ଝାରସୁଗୁଡ଼ା, ୧୩ ଜୁନ : ଝାରସୁଗୁଡ଼ାରେ ଏକ ମଲ୍ଟି-ସ୍ପେସିଆଲିଟି ଇଏସଆଇ ହସ୍ପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଲୋକସଭାର ଶ୍ରମ, ବସ୍ତ୍ର, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ସମ୍ପର୍କିତ ସ୍ଥାୟୀ କମିଟିର ଅଧ୍ୟକ୍ଷ ବାସବରାଜ ଏସ୍. ବୋମ୍ମାଇଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ବିଧାୟକ ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ଓ ଖଣି ସମୃଦ୍ଧ ଜିଲ୍ଲା। ଏଠାରେ ବହୁ ସଂଖ୍ୟକ ଶ୍ରମିକ, ଚୁକ୍ତିଭିତ୍ତିକ କର୍ମଚାରୀ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି। ଜିଲ୍ଲା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍, ବେଦାନ୍ତ ଆଲୁମିନିୟମ୍, ରୁଙ୍ଗଟା ସନ୍ସ, ଜେଏସଡବ୍ଲ୍ୟୁ ଓ ଆଦିତ୍ୟ ବିର୍ଲା ଭଳି ବୃହତ ଶିଳ୍ପ ସଂସ୍ଥା କାର୍ଯ୍ୟରତ ଥିବାବେଳେ ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମଧ୍ୟ ଏଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଅବସ୍ଥିତ।
ସେ କହିଛନ୍ତି ଯେ, କର୍ମଚାରୀ ରାଜ୍ୟ ବୀମା (ଇଏସଆଇ) ଯୋଜନାରେ ସମ୍ପ୍ରତି ହୋଇଥିବା ସଂଶୋଧନ ପରେ ଖଣି ଓ ଶିଳ୍ପ କ୍ଷେତ୍ରର ବହୁ ସଂଖ୍ୟକ ଶ୍ରମିକ ଏହାର ଅନ୍ତର୍ଭୁକ୍ତ ହୋଇଛନ୍ତି। ଫଳରେ ଜିଲ୍ଲାରେ ଇଏସଆଇ ହିତାଧିକାରୀଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଛି। କିନ୍ତୁ ପର୍ଯ୍ୟାପ୍ତ ଚିକିତ୍ସା ଭିତ୍ତିଭୂମି ନଥିବାରୁ ଜରୁରୀକାଳୀନ ସ୍ଥିତିରେ ରୋଗୀମାନଙ୍କୁ ଦୂରସ୍ଥ ସହରକୁ ରେଫର କରିବାକୁ ପଡୁଛି, ଯାହା ଅନେକ ସମୟରେ ଜୀବନହାନିର କାରଣ ହେଉଛି।
ଝାରସୁଗୁଡ଼ାରେ ଏକ ମଲ୍ଟି-ସ୍ପେସିଆଲିଟି ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ହେଲେ ହଜାର ହଜାର ଶ୍ରମିକ ଓ ସେମାନଙ୍କ ପରିବାର ସମୟୋପଯୋଗୀ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ। ଏହାସହ ପଡ଼ୋଶୀ ଜିଲ୍ଲାର ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ଉପରେ ଥିବା ଚାପ ମଧ୍ୟ କମିବ। ଜରୁରୀ ପରିସ୍ଥିତିରେ ଶ୍ରମିକମାନେ ତୁରନ୍ତ ବିଶେଷଜ୍ଞ ଚିକିତ୍ସା ସୁବିଧା ପାଇପାରିବେ ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଝାରସୁଗୁଡ଼ା ସହର ସଡ଼କ, ରେଳ ଓ ବିମାନ ସେବା ମାଧ୍ୟମରେ ଉତ୍କୃଷ୍ଟ ଭାବେ ସଂଯୁକ୍ତ ଥିବାରୁ ଏଠାରେ ଏକ ଆଞ୍ଚଳିକ ଇଏସଆଇ ମେଡିକାଲ କଲେଜ ସ୍ଥାପନ ପାଇଁ ସମସ୍ତ ସୁବିଧା ଉପଲବ୍ଧ ରହିଛି ବୋଲି ବିଧାୟକ ମତ ପ୍ରକାଶ କରିଛନ୍ତି। ଶ୍ରମିକ ଓ ସେମାନଙ୍କ ପରିବାରର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଶୀଘ୍ର ମଞ୍ଜୁରି ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।







