୩ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ଅତିରିକ୍ତ ମାଗଣା ଚାଉଳ
ଝାରସୁଗୁଡ଼ା: ରାଜ୍ୟର ପ୍ରତ୍ୟେକ ଗରିବ ଓ ଅଭାବୀ ପରିବାର ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ ଆଜି ଝାରସୁଗୁଡ଼ା ସ୍ଥାନୀୟ ଏମ.ସି.ଏଲ୍ ଅଡିଟରିୟମ ପରିସରରେ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଜିଲ୍ଲାବାସୀ ଓ ଅତିଥିବୃନ୍ଦ ଆଭାସି ମାଧ୍ୟମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଏହାପରେ ଜିଲ୍ଲାସ୍ତରୀୟ ଯୋଜନାର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ବିଭିନ୍ନ ଷ୍ଟଲ୍ ଗୁଡ଼ିକ ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଏହି ମହତ ଯୋଜନା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଗ୍ୟ ରେସନ କାର୍ଡଧାରୀଙ୍କୁ ସେମାନଙ୍କ ନିୟମିତ ପ୍ରାପ୍ୟ ବ୍ୟତୀତ, ମାସିକ ହିତାଧିକାରୀ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ବଣ୍ଟନ କରାଯିବ। ଚଳିତ ଏପ୍ରିଲ ମାସ ୨୦୨୬ ମସିହାରୁ ଏହି ଯୋଜନା ଲାଗୁ କରାଯାଇଥିବାରୁ, ହିତାଧିକାରୀମାନେ ଏକକାଳୀନ ଏପ୍ରିଲ, ମେ ଏବଂ ଜୁନ୍-୨୦୨୬ ଏହି ତିନି ମାସର କୋଟା ହିତାଧିକାରୀ ପିଛା ମାସିକ ୫ କିଲୋଗ୍ରାମ ହିସାବରେ ସର୍ବମୋଟ ୧୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ। ଏଥିପାଇଁ କୌଣସି ସ୍ୱତନ୍ତ୍ର ରେସନ କାର୍ଡର ଆବଶ୍ୟକତା ନାହିଁ, ଲୋକେ ନିଜର ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରୁ ଏହା ସଂଗ୍ରହ କରିପାରିବେ।
ଉତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ହିତାଧିକାରୀଙ୍କୁ ୨୦ ଟି ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏଥିସହ ମହିଳା ଏବଂ ଶିଶୁ ବିକାଶ ବିଭାଗର ‘ପୋଷଣ ଯୋଜନା’ ଅଧୀନରେ ମହିଳାମାନଙ୍କୁ ସଶକ୍ତ ଓ ଡିଜିଟାଲ୍ ଦୁନିଆ ସହ ଯୋଡ଼ିବା ପାଇଁ ୧୦ ଟି ସ୍ମାର୍ଟଫୋନ୍ ପ୍ରଦାନ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ, ଆମ ଜିଲ୍ଲାର ତଥ୍ୟକୁ ଦେଖିବା, ତେବେ ସମଗ୍ର ଜିଲ୍ଲାରେ ସର୍ବମୋଟ ୧୪୬ ଟି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର କାର୍ଯ୍ୟ କରୁଛି । ଆମ ଜିଲ୍ଲାରେ ଏହି ଯୋଜନା ଦ୍ଵାରା-
-ଅଗ୍ରାଧିକାର ବର୍ଗ ବା ପି ଏଚ୍ ଏଚ ର ୧,୧୦,୧୫୦ ଟି ରାସନ କାର୍ଡ ଏବଂ ୩,୬୨,୨୨୬ ଜଣ ହିତାଧିକାରୀ
-ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୮,୩୭୬ ଟି ରାସନ କାର୍ଡ ଏବଂ ୨୦,୮୩୬ ଜଣ ହିତାଧିକାରୀ, ଏବଂ
-ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୨୮୨୦ ଟି ରେସନ କାର୍ଡ ଏବଂ ୫,୩୭୭ ଜଣ ହିତାଧିକାରୀ ଉପକୃତ ହେବେ ।
ସର୍ବମୋଟ ଭାବେ ଆମ ଜିଲ୍ଲାର ୧,୨୧,୩୪୬ ଟି ରେସନ କାର୍ଡଧାରୀ ପରିବାରର ୩,୮୮,୪୭୯ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ଏବଂ ଏଥିପାଇଁ ମାସିକ କୁଇଣ୍ଟାଲରେ ସର୍ବମୋଟ ୨୧,୩୧,୩୭୫ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯିବ । ଏହି ଗରିବ କଲ୍ୟାଣକାରୀ ଯୋଜନା ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ଅଭାବୀ ପରିବାର ପାଖରେ ଖାଦ୍ୟ ସୁରକ୍ଷା ପହଞ୍ଚାଇବାରେ ଏକ ବଳିଷ୍ଠ ମାଇଲଖୁଣ୍ଟ ସଦୃଶ ହେବ।
ଵରଗଡ଼ର ମାନ୍ୟବର ସାଂସଦ ପ୍ରଦୀପ ପୁରୋହିତ କହିଥିଲେ ଯେ, "ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ଓଡ଼ିଶାର ପ୍ରଗତି ପାଇଁ ଏକ ସ୍ପଷ୍ଟ ଲକ୍ଷ୍ୟ ଏବଂ ସେହି ଲକ୍ଷ୍ୟ ହାସଲ କରିବା ପାଇଁ ରୋଡମ୍ୟାପ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ଗତ ୨ ବର୍ଷ ମଧ୍ୟରେ ସରକାର ପ୍ରାୟ ୧୨୧ ଟି ନୂଆ ଯୋଜନା, କାର୍ଯ୍ୟକ୍ରମ ଏବଂ ଯୁଗାନ୍ତକାରୀ ପଦକ୍ଷେପ ଘୋଷଣା କରିଛନ୍ତି, ଯାହା ପ୍ରତିଟି ଓଡ଼ିଆଙ୍କ ଅଗ୍ରଗତିକୁ ତ୍ୱରାନ୍ୱିତ କରୁଛି ଏବଂ ଓଡ଼ିଶାକୁ ଏକ 'ସମୃଦ୍ଧ ଓଡ଼ିଶା' ଗଠନର ଅତି ନିକଟତର କରୁଛି।"
ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, "ଆମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଆମର ପ୍ରାଥମିକତା। ମଙ୍ଗଳ ବଜାର ସାଟେଲାଇଟ ହସ୍ପିଟାଲର ଆଧୁନିକୀକରଣ ହେଉ କିମ୍ବା ଜିଲ୍ଲାରେ 'ଗ୍ରେନ୍ ଏଟିଏମ୍' ର ପ୍ରତିଷ୍ଠା—ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଝାରସୁଗୁଡ଼ା ଆଜି ଏକ ନୂତନ ଗୌରବର ଅଧ୍ୟାୟ ରଚନା କରୁଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଜିଲ୍ଲାର କୌଣସି ଗରିବ ପରିବାରକୁ ଭୋକିଲା ରହିବାକୁ ଦେବ ନାହିଁ।"
ଏହି ଜିଲ୍ଲାସ୍ତରୀୟ ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ମାନ୍ୟବର ଅଧ୍ୟକ୍ଷ ସାମଲ ନାୟକ, ଜିଲ୍ଲା ପରିଷଦର ସଭାନେତ୍ରୀ ତୁଳାବତୀ ମିଞ୍ଜ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିସହ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦୁର୍ଗା ଚରଣ ବେଶ୍ରା ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ସଫଳ କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ କୃଷ୍ଣାକେଶୀ ବଳିୟାରସିଂହ ପରିଚାଳନା କରିଥିଲେ।







