ହେଡଲାଇନସ୍:

ଜଗତସିଂହପୁର ରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଜିଲ୍ଲାସ୍ତରୀୟ ଶୁଭାରମ୍ଭ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର, ତା ୧୨.୦୬.୨୬ ରିଖ : ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆଦି କବି ସାରଳା ଦାସ ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା।
ରାଜ୍ୟରେ କୌଣସି ବ୍ୟକ୍ତି ଯେପରି ଖାଦ୍ୟ ଅଭାବରୁ କଷ୍ଟ ନ ପାଆନ୍ତି, ସେଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏହି ଲକ୍ଷ୍ୟ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ କଲ୍ୟାଣକାରୀ "‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଗୁଡ଼ିକୁ ମୁଣ୍ଡ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ, ଯାହା ସେମାନଙ୍କ ଆର୍ଥିକ ବୋଝକୁ ଲାଘବ କରିବ। କୌଣସି ଶିଶୁ ଯେପରି ଅନ୍ନ ଅଭାବରୁ ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିପ୍ରତି ସରକାର ସମ୍ପୂର୍ଣ୍ଣ ସଜାଗ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି ଯୋଜନା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ, ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ ୫ କିଲୋ ଚାଉଳ ମିଳୁଥିବାବେଳେ, ଏବେ ରାଜ୍ୟ ସରକାର ମୁଣ୍ଡ ପିଛା ଅତିରିକ୍ତ ୫ କିଲୋ ପ୍ରଦାନ କରିବେ। ଫଳସ୍ୱରୂପ, ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସିକ ମୋଟ ୧୦ କିଲୋ ଚାଉଳ ମାଗଣାରେ ପାଇବେ। ଏହି ଯୋଜନାରେ ଜଗତସିଂହପୁର ଜିଲ୍ଲାରେ ୨୫୮୭୬୯ ପରିବାରର ମୋଟ ୮୭୪୪୯୩ ହିତାଧିକାରୀ ଉପକୃତ ହେବେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନ୍ୱୟରେ ଓଡ଼ିଶାର ପ୍ରାୟ ୩ କୋଟି ୨୮ ଲକ୍ଷ ୫୨ ହଜାର ହିତାଧିକାରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।
ଏହି କାର୍ଯକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ ତାଙ୍କ ବକ୍ତବ୍ୟରେ ସରକାରଙ୍କ ଏହି ଯୋଜନା କିପରି ଗରିବ ଲୋକଙ୍କ ଦାରିଦ୍ର୍ୟ ଦୂର କରିପାରୁଛି ଓ ବିକଶିତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ ବୋଲି କହିଥିଲେ । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ତାଙ୍କ ବକ୍ତବ୍ୟରେ ସରାକରଙ୍କ ବିକାଶମୂଳକ ଯୋଜନାରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଅବଗତ କରିଥିଲେ ।
ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନନୀୟ ଅତିଥି ଭାବେ ସଭାପତି, ଜିଲ୍ଲା ପରିଷଦ ଶ୍ରୀ ମନୋଜ କୁମାର ଭୋଇ, ଅଧ୍ଯକ୍ଷା,ପୌର ପରିଷଦ, ଜଗତସିଂହପୁର ଶ୍ରୀମତି ଅର୍ଚ୍ଚନା ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଗରିବ କଲ୍ୟାଣକାରୀ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯକ୍ରମରେ ମୁଖ୍ଯମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ୧୦ ଜଣ ହିତାଧିକାରୀଙ୍କୁ ଡମି ରାସନ କାର୍ଡ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ, ବୁଦ୍ଧିଜିବୀ , ଗଣମାଧ୍ଯମ ପ୍ରତିନିଧି ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଜିତ୍ରାୟ ଚରଣ ଟୁଡୁ ପ୍ରାରମ୍ଭିକ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

0
0
0
s2sdefault