସୃଷ୍ଟି ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲଖନପୁର, ଲଇକେରା ଓ କିର୍ମିରା ବ୍ଲକରେ ୨୦ଟି ନୂତନ ଏସଟି ଛାତ୍ର ଓ ଛାତ୍ରୀ ନିବାସ ନିର୍ମାଣ ପାଇଁ ଇ-ଟେଣ୍ଡର ଜାରି କରାଯାଇଛି।

ପ୍ରକଳ୍ପ ଅନୁଯାୟୀ ଲଖନପୁର ବ୍ଲକରେ ସର୍ବାଧିକ ୧୦ଟି ହଷ୍ଟେଲ ନିର୍ମାଣ ହେବାକୁ ଥିବାବେଳେ ଲଇକେରା ଓ କିର୍ମିରା ବ୍ଲକରେ ୫ଟି ଲେଖାଏଁ ହଷ୍ଟେଲ ସ୍ଥାପନ କରାଯିବ। ପ୍ରତ୍ୟେକ ହଷ୍ଟେଲରେ ୫୦ ଜଣ ଛାତ୍ରଛାତ୍ରୀଙ୍କ ରହିବା ବ୍ୟବସ୍ଥା ଥିବାରୁ ମୋଟ ୧୦୦୦ ଜଣ ଜନଜାତି ଛାତ୍ରଛାତ୍ରୀ ସିଧାସଳଖ ଭାବେ ଉପକୃତ ହେବେ। ଏହି ସମସ୍ତ ପ୍ରକଳ୍ପ ପାଇଁ ୩୩ କୋଟି ଟଙ୍କାରୁ ଅଧିକ ବ୍ୟୟ ହେବ ବୋଲି ସୂଚନା ମିଳିଛି।

ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଜନଜାତି ସମାଜର ଶିକ୍ଷାଗତ ଓ ସାମାଜିକ ସଶକ୍ତିକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଏକାସାଙ୍ଗରେ ୨୦ଟି ହଷ୍ଟେଲ ନିର୍ମାଣ ନିଷ୍ପତ୍ତି ଜନଜାତି ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ।

ସେ କହିଛନ୍ତି ଯେ ଏହି ପଦକ୍ଷେପ ଫଳରେ ଅନେକ ମେଧାବୀ ଜନଜାତି ଛାତ୍ରଛାତ୍ରୀ ଉନ୍ନତ ଆବାସିକ ସୁବିଧା ପାଇ ଉଚ୍ଚଶିକ୍ଷା ଦିଗରେ ଆଗେଇ ପାରିବେ। ଶିକ୍ଷା ସହିତ ସ୍ୱାସ୍ଥ୍ୟ, ପାନୀୟ ଜଳ, ସଡ଼କ ଓ ଅନ୍ୟାନ୍ୟ ମୌଳିକ ସୁବିଧାର ବିକାଶ ପାଇଁ ମଧ୍ୟ ରାଜ୍ୟ ସରକାର ନିରନ୍ତର କାର୍ଯ୍ୟ କରୁଥିବା ସେ ଉଲ୍ଲେଖ କରିଛନ୍ତି।

ଦୁର୍ଗମ ଓ ଶିକ୍ଷା ସୁବିଧାରୁ ବଞ୍ଚିତ ଅଞ୍ଚଳଗୁଡ଼ିକୁ ପ୍ରାଥମିକତା ଦେଇ ହଷ୍ଟେଲଗୁଡ଼ିକର ସ୍ଥାନ ଚୟନ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି। ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେବା ପରେ ଝାରସୁଗୁଡ଼ା ଜିଲ୍ଲାର ଜନଜାତି ଶିକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

0
0
0
s2sdefault