ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ହାର୍ଟ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଜନସାଧାରଣଙ୍କ ସମର୍ଥନ ଓ ଆଶୀର୍ବାଦ ବଳରେ ରାଜ୍ୟରେ ଭାଜପା ସରକାର ଗଠିତ ହୋଇଛି ଏବଂ ଝାରସୁଗୁଡ଼ାରେ ଦଳର ବିଜୟ ଏହି ଜନାଦେଶର ପ୍ରତିଫଳନ।
ହାର୍ଟ ହସ୍ପିଟାଲ ପ୍ରସଙ୍ଗରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ଆର୍ଥିକ ସହାୟତାରେ ନିର୍ମିତ ଏହି ହସ୍ପିଟାଲକୁ ପୂର୍ବ ସରକାର କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଥିଲେ। ଅତ୍ୟାଧୁନିକ ଯନ୍ତ୍ରପାତି ସ୍ଥାପନ କରି ଜନସେବାରେ ନିୟୋଜିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିଲେ ମଧ୍ୟ ଦୀର୍ଘ ସମୟ ଧରି ଏହାକୁ ଅବହେଳା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ବିଧାୟକ ତ୍ରିପାଠୀ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଯେଉଁମାନେ ଆଜି ହସ୍ପିଟାଲର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ପରିବାର ଦୀର୍ଘ ସମୟ ଧରି ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଥିବା ସତ୍ତ୍ୱେ କାହିଁକି ଏହାକୁ ଆରମ୍ଭ କରିପାରିନଥିଲେ। ସାଧାରଣ ଲୋକେ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ସେମାନେ ନିରବ ରହିଥିଲେ ବୋଲି ସେ କହିଛନ୍ତି।
ସେ ଦାବି କରିଛନ୍ତି ଯେ, ଭାଜପା ସରକାର ଗଠନ ପରେ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆବଶ୍ୟକ ଅତ୍ୟାଧୁନିକ ଯନ୍ତ୍ରପାତି ହସ୍ପିଟାଲକୁ ପହଞ୍ଚିଥିବା ବେଳେ ଖୁବଶୀଘ୍ର ଏହା ଲୋକାର୍ପିତ ହେବ ବୋଲି ସେ କହିଛନ୍ତି।
ପୂର୍ବ ସରକାର ସମୟରେ କାର୍ଡିଆକ୍ କେୟାର ପାଇଁ ଆସିଥିବା କୋଟି କୋଟି ଟଙ୍କାର ଯନ୍ତ୍ରପାତି ଝାରସୁଗୁଡ଼ାରୁ ଅନ୍ୟ ମେଡିକାଲ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଘଟଣାକୁ ଉଲ୍ଲେଖ କରି ସେ ତତ୍କାଳୀନ ନେତୃତ୍ୱର ଭୂମିକାକୁ ପ୍ରଶ୍ନ କରିଛନ୍ତି। ସେହିପରି, ଫେବୃଆରୀ ୨୦୨୪ରେ ଡାକ୍ତର, ଯନ୍ତ୍ରପାତି ଓ ପରିଚାଳନା ସଂସ୍ଥା ବିନା କରାଯାଇଥିବା ଉଦ୍ଘାଟନକୁ ସେ “କାଗଜୀ ଉଦ୍ଘାଟନ” ବୋଲି ଅଭିହିତ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମଙ୍ଗଳବଜାର ହସ୍ପିଟାଲ, ଆଇସିୟୁ ଭବନ, ଡିଜି ସେଟ୍, ନୂତନ ବ୍ଲଡ୍ ବ୍ୟାଙ୍କ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୋଷ୍ଟମର୍ଟମ ଗୃହ ଭଳି ବିଭିନ୍ନ ସ୍ୱାସ୍ଥ୍ୟଭିତ୍ତିକ ପ୍ରକଳ୍ପର କାମ ବର୍ତ୍ତମାନ ସରକାର ଆସିବା ପରେ ତ୍ୱରାନ୍ୱିତ ହୋଇଛି।
ଲଇକେରାର ସମଲେଶ୍ୱରୀ ମନ୍ଦିର ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, କିଛି ନେତା ପ୍ରୋଟୋକଲ ଉଲ୍ଲଂଘନ କରି ନିଜ ଆଡ଼ୁ ଉଦ୍ଘାଟନ କରିବାକୁ ଯାଉଛନ୍ତି, ଯାହା ଗଣତାନ୍ତ୍ରିକ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନୁହେଁ। ଭାଜପା ସଂକୀର୍ଣ୍ଣ ରାଜନୀତିରେ ବିଶ୍ୱାସ କରେନାହିଁ ଏବଂ ବିକାଶ କାର୍ଯ୍ୟର ପ୍ରକୃତ ମୂଲ୍ୟାଙ୍କନ ଜନସାଧାରଣ କରିବେ ବୋଲି ସେ କହିଛନ୍ତି।







