ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ଷଷ୍ଠ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ସଫଳତାର ସହ ଅନୁଷ୍ଠିତ ହୋଇଥିବା ବେଳେ ବର୍ଷା ଯୋଗୁଁ ତୃତୀୟ ମ୍ୟାଚ୍ ବାତିଲ ହୋଇଛି। ଅନୁଷ୍ଠାନର ସମ୍ପାଦକ ତଥା କ୍ରୀଡ଼ା ସଂଗଠକ ଦିବାକର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ମ୍ୟାଚ୍ ପରିଚାଳିତ ହୋଇଥିଲା। ପ୍ରଥମ ମ୍ୟାଚ୍ରେ ବିଷ୍ଟ ଇଲେଭେନ୍ ନିର୍ଦ୍ଧାରିତ ୧୦ ଓଭରରେ ୬ ଉଇକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା। ଜବାବରେ ବ୍ଲାକ୍ ହଣ୍ଟର ଦଳ ୯.୨ ଓଭରରେ ମାତ୍ର ୫୯ ରନ୍ରେ ସୀମିତ ରହି ପରାଜୟ ବରଣ କରିଥିଲା। ବିଜୟୀ ଦଳର ଶିବୁଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦ୍ୱିତୀୟ ମ୍ୟାଚ୍ରେ ଆଇକନ ଷ୍ଟାର୍ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୭ ଉଇକେଟ୍ ବିନିମୟରେ ୧୦୭ ରନ୍ ସଂଗ୍ରହ କରିଥିଲା। ୧୦୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଡୋମିନେଟିକ୍ ଫ୍ରେଣ୍ଡସ୍ ଦଳ ୧୦ ଓଭରରେ ୯ ଉଇକେଟ୍ ହରାଇ ୭୯ ରନ୍ କରିପାରିଥିଲା। ଫଳରେ ଆଇକନ ଷ୍ଟାର୍ ୨୮ ରନ୍ରେ ବିଜୟୀ ହୋଇଥିଲା। ଅମିତଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବେ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ, ଲିଜେଣ୍ଡ ଏମ୍ପୋରିଅର ଓ ବ୍ରଦର୍ସ ଇଲେଭେନ୍ ମଧ୍ୟରେ ହେବାକୁ ଥିବା ତୃତୀୟ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଏହି ମ୍ୟାଚ୍ଟି ଆସନ୍ତାକାଲି ସକାଳ ୭ଟାରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ପକ୍ଷରୁ ସୂଚନା ମିଳିଛି। କିସନ୍, ଦୀନନାଥ, ଚନ୍ଦନ, ସୌରଭ, ରାମେଶ୍ୱର, ଅଭିରାମ, ରାମନାଥ, ରାଜୁ ଓ ବାଦଲ ଆଜିର ଖେଳଗୁଡ଼ିକୁ ସୁପରିଚାଳନା କରିଥିଲେ।







