ହେଡଲାଇନସ୍:

ସମବାୟରେ ଆର୍ଥିକ ଅନିୟମିତତା ଅଭିଯୋଗ:ତଦନ୍ତ ଦାବିରେ ଜମାଖାତାଧାରୀଙ୍କ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସମବାୟ ସମିତିରେ ଜମାଖାତାଧାରୀଙ୍କ ଖାତାରୁ ଅନିୟମିତ ଭାବେ ଋଣ ଉଠାଣ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବିରେ ଶୁକ୍ରବାର ଜମାଖାତାଧାରୀମାନେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସୂଚନା ଅନୁଯାୟୀ, ପୂର୍ବରୁ କିଛି ଜମାଖାତାଧାରୀଙ୍କ ନାମରେ ସେମାନଙ୍କ ଅଜାଣତରେ ଋଣ ଉଠାଣ ହୋଇଥିବା ଅଭିଯୋଗ ଆସିଥିଲା। ଏନେଇ ଶରଣକୁଳ ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ଟଙ୍କା ଫେରସ୍ତ କରାଯାଇଥିବା ଘଟଣା ପ୍ରକାଶକୁ ଆସିଥିଲା। ଏହାପରେ ଅନ୍ୟ ଜମାଖାତାଧାରୀଙ୍କ ଖାତାରେ ମଧ୍ୟ ସମାନ ଅନିୟମିତତା ଘଟିଥାଇପାରେ ବୋଲି ସନ୍ଦେହ ବଢ଼ିଥିଲା।
ଧାରଣାକାରୀଙ୍କ କହିବା ଅନୁସାରେ, ସେମାନଙ୍କ ଜମାଖାତା ପୁସ୍ତିକା ଋଣ ପରିଚାଳନା ନାମରେ ସମବାୟ ସମିତିରେ ରହିଛି । ଏଣୁ ତାହାକୁ ବ୍ୟବହାର କରି କୌଣସି ଅନିୟମିତ ଋଣ ଉଠାଣ ହୋଇଛି କି ନାହିଁ, ସେନେଇ ସେମାନେ ଅବଗତ ନାହାନ୍ତି। ତେଣୁ ସମସ୍ତ ଜମାଖାତାର ସ୍ୱତନ୍ତ୍ର ଯାଞ୍ଚ କରାଯାଇ ଖାତାଗୁଡ଼ିକ ତୁରନ୍ତ ଜମାକାରୀଙ୍କୁ ଫେରାଇବାକୁ ସେମାନେ ଦାବି କରିଥିଲେ। ଏଥିସହିତ, ଯଦି କୌଣସି ସମବାୟ କର୍ମକର୍ତ୍ତା କିମ୍ବା ବ୍ୟାଙ୍କ କର୍ମଚାରୀ ଏହି ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ପ୍ରମାଣିତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି କରାଯାଇଥିଲା। ଧାରଣା ସ୍ଥଳରେ ନୟାଗଡ଼ ଡିଆରସିଏସ୍ ଅନନ୍ତ ଚରଣ ନାୟକ ପହଞ୍ଚି ଘଟଣାର ସ୍ୱତନ୍ତ୍ର ଓ ନିରପେକ୍ଷ ତଦନ୍ତ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ। ଏହାପରେ ଜମାଖାତାଧାରୀମାନେ ସାମୟିକ ଭାବେ ଧାରଣା ସ୍ଥଗିତ ରଖିଥିଲେ। ସମବାୟ ସମିତିରେ ଘଟିଥିବା ଏହି ଅଭିଯୋଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ, ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଲାଗିରହିଛି।

0
0
0
s2sdefault