ହେଡଲାଇନସ୍:

ଭି. ସି ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ ଉପରେ ତାଲିମ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜିଲ୍ଲାର ୪ ହଜାରରୁ ଉର୍ଦ୍ଧ କ୍ଷେତ୍ର କର୍ମଚାରୀ ସାମିଲ ।

କେନ୍ଦ୍ରାପଡ଼ା:୦୬.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ତତ୍ତ୍ୱାବଧାନରେ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡ଼ାର ମିଳିତ ଆନୁକୂଳ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ବୃହତ୍ ଭର୍ଚୁଆଲ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର ୧୫୩୬ ଜଣ ଆଶା କର୍ମୀ, ୨୧୪୭ ଜଣ ଅଙ୍ଗନବାଡ଼ି କର୍ମୀ, ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ- ୨୬୯ ଜଣ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ -୧୮୦ ସମେତ ୪୧୩୨ ରୁ ଅଧିକ କ୍ଷେତ୍ର କର୍ମଚାରୀ ଏହି ତାଲିମରେ ଅଂଶଗ୍ରହଣ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡ଼ା.ନମିତା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ଆୟର କହିଥିଲେ ଯେ, ଶିକ୍ଷା ବିଭାଗର ସ୍ମାର୍ଟ କ୍ଲାସ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଏକାସାଙ୍ଗରେ ହଜାର ହଜାର କ୍ଷେତ୍ର କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବା ଏକ ଅଭିନବ ପଦକ୍ଷେପ। ଏହା ମାଧ୍ୟମରେ ମାତୃ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି, ମାତୃ ମୃତ୍ୟୁ ହାର ହ୍ରାସ ଓ ସମାଜରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ବୃଦ୍ଧି ପାଇବ ବୋଲି ସେ ମତ ପ୍ରକାଶ କରିଥିଲେ।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ (ମାତୃ ସ୍ୱାସ୍ଥ୍ୟ) ଡ଼ଃ ମୁରଲୀଧର ପାଢ଼ୀ, କନସଲଟାଣ୍ଟ ସୌମ୍ୟାଶ୍ରୀ ମହାପାତ୍ର ଏବଂ ଡ଼ଃ ଶ୍ରାବଣୀ ଦାସ (PCPNDT) ମାତୃ ମୃତ୍ୟୁ ରୋକିବା, ଗର୍ଭବତୀ ମହିଳାଙ୍କ ପଞ୍ଜୀକରଣ, ପ୍ରସୂତି ପୂର୍ବ ଓ ପରବର୍ତ୍ତୀ ଯତ୍ନ, ସୁରକ୍ଷିତ ପ୍ରସବ, ପରିବାର ନିୟୋଜନ, ପୁଷ୍ଟିକର ଖାଦ୍ୟ ଓ ଲିଙ୍ଗ ନିରୂପଣ ନିରୋଧ ଆଇନ ସମ୍ପର୍କରେ ବିସ୍ତୃତ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଏହି ତାଲିମ ପରେ କ୍ଷେତ୍ର କର୍ମଚାରୀଙ୍କ ଦକ୍ଷତାର ମୂଲ୍ୟାଙ୍କନ କରାଯିବ ବୋଲି ସୂଚନା ଦେଇଥିଲେ। ରାଜ୍ୟସ୍ତରର ଅଧିକାରୀମାନେ କେନ୍ଦ୍ରାପଡ଼ାର ଏହି ଅଭିନବ ଓ ବୃହତ୍ ତାଲିମ ପଦକ୍ଷେପକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ ଓ ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ା ପରିଚାଳନା କରିଥିଲେ l ଡେପୁଟି ମ୍ୟାନେଜର ଡ଼ଃ ସୁକାନ୍ତ କୁମାର ପ୍ରଧାନ ତାଲିମ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଜିଲ୍ଲା ସ୍ତରରୁ ସମସ୍ତ ନୋଡାଲ ଅଫିସର ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ ଷ୍ଟାଫ ଆଦି ତଦାରଖ କରିଥିଲେ l ଆଜି ୧୦୦ ରୁ ଉର୍ଦ୍ଧ୍ବ ସ୍ମାର୍ଟ କ୍ଲାସରେ ତାଲିମ ପ୍ରଦାନ କରାଯାଇଥିଲା l ଆଗାମୀ ଜୁନ ୮ ତାରିଖରେ ଶିଶୁ ସ୍ୱାସ୍ଥ୍ୟ ( ଶିଶୁ ମୃତ୍ୟୁ ଏବଂ ମୃତ ଶିଶୁ ଜାତ)ଏବଂ ୧୧ ତାରିଖରେ "ଅମ୍ଳାନ" କାର୍ଯ୍ୟକ୍ରମ ଉପରେ ଭର୍ଚୁଆଲ୍ ମାଧ୍ୟମରେ ତାଲିମ ଦିଆଯିବ l ଶେଷରେ ଡିପିଏମ୍ ଡ଼.ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault