ବଳଙ୍ଗା, ପୁରୀ, ୪/୬ : ଗରିବ ଓ ଭୂମିହୀନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଘୋଷଣା ହେଉଥିବା ବେଳେ, ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ଭରତ ଦାସଙ୍କ ଜୀବନ କାହାଣୀ ସେହି ଯୋଜନାଗୁଡ଼ିକର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ବୟସର ଅପରାହ୍ନ ରେ ବାସ କୁଡ଼ିଆ ଟିଏ ସାତ ସପନ ପାଲଟିଛି ବୃଦ୍ଧ ଦମ୍ପତିଙ୍କ ପାଇଁ । କେନାଲ କୁଳ ରେ ପଲିଥିନ୍ ତଳେ କାଟୁଛି ଦମ୍ପତି ଙ୍କ ଜୀବନ ।
ପ୍ରାୟ ୬୫ ବର୍ଷ ତଳେ ବୋଲଗଡ଼ ଅଞ୍ଚଳରୁ ବାପା ବଳଭଦ୍ର ଦାସଙ୍କ ସହ ବଳଙ୍ଗା ଅଞ୍ଚଳର ବେରବୋଇ ଗ୍ରାମକୁ ଆସିଥିବା ଭରତ ଗ୍ରାମ ର ମଠ ଜମି ରେ ରହିଆସୁଥିଲେ । ବାପାଙ୍କ ମୃତ୍ୟୁ ପରେ ସେହି ସ୍ଥାନ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପରେ ସ୍ତ୍ରୀ ଓ ଏକମାତ୍ର ପୁଅଙ୍କୁ ନେଇ ନିକଟସ୍ଥ କେନାଲ ବନ୍ଧ ତଳେ ଜଙ୍ଗଲ ମଧ୍ୟରେ ଏକ ଜରି କୁଡ଼ିଆ ତିଆରି କରି ରହିଆସୁଛନ୍ତି । ଦୁର୍ବଳ ଆର୍ଥିକ ସ୍ଥିତି ଓ ପାରିବାରିକ ଦୁଃଖ ମଧ୍ୟରେ ପ୍ରାୟ ୧୫ ବର୍ଷ ତଳେ ତାଙ୍କର ୨୨ ବର୍ଷୀୟ ଭେଣ୍ଡିଆ ପୁଅ ମାନସିକ ଭାରସାମ୍ୟ ହରାଇ ପ୍ରାଣ ହରାଇଥିଲେ। ସେହି ଘଟଣା ପରଠାରୁ ଦମ୍ପତିଙ୍କ ଜୀବନରେ ଅନ୍ଧକାର ଖେଳି ଯାଇଛି।
ବର୍ତ୍ତମାନ ଭରତ ସାଇଟିକା ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଦୀର୍ଘଦିନ ଧରି ଅସୁସ୍ଥ। ଜୀବିକା ନିର୍ବାହ ପାଇଁ କରୁଥିବା ସେଲୁନ ବ୍ୟବସାୟ ମଧ୍ୟ ଶାରୀରିକ ଅସମର୍ଥତା ଯୋଗୁ ବନ୍ଦ ହୋଇଯାଇଛି। ଫଳରେ ଦମ୍ପତିଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ସୁରକ୍ଷା ଯୋଜନାର ୧୦ କେଜି ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତାର ଏକ ହଜାର ଟଙ୍କା ଉପରେ ନିର୍ଭରଶୀଳ।
ଭୂମିହୀନଙ୍କ ପାଇଁ ସରକାରଙ୍କ ଜମି ପ୍ରଦାନ ଯୋଜନାରେ ଜମି ଖଣ୍ଡିଏ ପାଇବା ଆଶାରେ ଭରତ ଜିଲ୍ଲାପାଳ, ତହସିଲଦାର ଓ ବ୍ଲକ କାର୍ଯ୍ୟାଳୟକୁ ଅନେକ ଥର ଦରଖାସ୍ତ ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ପାଇନାହାନ୍ତି। ନିଜସ୍ୱ ଜମି ନଥିବାରୁ ସେ ଆବାସ ଯୋଜନା, ବିଜୁଳି ସଂଯୋଗ ଓ ପିଇବା ପାଣି ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ରହିଛନ୍ତି।
ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ଭରତଙ୍କ ଚିନ୍ତା ଆହୁରି ବଢ଼ିଯାଇଛି। ପ୍ରବଳ ବର୍ଷା ଓ ପବନରେ ବାରମ୍ବାର ଜରି କୁଡ଼ିଆ ଉଡ଼ିଯାଉଥିବାରୁ ଅସୁସ୍ଥ ସ୍ତ୍ରୀଙ୍କୁ ନେଇ କେଉଁଠି ଆଶ୍ରୟ ନେବେ ସେନେଇ ସେ ଚିନ୍ତିତ। କୋହଭରା କଣ୍ଠରେ ଭରତ କହିଛନ୍ତି, “ଏକମାତ୍ର ପୁଅକୁ ହରାଇବା ପରେ ଜୀବନରେ ଆଉ କିଛି ନାହିଁ। ଏବେ କେବଳ ଦୁଇ ମୁଠା ଖାଇବା ଓ ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ସ୍ଥାନର ଆଶା ରହିଛି।”
ଏହି ଅସହାୟ ଦମ୍ପତିଙ୍କୁ ତୁରନ୍ତ ଜମି, ଆବାସ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।







