ହେଡଲାଇନସ୍:

ଦିବ୍ୟାଙ୍ଗ ଯୁବକଙ୍କୁ ହତ୍ୟା ଅଭିଯୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ପାଣିଟାଙ୍କି ଓ ସୀତାରାମପୁର ନଦୀବନ୍ଧ କଡ଼ରୁ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ତୋଟାସାହି ମୈାଜା ମଧୁବନ ଗାଁକୁ ରହିଥିବା ରାସ୍ତା କଡ଼ ନାଳିରେ ପଡ଼ିଥିବା ଦେଖାଯାଇଛି । ପାଳୁଅ ଚାଷ ହୋଇଥିବା ବିଲ କଡ଼ରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ମୃତଦେହ ନୂଆରାଇପୁର ଗ୍ରାମର ବଇ ସେଠୀଙ୍କ ପୁଅ ରଣଜିତ ସେଠୀ ଓରଫ କାହ୍ନାଙ୍କର ବୋଲି ଜଣାପଡ଼ିଛି । କାହ୍ନା ଜଣେ ଦିବ୍ୟାଙ୍ଗ ଯୁବକ । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖାଯାଇଛି । ପାରିପାଶ୍ୱ ସ୍ଥିତିରୁ କାହ୍ନାଙ୍କୁ କେହି ପିଟିପିଟି ହତ୍ୟା ପରେ ଘୋଷାରି ନେଇ ନାଳିରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି । ସୂଚନାନୁସାରେ, କାହ୍ନାଙ୍କ ବାପା ବଇ ସେଠୀ କେରଳରେ କାମ କରୁଥିବା ସମୟରେ ଦୁର୍ଘଟଣା କାରଣରୁ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିଲା । ଉକ୍ତ ଦୁର୍ଘଟଣା ବାବଦ ଟଙ୍କା ପାଇବାକୁ ନେଇ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କାହ୍ନାଙ୍କ ମାଆ ଓ ସାନ ଭଉଣୀ ମଧ୍ୟରେ ବିବାଦ ଲାଗି ରହିଥିଲା । ଅବିବାହିତ ସାନ ଭଉଣୀଙ୍କୁ ବଡ଼ ଭିଣୋଇ ତଥା ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ଡ୍ରାଇଭର ଭାଟସାହି ଗ୍ରାମର ତୋଫାନ ସେଠୀ ସାହାର୍ଯ୍ୟ କରୁଥିଲେ । କାହ୍ନା ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କ ମିଳୁଥିବା ଭତ୍ତା ଏବଂ ଶ୍ରମିକ ଭାବେ କାର୍ଯ୍ୟ କରି ପାଉଥିବା ଅର୍ଥରେ ଘର ଚଳୁଥିଲା । ଗତବର୍ଷ ବାପାଙ୍କ ମୃତ୍ୟୁ ବାବଦ ୧୦ ଲକ୍ଷ ଟଙ୍କାରୁ ମାଆଙ୍କୁ ୬ ଲକ୍ଷ ଏବଂ ସାନ ଭଉଣୀ ସସ୍ମିତାଙ୍କ ବ୍ୟାଙ୍କ ଖାତାକୁ ୪ ଲକ୍ଷ ଟଙ୍କା ଆସିଥିଲା । ଏହି ଟଙ୍କାକୁ ନେଇ ବାରମ୍ବାର ବାଦ ବିବାଦ ଲାଗି ରହିଥିଲା । କିଛିଦିନ ହେବ ପରିବାର ମଧ୍ୟ ଗଣ୍ଡଗୋଳ ମଧ୍ୟ ଚାଲିଥିଲା । ଗତକାଲି କାହ୍ନା କାମ ଖୋଜିବା ପାଇଁ ଭୁବନେଶ୍ୱର ଯାଉଥିବା କହି ଘରୁ ଆସିଥିଲେ । ମଧ୍ୟାହ୍ନରେ ମାଆଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ । ରାତି ସୁଦ୍ଧା ଘରକୁ ଫେରି ନଥିବା ବେଳେ ଆଜି ତାଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଥିଲା । ଖବରପାଇ ଘଟଣାସ୍ଥଳରେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜ୍ୟୋତିରଞ୍ଜନ ସାମନ୍ତରାୟ, ନୟାଗଡ଼ ଏସ୍‌ଡିପିଓ ସୃଷ୍ଟି ପ୍ରଧାନ, ସଦରଥାନା ଅଧିକାରୀ ପ୍ରିୟତମା ବେହେରା ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଥିଲେ । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାସ୍ଥଳରେ ଛାନଭିନ୍ କରିଥିଲେ । ମୃତଦେହ ପଡ଼ିଥିବା ସ୍ଥାନଠାରୁ ଅଳ୍ପ ଦୂରରେ ତାଙ୍କ ପ୍ୟାଣ୍ଟ ଓ ଚପଲ ପଡ଼ିଥିବା ଦେଖାଯାଇଥିଲା । ସେଠାରୁ କିଛି ଦୂରରେ ଏକ ବ୍ୟାଗ ପଡ଼ିଥିଲା । ମୃତ କାହ୍ନାଙ୍କ ବ୍ୟାଗରୁ ମଦ, ବିଡ଼ି, ବିଷ ପ୍ୟାକେଟ୍ ଏବଂ ଏକ ରଶି ଜବତ କରାଯାଇଛି । ସେ ଏକ ହାଫ୍ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧିଥିବା ବେଳେ ନାଳି ଉପରେ ପଡ଼ିଥିବା ପ୍ୟାଣ୍ଟ ଓ ଚପଲକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ପୁଲିସ ତାଙ୍କ ପ୍ୟାଣ୍ଟ ପକେଟରୁ ମୋବାଇଲ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ମୃତ କାହ୍ନାଙ୍କ ମାଆ ସିଧାସଳଖ ସାନଝିଅ ଏବଂ ବଡ଼ ଜ୍ୱାଇଁଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଜ୍ୱାଇଁ ତାଙ୍କ ପୁଅକୁ ଲୋକ ଲଗାଇ ହତ୍ୟା କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ପୁଲିସ ଉଭୟଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି । ଏହି ଘଟଣାରେ ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ରିର୍ପୋଟ ଏବଂ ଅନ୍ୟାନ ପ୍ରସଙ୍ଗକୁ ନେଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ, ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲିଥିବା ଏସ୍‌ଡିପିଓ ସୃଷ୍ଟି ପ୍ରଧାନ ସୂଚନା ଦେଇଛନ୍ତି ।

0
0
0
s2sdefault