ହେଡଲାଇନସ୍:

କଲେଜ ଆଗରେ ଭୁଜାଲି ଧରି ଯୁବତୀଙ୍କୁ ଧମକ,ଅଭିଯୁକ୍ତ ଅଟକ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୦୬,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ଥାନା ଅନ୍ତର୍ଗତ ଡେରାବିଶ କଲେଜ ସମ୍ମୁଖରେ ଆଜି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକ ଭୁଜାଲି ଧରି ଜଣେ ଯୁବତୀଙ୍କୁ ଧମକ ଦେଇଥିବା ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଅଞ୍ଚଳରେ ଆତଙ୍କ ଓ ଚର୍ଚ୍ଚାର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଡେରାବିଶ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଦୁଇ ଜଣ ଯୁବତୀ କଲେଜ ଗେଟ୍ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତ ଯୁବକ ସେଠାରେ ପହଞ୍ଚିଥିଲେ। ଏହାପରେ ସେ ଭୁଜାଲି ଦେଖାଇ ଯୁବତୀଙ୍କୁ ଭୟଭୀତ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଥିବା କିଛି ଲୋକ ଏହାର ଭିଡିଓ ରେକର୍ଡ କରିଥିଲେ, ଯାହା ପରେ ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହି ଘଟଣା ଏକତରଫା ପ୍ରେମ ସମ୍ପର୍କିତ ବିବାଦକୁ କେନ୍ଦ୍ର କରି ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ ଏବଂ ତଦନ୍ତ ଜାରି ରହିଛି। ଘଟଣା ପରେ ଯୁବତୀଙ୍କ ପରିବାର ପକ୍ଷରୁ ପୋଲିସ ନିକଟରେ ଅଭିଯୋଗ କରାଯାଇଥିବା ସୂଚନା ମିଳିଥିବା ବେଳେ ଡେରାବିଶ ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେରା କରୁଛି। ପୋଲିସ କହିଛି ଯେ, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ।
ଦିନ ଦ୍ୱିପ୍ରହରରେ କଲେଜ ସମ୍ମୁଖରେ ଘଟିଥିବା ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ସହ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

0
0
0
s2sdefault