କେନ୍ଦ୍ରାପଡ଼ା:୦୫,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରୟାସ ଏବଂ ଜିଲ୍ଲା ପ୍ରଶାସନ (କ୍ରୀଡ଼ା ବିଭାଗ), କେନ୍ଦ୍ରାପଡ଼ାଙ୍କ ସହଯୋଗରେ ସାମଗୁଡ଼ିଆସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଏକ ସପ୍ତାହବ୍ୟାପୀ ଗ୍ରୀଷ୍ମକାଳୀନ ଯୋଗ ଶିବିର ଆଜି ଉଦ୍ଘାଟିତ ହୋଇଛି।ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଯୋଗ ଅନୁଷ୍ଠାନରୁ ଶତାଧିକ ଛାତ୍ରଛାତ୍ରୀ ଓ ଯୋଗପ୍ରେମୀ ଅଂଶଗ୍ରହଣ କରିଛନ୍ତି। ଶିବିରଟି ପ୍ରତିଦିନ ସକାଳ ୭ଟାରୁ ୮ଟା ଏବଂ ସନ୍ଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ସେ ଯୋଗ ଅଭ୍ୟାସର ଶାରୀରିକ ଓ ମାନସିକ ଉପକାରିତା ଉପରେ ଆଲୋକପାତ କରି ଯୁବପିଢ଼ୀଙ୍କୁ ନିୟମିତ ଯୋଗାଭ୍ୟାସ ପାଇଁ ପ୍ରେରିତ କରିଥିଲେ। ଶିବିରରେ ଯୋଗାସନ, ପ୍ରାଣାୟାମ, ବନ୍ଧ, ମୁଦ୍ରା ଏବଂ ବିଭିନ୍ନ ଯୋଗ କ୍ରିୟା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଆନ୍ତର୍ଜାତୀୟ ଯୋଗ ବିଚାରକ ‘ଯୋଗ ରତ୍ନ’ ଶ୍ରୀ ଲୋକନାଥ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହେଉଛି। ତାଙ୍କ ସହ ଖେଲୋ ଇଣ୍ଡିଆ ସେଣ୍ଟରର ଯୋଗ ପ୍ରଶିକ୍ଷକ ଶ୍ରୀ ଟୁଲୁ ମଳିକ ଏବଂ ଶ୍ରୀ ସଞ୍ଜୟ ମଥାନ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପାଣିଗ୍ରାହୀ ଅଧିକରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଏହି ଶିବିରରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି। ଏହି ଶିବିର ମାଧ୍ୟମରେ ଯୋଗ କ୍ଷେତ୍ରରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଇ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ।
ରାଜ୍ୟ
ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦ୍ଘାଟିତ ।
- Hits: 13







