ହେଡଲାଇନସ୍:

ମାଥିଲି ବ୍ଲକରେ ପୁଣି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ବ୍ୟବସ୍ଥା ନେଇ ଆଶଙ୍କା, ଶିକ୍ଷା ପ୍ରଶାସନ ପ୍ରଭାବିତ ହେବାର ସମ୍ଭାବନା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ଥାୟୀ BEO ନିଯୁକ୍ତି ପର୍ଯ୍ୟନ୍ତ ବର୍ତ୍ତମାନର କାର୍ଯ୍ୟରତ BEOଙ୍କୁ ଅବ୍ୟାହତ ରଖିବାକୁ ଦାବି।


ମାଲକାନଗିରି, ୬/୬(ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲାର ସର୍ବବୃହତ ମାଥିଲି ବ୍ଲକରେ ନୂତନ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ (BEO) ଯୋଗଦାନ ନ କରିବା ପର୍ଯ୍ୟନ୍ତ ବର୍ତ୍ତମାନର BEOଙ୍କୁ ଅବ୍ୟାହତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ବ୍ଲକର ଶିକ୍ଷା ପ୍ରଶାସନର ସୁଚାରୁ ପରିଚାଳନା ଏବଂ ପ୍ରଶାସନିକ ନିରନ୍ତରତା ବଜାୟ ରଖିବା ଦୃଷ୍ଟିରୁ ଏହି ଦାବି ଉଠିଛି।
ମାଥିଲି ବ୍ଲକ ଅଧୀନରେ ୨୦ଟି ଗ୍ରାମ ପଞ୍ଚାୟତ, ୨୩୦ଟି ବିଦ୍ୟାଳୟ ଏବଂ ଶତାଧିକ ଶିକ୍ଷକ କାର୍ଯ୍ୟରତ ଥିବାବେଳେ ଏହା ଜିଲ୍ଲାର ଏକ ବୃହତ ଶିକ୍ଷା ପ୍ରଶାସନିକ କ୍ଷେତ୍ର ଭାବେ ପରିଚିତ। ବ୍ଲକ ଶିକ୍ଷା କାର୍ଯ୍ୟାଳୟ ମାଧ୍ୟମରେ ଦରମା ପ୍ରଦାନ, ପେନସନ ମାମଲା ନିଷ୍ପତ୍ତି, ବିଦ୍ୟାଳୟ ପରିଦର୍ଶନ, ଶିକ୍ଷାର ଗୁଣାତ୍ମକ ଉନ୍ନତି ଏବଂ ବିଭିନ୍ନ ସରକାରୀ ଯୋଜନାର ରୂପାୟନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହୋଇଥାଏ।
ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ମାଥିଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଭାରପ୍ରାପ୍ତ (In-charge) ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେଉଥିବା ସମୟରେ ଅନେକ ଫାଇଲ ଓ ପ୍ରଶାସନିକ କାର୍ଯ୍ୟ ଦୀର୍ଘ ସମୟ ଧରି ଅମିମାଂସିତ ହୋଇ ରହୁଥିଲା। ବିଭିନ୍ନ ରେଜିଷ୍ଟର ଓ ଗୁରୁତ୍ୱପୂର୍ଣ୍ଣ ଫାଇଲ ଅନୁମୋଦନ ପାଇଁ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବାରମ୍ବାର ଯାତାୟାତ କରିବାକୁ ପଡୁଥିଲା, ଯାହା ଫଳରେ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ଘଟୁଥିଲା।
ଅନ୍ୟପକ୍ଷରେ, ବର୍ତ୍ତମାନ କାର୍ଯ୍ୟରତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟାଳୟର କାର୍ଯ୍ୟ ସମୟାନୁବର୍ତ୍ତୀ ଭାବେ ସମ୍ପାଦିତ ହେଉଥିବା ଜଣାପଡ଼ିଛି। ଅବସରପ୍ରାପ୍ତ ଶିକ୍ଷକମାନେ ଅବସର ସମୟରେ ପେନସନ ସମ୍ବନ୍ଧୀୟ ସୁବିଧା ପାଉଥିବାବେଳେ ଦରମା, ସେବା ସମ୍ବନ୍ଧୀୟ ଫାଇଲ ନିଷ୍ପତ୍ତି, ବିଦ୍ୟାଳୟ ପରିଦର୍ଶନ ଏବଂ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ ନିୟମିତ ଭାବେ ସମ୍ପନ୍ନ ହେଉଛି।
ବର୍ତ୍ତମାନର BEOଙ୍କ ବଦଳି ଆଦେଶ ଜାରି ହୋଇଥିଲେ ମଧ୍ୟ ତାଙ୍କ ସ୍ଥାନରେ କୌଣସି ସ୍ଥାୟୀ ଅଧିକାରୀ ଯୋଗଦାନ କରିନାହାନ୍ତି। ଏପରି ପରିସ୍ଥିତିରେ ପୁଣି ଥରେ ଭାରପ୍ରାପ୍ତ ଅଧିକାରୀ ବ୍ୟବସ୍ଥା ଲାଗୁ ହେଲେ ପୂର୍ବରୁ ଦେଖାଦେଇଥିବା ସମସ୍ୟାର ପୁନରାବୃତ୍ତି ହେବା ସହ ଶିକ୍ଷା ପ୍ରଶାସନର ଗତି ମନ୍ଥର ହେବାର ଆଶଙ୍କା ପ୍ରକାଶ ପାଉଛି।
ଏହି ପରିପ୍ରେକ୍ଷୀରେ ନୂତନ ସ୍ଥାୟୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗଦାନ କରିବା ପର୍ଯ୍ୟନ୍ତ ବର୍ତ୍ତମାନର BEOଙ୍କୁ ଅବ୍ୟାହତ ରଖିବାକୁ ଦାବି ହୋଇଛି। ଏହାଦ୍ୱାରା ମାଥିଲି ବ୍ଲକର ଶିକ୍ଷା ପ୍ରଶାସନରେ ନିରନ୍ତରତା ବଜାୟ ରହିବ ଏବଂ ଚାଲୁଥିବା ବିକାଶମୂଳକ ଓ ପ୍ରଶାସନିକ କାର୍ଯ୍ୟଗୁଡ଼ିକ ବାଧାପ୍ରାପ୍ତ ହେବ ନାହିଁ ବୋଲି ମାଥିଲି ବୁଦ୍ଧିଜୀବୀ ମୋହଲରେ।

0
0
0
s2sdefault