ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ସାକାର କରି ସ୍ଥାନୀୟ ହୃଦରୋଗ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି ହୋଇଥିବା ବେଳେ, ହସ୍ପିଟାଲ ସ୍ଥାପନାର ଶ୍ରେୟ ନେଇ ଚାଲିଥିବା ରାଜନୈତିକ ବିବାଦକୁ ବିଜେଡି କଡ଼ା ଭାବେ ସମାଲୋଚନା କରିଛି।
ସରବାହାଲ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ା ହୃଦରୋଗ ହସ୍ପିଟାଲ ପ୍ରକଳ୍ପର ମୂଳ ରୂପକାର ହେଲେ ସ୍ୱର୍ଗତ ନବ କିଶୋର ଦାସ। ଏହି ପ୍ରକଳ୍ପ ପାଇଁ ସେ ଦୀର୍ଘ ବର୍ଷ ଧରି ଉଦ୍ୟମ କରିଥିଲେ ଏବଂ ବିଭିନ୍ନ ସରକାରୀ ସ୍ତରରେ ନିରନ୍ତର ପ୍ରୟାସ ଜାରି ରଖିଥିଲେ।
ଦଳ ପକ୍ଷରୁ ଉପସ୍ଥାପିତ ଦସ୍ତାବେଜ ଅନୁଯାୟୀ, ୨ ମେ ୨୦୧୩ରେ ନବ ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଝାରସୁଗୁଡ଼ାରେ ଏକ ହୃଦରୋଗ ହସ୍ପିଟାଲ ସ୍ଥାପନ ପାଇଁ ଦାବି କରିଥିଲେ। ପରବର୍ତ୍ତୀ ସମୟରେ ୬ ଅଗଷ୍ଟ ୨୦୧୩ରେ ଜିଲ୍ଲାପାଳଙ୍କୁ ଜମି ଅଧିଗ୍ରହଣ ସମ୍ପର୍କିତ ପ୍ରସ୍ତାବ ଓ ମାନଚିତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ସରକାର ପକ୍ଷରୁ ୪ ଏକର ଜମି ଯୋଗାଇ ଦିଆଯାଇଥିଲା।
୬ ଅକ୍ଟୋବର ୨୦୧୩ରେ ଆୟୋଜିତ ପ୍ରଥମ ଆରପିଡିଏସି ବୈଠକରେ ଏମସିଏଲର ସହଯୋଗରେ ପ୍ରକଳ୍ପ ଆଗେଇ ନେବାକୁ ନିଷ୍ପତ୍ତି ହୋଇଥିଲା। ୭ ଫେବ୍ରୁଆରୀ ୨୦୧୪ରେ ଏମସିଏଲ ପ୍ରଥମ ପର୍ଯ୍ୟାୟ ପାଇଁ ୩୦ କୋଟି ଟଙ୍କା ମଞ୍ଜୁର କରିଥିଲା। ପରେ ନବ ଦାସଙ୍କ ଉଦ୍ୟମରେ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସହ ଆଲୋଚନା ପରେ ଏହି ଅନୁଦାନ ରାଶି ୭୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା।
୧୫ ଅକ୍ଟୋବର ୨୦୧୪ରେ ତତ୍କାଳୀନ ବରଗଡ଼ ସାଂସଦ ପ୍ରଭାସ ସିଂହ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ପ୍ରକଳ୍ପର ଭୂମିପୂଜା ହୋଇଥିଲା। ୨୦୧୯ ପରେ ମଧ୍ୟ ନବ ଦାସ ଏବଂ ପରବର୍ତ୍ତୀ ସମୟରେ ବିଧାୟିକା ଦୀପାଳି ଦାସ ଏହି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିରନ୍ତର ଉଦ୍ୟମ କରିଥିଲେ।
୨୨ ଫେବ୍ରୁଆରୀ ୨୦୨୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହସ୍ପିଟାଲର ଆନୁଷ୍ଠାନିକ ଉଦ୍ଘାଟନ କରାଯାଇଥିଲା। ବର୍ତ୍ତମାନ ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ଏହାର ଶ୍ରେୟକୁ ନେଇ ଚାଲିଥିବା ରାଜନୀତି ଅନୁଚିତ ବୋଲି ବିଜେଡି ନେତୃବୃନ୍ଦ ମତ ପ୍ରକାଶ କରିଛନ୍ତି।
ପ୍ରେସ୍ ମିଟ୍ରେ ବିଜେଡି ଟାଉନ ସଭାପତି ସନ୍ଦୀପ ଅବସ୍ତି, ଜିଲ୍ଲା ଉପସଭାପତି ରଘୁମଣି ପଟେଲ, ଝାରସୁଗୁଡ଼ା ବ୍ଲକ ଅଧ୍ୟକ୍ଷା ଚିତ୍ରାଣୀ ପଟେଲ, ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଜିଲ୍ଲା ସମ୍ପାଦକ ପବନ ସିଂ ଯାଦବଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟସେବା ପରି ଏକ ଜନହିତକର ପ୍ରକଳ୍ପକୁ ନେଇ ଶ୍ରେୟ ରାଜନୀତି ନକରି ଏହାର ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ ସେମାନେ ଆହ୍ୱାନ ଜଣାଇଥିଲେ।







