ହେଡଲାଇନସ୍:

ଓଡ଼ିଶା ମେଟାଲିକ୍ସ ବିରୋଧରେ ନୂଆ ଅଭିଯୋଗ, ସ୍ୱଚ୍ଛ ତଦନ୍ତ ଦାବିରେ ଜନପ୍ରତିନିଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଅଞ୍ଚଳରେ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍‌ ଦ୍ୱାରା କଥିତ ବେଆଇନ ଗଭୀର ନଳକୂପ ଓ ଇନ୍‌ଟେକ୍ ୱେଲ୍‌ ନିର୍ମାଣକୁ ନେଇ ବିବାଦ ତୀବ୍ର ହୋଇଛି। ଏହି ପ୍ରସଙ୍ଗରେ ଗଠିତ ଜନପ୍ରତିନିଧି କମିଟିର ସଦସ୍ୟମାନଙ୍କୁ ତଦନ୍ତ ପ୍ରକ୍ରିୟାରୁ ଦୂରେଇ ରଖାଯାଇଥିବା ଅଭିଯୋଗ ଆଣି କମିଟି ପକ୍ଷରୁ ଶନିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଅନୁସାରେ, ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମରାକୁଟା ସରପଞ୍ଚ ଲିଲି ତନ୍ତୀଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ ଏକ ପ୍ରତିନିଧି ଦଳ ଗଠନ କରାଯାଇଥିଲା। କମ୍ପାନୀ ପରିସରରେ ଥିବା କଥିତ ବେଆଇନ ଗଭୀର ନଳକୂପଗୁଡ଼ିକର ଅନୁଧ୍ୟାନ ପାଇଁ ଏହି ଦଳକୁ ଅନୁମତି ମଧ୍ୟ ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ମିଳିତ ତଦନ୍ତ ସମୟରେ ୧୩ଟି ବେଆଇନ ଗଭୀର ନଳକୂପ ଚିହ୍ନଟ ହୋଇଥିବା କମିଟି ପକ୍ଷରୁ ଦାବି କରାଯାଇଛି।

ମାତ୍ର ଗତ ୫ ଜୁନରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ବେଳେ ଜଳସେଚନ ବିଭାଗର ଅଧିକାରୀ ଏବଂ କମ୍ପାନୀ କର୍ତ୍ତୃପକ୍ଷ କମିଟି ସଦସ୍ୟମାନଙ୍କୁ କମ୍ପାନୀ ପରିସରକୁ ପ୍ରବେଶ କରିବାକୁ ବାରଣ କରିଥିବା ଅଭିଯୋଗ ହୋଇଛି। ଏହା ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ନିରପେକ୍ଷ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବୋଲି କମିଟି ଅଭିଯୋଗ କରିଛି।

କମିଟି ପକ୍ଷରୁ ଦାଖଲ ହୋଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶା ମେଟାଲିକ୍ସ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକମାନେ ଚାଷଜମି ଓ ବାସଭୂମି ହରାଇଥିବାବେଳେ କମ୍ପାନୀ ବିରୋଧରେ ଜଙ୍ଗଲ ଜମି ଦଖଲ, ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତିରେ ଅବହେଳା ଏବଂ ଅନ୍ୟାନ୍ୟ ଅନିୟମିତତା ସମ୍ପର୍କିତ ଅଭିଯୋଗ ପୂର୍ବରୁ ମଧ୍ୟ ଉଠିଆସିଛି। ବେଆଇନ ଗଭୀର ନଳକୂପ ମାଧ୍ୟମରେ ଭୂତଳ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ମରାକୁଟା, ଜମେରା ଏବଂ ବ୍ରଜରାଜନଗର ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।

ଏହି ପ୍ରସଙ୍ଗରେ ମରାକୁଟା ସରପଞ୍ଚ ଲିଲି ତନ୍ତୀ, ଜିଲ୍ଲା ପରିଷଦ ସଦସ୍ୟ ଦିଗାମ୍ବର ଭୋଇ, ଝରଣା ସାଗର, କାଉନ୍ସିଲର ଦ୍ରୌପଦୀ ମେହେର, ସତ୍ୟପ୍ରକାଶ ସାହୁ, ଟିକେଶ୍ୱରୀ ପ୍ରଧାନ, କ୍ଷମାଶୀଳ ସାହୁ, ନୃପଲାଲ ମେହେର ଏବଂ ରାଜକୁମାର ବୁଡ଼ା ପ୍ରମୁଖ ସରକାରୀ ଅଧିକାରୀଙ୍କ ଭୂମିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଦାବିପତ୍ରରେ ଆଗାମୀ ସାତ ଦିନ ମଧ୍ୟରେ କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ସ୍ୱଚ୍ଛ ଓ ନିରପେକ୍ଷ ମିଳିତ ଅନୁଧ୍ୟାନ କରାଯିବାକୁ ଦାବି କରାଯାଇଛି। ଏହା ନହେଲେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳୀନ ଗଣଧାରଣା ଆରମ୍ଭ କରାଯିବ ବୋଲି କମିଟି ପକ୍ଷରୁ ସତର୍କ କରାଯାଇଛି।

ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ସନ୍ତୋଷିନୀ ସେଠୀ କହିଛନ୍ତି ଯେ, ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦାଖଲ କରାଯିବ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ, ଏହି ଅଭିଯୋଗ ସମ୍ପର୍କରେ ଓଡ଼ିଶା ମେଟାଲିକ୍ସର ବରିଷ୍ଠ ଅଧିକାରୀ ଅଜିତ ସିଂହଙ୍କ ପ୍ରତିକ୍ରିୟା ମିଳିପାରିନଥିଲା।

0
0
0
s2sdefault