ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତର ଧଝୋଲା ଗ୍ରାମରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଲେ ଧଝୋଲା ଗ୍ରାମର ଚିଦାନନ୍ଦ ନାୟକ ଓରଫ ନକୁଳ ନାୟକ। ସୂଚନା ଅନୁସାରେ, ଗତ ମେ ୮ ତାରିଖ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିମନ୍ୟୁ ନାୟକଙ୍କୁ ନକୁଳ ନାୟକ, ବୁଲା ନାୟକ ଓ ବବୁଲ ବେହେରା ଗାଳିଗୁଲଜ କରୁଥିଲେ। ଏହି ସମୟରେ ଅଭିମନ୍ୟୁଙ୍କ ସ୍ତ୍ରୀ ରମା ନାୟକ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିବା ବେଳେ ନକୁଳ ନାୟକ ରମା ନାୟକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ରମା ନାୟକଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ମୁଣ୍ଡ ଫାଟିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ କେସ୍ ନମ୍ବର ୧୨୧/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଚାଲାଇଥିଲା। ତଦନ୍ତ ପରେ ଅଭିଯୁକ୍ତ ନକୁଳ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ନକୁଳ ନାୟକଙ୍କ ନାମରେ ଓଡ଼ଗାଁ ଥାନାରେ ପୂର୍ବରୁ ବାଡ଼ିଆପିଟା ସମେତ ଏକାଧିକ ଅପରାଧିକ ମାମଲା ରହିଛି। ତାଙ୍କ ବିରୋଧରେ ଅବକାରୀ ସମ୍ପର୍କିତ ମାମଲା ମଧ୍ୟ ଥିବା ଜଣାପଡ଼ିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ରାଜ୍ୟ
୭୦ ବର୍ଷୀୟା ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ, କୋର୍ଟ ଚାଲାଣ
- Hits: 51







