ଝାରସୁଗୁଡା: ଝାରସୁଗୁଡା ସରବହାଲସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ଦୀପାଳି ଦାସ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ବିଭିନ୍ନ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ବିଶେଷକରି ହାର୍ଟ ହସ୍ପିଟାଲ, ସ୍ୱାସ୍ଥ୍ୟସେବା, ନିର୍ବାଚନୀ ପ୍ରତିଶ୍ରୁତି ଓ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ନେଇ ସେ ତୀବ୍ର ସମାଲୋଚନା କରିଥିଲେ।
ଦୀପାଳି ଦାସ କହିଥିଲେ ଯେ ସ୍ୱର୍ଗତ ନବ କିଶୋର ଦାସଙ୍କ ସ୍ୱପ୍ନର ପ୍ରକଳ୍ପ କ୍ୟାନ୍ସର ଓ ହାର୍ଟ ହସ୍ପିଟାଲକୁ ନେଇ ରାଜନୀତି କରିବା ପରିବର୍ତ୍ତେ ବିଧାୟକ ନିଜ କାର୍ଯ୍ୟକାଳ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଦେଖାଇବା ଉଚିତ। ଅନ୍ୟମାନଙ୍କ କାର୍ଯ୍ୟର ଶ୍ରେୟ ନେବା ବନ୍ଦ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।
ସେ ନିକଟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନାବାଳିକାଙ୍କ ସହ ଘଟିଥିବା ଅପରାଧିକ ଘଟଣା ଓ ଇବ୍ ନଦୀରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟଣାରେ ବିଧାୟକଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ କେତେଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟରତ ଅଛନ୍ତି, ସେଥିପାଇଁ ମଧ୍ୟ ସ୍ପଷ୍ଟୀକରଣ ଦାବି କରିଥିଲେ।
ମଙ୍ଗଳ ବଜାର ହସ୍ପିଟାଲର ଦୟନୀୟ ଅବସ୍ଥା ଏବଂ ଏନଏଚ-୪୯ରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ରୋକିବା ପାଇଁ ବିଧାୟକ କେଉଁ ପଦକ୍ଷେପ ନେଇଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ।
ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରସଙ୍ଗ ଉଠାଇ ଦୀପାଳି ଦାସ କହିଥିଲେ ଯେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ସରକାରୀକରଣ, କେୟାର ହସ୍ପିଟାଲ ପ୍ରସଙ୍ଗର ସମାଧାନ, ପୁରୁଣାବସ୍ତି ଡ୍ରେନ ଓ ପୋଖରୀର ଉନ୍ନତି ଏବଂ ଫ୍ଲାଇ ଆଶ୍ ସମସ୍ୟାର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ କାହିଁକି ହୋଇପାରିନାହିଁ, ତାହାର ଉତ୍ତର ବିଧାୟକ ଦେବା ଆବଶ୍ୟକ।
ଲ୍ୟାଣ୍ଡ ସ୍କାମିଂ, ଆଶ୍ ଡମ୍ପିଂ ଓ କୋଇଲା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ପ୍ରତି ବିଧାୟକଙ୍କ ନୀରବତାକୁ ମଧ୍ୟ ସେ ସମାଲୋଚନା କରିଥିଲେ। “କଥାରେ ନୁହେଁ, କାମରେ ବିକାଶ ଦେଖାଯାଏ। ପ୍ରଚାରରେ ନେତା ତିଆରି ହୁଅନ୍ତି ନାହିଁ, ଲୋକଙ୍କ ବିଶ୍ୱାସରେ ନେତୃତ୍ୱ ଗଢ଼ିଉଠେ,” ବୋଲି ଦୀପାଳି ଦାସ କହିଥିଲେ।
ଶେଷରେ ସେ ସୂଚନା ଦେଇଥିଲେ ଯେ କେୟାର ହସ୍ପିଟାଲ ସମ୍ବନ୍ଧୀୟ ସମସ୍ତ ସରକାରୀ ଚିଠିପତ୍ର ଆରଟିଆଇ ମାଧ୍ୟମରେ ସଂଗ୍ରହ କରାଯାଇଛି ଏବଂ ଖୁବ୍ଶୀଘ୍ର ତାହା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଝାରସୁଗୁଡାବାସୀ ବର୍ତ୍ତମାନ ଭାଷଣ ନୁହେଁ, ବରଂ କାର୍ଯ୍ୟର ଜବାବ ଚାହୁଁଛନ୍ତି ବୋଲି ବିଜେଡି ନେତୃବୃନ୍ଦ ମତ ପ୍ରକାଶ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜୟନ୍ତୀ ବାହୁକ, ଚିତ୍ରେଣୀ ପଟେଲ, ଦିଗମ୍ବର ଭୋଇ, ଅଶୋକ ଦାସ, ଆଲୋକ ତ୍ରିପାଠୀ, ତୁଳସୀ ଦାସ ଓ ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।







