ନିଜ ଚିଠିରେ ମାନିଲା ବିଭାଗ - 'ଇପିଏଫ୍ ବ୍ୟବସ୍ଥା ନାହିଁ', ପିଅନ୍-ସୁଇପର୍-ନାଇଟ୍ ୱାଚମ୍ୟାନ୍ କାମ କରାଏ; ୧୮କୋଟି ବକେୟା ଦାବିରେ ଇପିଏଫ୍ ଆୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ୫୦୦ରୁ ଉର୍ଦ୍ଧ୍ଵ ସିସିଏ।
କେନ୍ଦୁଝର,ତା୧୩/୬- ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ବିଦ୍ୟାଳୟରେ ରୋଷେଇଆ ନାମରେ ନିଯୁକ୍ତି ପାଇଥିବା ୫୦୦ରୁ ଉର୍ଦ୍ଧ୍ଵ କୁକ୍ କମ୍ ଆଟେଣ୍ଡାଣ୍ଟ ବା ସିସିଏଙ୍କୁ ରାଜ୍ୟ ସରକାର ଗତ ୩୦ ବର୍ଷ ହେଲା ଦାସ ପରି ଖଟାଉଥିବା ସରକାରୀ କାଗଜପତ୍ରରୁ ପ୍ରମାଣିତ ହୋଇଛି। ସାପ୍ତାହିକ ଛୁଟି ନାହିଁ, ୮ ଘଣ୍ଟା କାମର ନିୟମ ନାହିଁ, ଇପିଏଫ୍-ଇସିଆଇ ନାହିଁ- କିନ୍ତୁ ପିଅନ୍, ସୁଇପର୍, ମାଳି, ଗେଟ୍ କିପର୍ ଓ ନାଇଟ୍ ୱାଚମ୍ୟାନ୍ କାମ କରାଯାଉଛି ବୋଲି ସରକାର ନିଜେ ସୂଚନା ଅଧିକାର ଲାଗି ଉତ୍ତରରେ ସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ କି କେନ୍ଦ୍ରାପଡା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ତା ୨୮/୮/୨୦୨୪ର ପତ୍ର ସଂଖ୍ୟା ୭୪୧/ ଡବ୍ଲ୍ୟୁଇଏଲର ଆରଟିଆଇ ଉତ୍ତର ହେଲା ଇଂରାଜୀରେ- "Weekly holiday is not available", "8 or 12 hours a day...Ans: Not available", "EPF, ESI POLICY...Ans: Not available"। ଏପରିକି "LCCA employed at night...6:00PM to 6:00AM" ଏବଂ "CCAS, LCCA employed...toilet, bathroom...Sweeper, Gardener etc." ବୋଲି ସ୍ୱୀକାର କରାଯାଇଛି। ଅର୍ଥାତ୍ ୧୨ଘଣ୍ଟା ରାତ୍ର ଡ୍ୟୁଟି କରି ପିଲା ଜଗିବା ଓ ପାଇଖାନା-ବାଥରୁମ୍ ସଫା କରିବା କାମ ବି ଏମାନଙ୍କୁ କରିବାକୁ ପଡୁଛି। ପୁଣି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମଧ୍ୟ ସ୍ୱୀକାର କରିଛି କି ଇପିଏଫ ଦିଆ ଯାଉନି।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତା୨୩/୩/୨୦୨୩ର ପତ୍ର ସଂଖ୍ୟା ୫୯୫୦/ଏସଏସଡ଼ିରେ ଇଂରାଜୀରେ ସ୍ପଷ୍ଟ ଲେଖିଛି - "At present, there is no provision for EPF scheme for the CCAs"। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ,କେନ୍ଦୁଝର ତା ୯/୭। ୨୦୨୪ର ପତ୍ର ସଂଖ୍ଯା ୨୦୪୨/ଡବ୍ଲ୍ୟୁଏଲରେ ଲେଖିଛନ୍ତି - "no allotment has been placed towards EPF & ESI"। ଜିଲ୍ଲା ମଙ୍ଗଳ ଅଧିକାରୀ,କଟକ ତା ୨୯/୮/୨୩ର ଆରଟିଆଇ ଉତ୍ତରରେ ଲେଖିଛନ୍ତି - "No EPF/ESI Facility...as per Govt. guideline"।
କିନ୍ତୁ ଏହା କେନ୍ଦ୍ରୀୟ ଆଇନକୁ ଖୋଲା ଉଲ୍ଲଂଘନ କରୁଛି, କର୍ମଚାରୀ ଭବିଷ୍ୟନିଧି ଆଇନ୍,୧୯୫୨ ଅନୁସାରେ ୨୦ଜଣରୁ ଅଧିକ କର୍ମଚାରୀ ଥିବା ସବୁ ପ୍ରତିଷ୍ଠାନରେ ଇପିଏଫ୍ ବାଧ୍ୟତାମୂଳକ। ଏହା ଏକ କେନ୍ଦ୍ରୀୟ ଆଇନ୍। କିନ୍ତୁ ରାଜ୍ୟ ସରକାର " ସରକାରୀ ନିୟମ ଖସଡା ନାଁରେ ଏହି ଆଇନକୁ ଉଲ୍ଲଂଘନ କରୁଛନ୍ତି, ଯାହା ସମ୍ବିଧାନର ଧାରା ୨୫୪ଅନୁସାରେ ଅବୈଧ ବୋଲି ଜଣାଯାଇଛି। ଏହାର ପ୍ରତିବାଦରେ କେନ୍ଦୁଝର ଜିଲ୍ଲାର ଆଇଟିଡ଼ିଏ କେନ୍ଦୁଝର, ଚମ୍ପୁଆ ଓ ଡିଡବ୍ଲୁଓ ଅଧୀନରେ ୧୯୯୪ ମସିହାରୁ କାର୍ଯ୍ୟରତ ୫୦୦ଜଣରୁ ଉର୍ଦ୍ଧ୍ଵ ସିସିଏ ୧୩ଜଣ ପ୍ରତିନିଧିଙ୍କ ମାଧ୍ୟମରେ ଜିଲ୍ଲା ଭବିଷ୍ୟନିଧି ଆୟୁକ୍ତ, କେନ୍ଦୁଝରଙ୍କ ନିକଟରେ ସାମୂହିକ ଦରଖାସ୍ତ ଦାଖଲ କରିଛନ୍ତି। ଦରଖାସ୍ତରେ ୧୯୯୪ରୁ ବକେୟା ଇପିଏଫ୍ ରାଶି ସହ ଧାରା ୭କ୍ୟୁର ସୁଧ ଓ ଧାରା ୧୪ବିର କ୍ଷତିପୂରଣ ଦାବି କରାଯାଇଛି। ମୋଟ ବକେୟା ପ୍ରାୟ ୧୮କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ଘଟଣା ଉପରେ ପ୍ରଶାସନ ନିରବ ଥିବାରୁ, ଜନତା ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି, ସେଗୁଡିକ ହେଲା-
୧- କେନ୍ଦ୍ରୀୟ ଆଇନ୍ ଥାଉ ଥାଉ ରାଜ୍ୟ ସରକାର କେଉଁ କ୍ଷମତାରେ ଇପିଏଫ୍ ବନ୍ଦ କଲେ?
୨- ୨୦୦ଟଙ୍କାରୁ ଆରମ୍ଭ କରି ୧୪,୫୦୦ ଟଙ୍କା ଦରମା ପାଉଥିବା ସିସିଏଙ୍କୁ ୨୪ଘଣ୍ଟା ଖଟାଇ ଛୁଟି ନ ଦେବା କେଉଁ ଶ୍ରମ ଆଇନରେ ଅଛି?
୩- ୩୦ ବର୍ଷର ୧୮କୋଟି ଟଙ୍କା କିଏ ହଡପ୍ କଲା? ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ସଂଗିନ ପ୍ରଶ୍ନ ଉଠିଛି।
ଏ ନେଇ ଜିଲ୍ଲାପାଳ କେନ୍ଦୁଝର ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ବୋଲି ଜଣାଯାଇଛି ।







