କେନ୍ଦ୍ରାପଡା:୧୩,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ବ୍ଲକ୍ ବିଡ଼ିଓ ଚାମ୍ବରରେ ଘଟିଥିବା ଏକ ବିବାଦିତ ଘଟଣା ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ସୃଷ୍ଟି କରିଛି। ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ଭିଡ଼ିଓ ରେକର୍ଡିଙ୍ଗ୍ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ସରପଞ୍ଚଙ୍କୁ ଉଠାଇ ନେଇଥିଲା। ଏହା ପରେ ସରପଞ୍ଚ ଚାମେଲୀ ଓଝା ପୋଲିସ୍ ହାତରୁ ମାଡ଼ ଖାଇଥିବା ଅଭିଯୋଗ ଆଣି ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ବୋଲି ସୂଚନାରୁ ଜଣାପଡ଼ିଛି। ଏହି ଘଟଣା ମହିଳା ସଶକ୍ତିକରଣ ଏବଂ ଆଇନ୍ ଶୃଙ୍ଖଳାର ପ୍ରଶ୍ନକୁ ସାମ୍ନାକୁ ଆଣିଛି।
ଜାତୀୟ କଂଗ୍ରେସ ଦଳ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛି। ଆଜି ଜିଲ୍ଲା କଂଗ୍ରେସ ସଭାପତି ଡା. ଦେବସ୍ମିତା ଶର୍ମାଙ୍କ ସଭାପତିତ୍ୱରେ ଥାନା ସମ୍ମୁଖରେ ଜିଲାସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରାକ୍ତନ ବିଧାୟକ ସିପ୍ରା ମଲିକ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଏଥିରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ କଟୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତାମାନେ କହିଛନ୍ତି ଯେ, ମହିଳା ସରପଞ୍ଚଙ୍କ ସହ ଏପରି ଆଚରଣ ଅତ୍ୟନ୍ତ ନିନ୍ଦନୀୟ। ଚାମେଲୀଙ୍କୁ ନ୍ୟାୟ ନ ମିଳିଲେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସରପଞ୍ଚ ଚାମେଲୀ ଓଝା ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲିଖିତ ପତ୍ର ମାଧ୍ୟମରେ ଅଭିଯୋଗ କରିଛନ୍ତି ବୋଲି କୁହାଯାଉଛି। ଏହି ଘଟଣାରେ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଚାମେଲୀଙ୍କୁ ସ୍ୱତନ୍ତ୍ର ପୋଲିସ୍ ଟିମ୍ ଉଠାଇ ନେଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମଧ୍ୟ ମିଳିଛି। ଏହି ସମଗ୍ର ଘଟଣା ଓଡ଼ିଶାର ଗ୍ରାମ ସ୍ତରରେ ମହିଳା ପ୍ରତିନିଧିତ୍ୱ ଓ ପୋଲିସ୍-ପ୍ରଶାସନର ଆଚରଣ ନେଇ ବହୁ ପ୍ରଶ୍ନ ଉଠାଇଛି।
ରାଜ୍ୟ
କେନ୍ଦ୍ରାପଡ଼ାରେ ମହିଳା ସରପଞ୍ଚଙ୍କ ଉପରେ ପୋଲିସ୍ ଅତ୍ୟାଚାର ଅଭିଯୋଗ: ରାଜନୀତି ଉତ୍ତପ୍ତ ।
- Hits: 59







