ଗାଁ ଛାଡି ବିଧବା, ଆଦିବାସୀ ମହିଳା ଟିକିଲି ପଳାଇଲା ବାପ ଘର
କେନ୍ଦୁଝର: ୨୮/୫/୨୦୨୬- ଗତ ଅପ୍ରେଲ ମାସରେ ଝଡ ବତାଶରେ ଘର ଛପର ଉଡିଗଲା । ବିଧବା ଆଦିବାସୀ ମହିଳା ସାହାଯ୍ୟ ଆଶା କରି ରହିଲା। କେହି ଶୁଣିଲେ ନାହିଁ। ନିଜ ଖର୍ଚ୍ଚରେ ମରାମତି କଲା। ପୁଣି ଏବେ ପାଞ୍ଚ ଦିନ ତଳେ ଝଡ ବତାଶରେ ଉଡ଼ିଗଲା ଚାଳ। ଖୋଲା ଆକାଶ ତଳେ ପରିବାର। ଶୁଣିବାକୁ କେହି ନାହିଁ। ଗାଁ ଛାଡି ଟିକିଲି ପିଲାଙ୍କ ସହିତ ପଳାଇଗଲା କୋଡିଏ କିଲୋମିଟର ଦୂରରେ ତା' ବାପ ଘରକୁ।
ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁ। ସେଇଠି ଆଦିବାସୀ ମହିଳା ଟିକିଲି ଜୁଆଙ୍ଗର ଘର। ତିନି ଚାରି ବର୍ଷ ତଳୁ ତା' ଗେରସ୍ତ ଆର ପାରିକି ଚାଲିଯାଇଛି। ଦୁଇ ନା ବାଳିକା ଝିଅ ଓ ଶାଶୁକୁ ନେଇ ତା ସଂସାର। ଟିକିଲି ର ମୂଳ ରାହା ହେଉଛି ତା'ର ବିଧବା ଭତ୍ତା। କିଛି ସରକାରୀ ଚାଉଳ ପାଏ। ପୁରା ମାସ ଚଳିବା ପାଇଁ ତାକୁ ପର ଘରେ ମଜୁରୀ କରିବାକୁ ପଡେ।
ଟିକିଲିକୁ ସରକାରୀ ପକ୍କାଘର ମିଳି ନାହିଁ। ସିମେଣ୍ଟ ଟାଇଲ୍ ଛପର ଘରେ ରହେ ତା' ପରିବାର। ତାହା ପୁଣି ପାଲ ଘୋଡା ହୋଇଛି। ଏତିକି ବେଳେ ଝଡ ବତାଶ ଦାଉ ସାଧିଛି। ଗତ ଅପ୍ରେଲ ମାସରେ ହୋଇଥିବା ବତାଶରେ ତା' ଘରର ଛପର ଉଡିଗଲା। ଘରଟି ଅଧା ଭାଙ୍ଗିଗଲା । ଫୁଙ୍ଗୁଳା ଛପର ତଳେ ପରିବାର। ଖରା ବର୍ଷା ସବୁ ସହିବାକୁ ପଡିଲା।
ଟିକିଲି ସରକାରୀ ସାହାଯ୍ୟ ଆଶାରେ ରହିଲା। କେହି ଆସିଲେ ନାହିଁ, କି ଶୁଣିଲେ ନାହିଁ। ଟିକିଲି ଭେଟିଲା ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା" ର ସ୍ଵେଚ୍ଛାସେବୀ ମାନଙ୍କୁ। ଆଶା ତରଫରୁ ଏକ ଖବର ପ୍ରକାଶ କରାଗଲା। ଏହାକୁ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ, ତାଙ୍କ ଦପ୍ତର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଜିଲାପାଳ ନିକଟକୁ ପଠାଗଲା। ଇତିମଧ୍ୟରେ ଦେଢ଼ ମାସ ବିତିଗଲାଣି। କେହି କିଛି କଲେ ନାହିଁ।
ଟିକିଲି ପର ଘରେ ମଜୁରୀ କରି ଛପର ମରାମତି କଲା। ପୁଣି ବତାଶ ଦାଉ ସାଧିଲା। ଏବେ ବତାଶ ପୁରା ଛପର ଉଡାଇ ନେଇଛି। ପୁଣି ଖୋଲା ଆକାଶ ତଳେ ପରିବାର। ବର୍ଷା, ପବନ, ଝଡ ସବୁ ଯାଉଛି ପିଲାଙ୍କ ମୁଣ୍ଡରେ। ବ୍ଲକ୍ କତୃପକ୍ଷ ଓ ପଞ୍ଚାୟତ ଅଧିକାରୀ ଏମାନଙ୍କ କଥା ଶୁଣିବାକୁ ରାଜି ନୁହେଁ। ଇତିମଧ୍ୟରେ " ଆଶା" ଜଣାଇଛି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ, ଜିଲ୍ଲାପାଳ ଙ୍କୁ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଭୋଟରଙ୍କୁ ଯଦି ଏପରି ହତାଦର, ତେବେ ପ୍ରଶାସନ ଅନ୍ୟ ନାଗରିକ ପାଇଁ କେତେ ସମ୍ବେଦନଶୀଳ, ତାହା ସ୍ପଷ୍ଟ ଅନୁମେୟ ବୋଲି ସ୍ଵେଚ୍ଛାସେବୀ ଶ୍ରୀ ଡମ୍ବରୁଧର ଘଣା କହିଛନ୍ତି।
ଟିକିଲି " ଆଶା" ମାଧ୍ୟମରେ ପଞ୍ଚାୟତ କତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ତା'ର ଅସୁବିଧା ଜଣାଇଛି। ନିବେଦନ କରିଛି - ପ୍ରଶାସନ ତା' ଘରର ଛପର ମରାମତି କରି, ଘରଟିକୁ ବାସପୋଯୋଗୀ କରି ଦିଅନ୍ତୁ। " ଆଶା" ମଧ୍ୟ ଆଶା କରୁଛି - ପ୍ରଶାସନ ପକ୍ଷରୁ ତୁରନ୍ତ ଟିକିଲି କୁ ଆବଶ୍ୟକ ସହାୟତା ପ୍ରଦାନ କରନ୍ତୁ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏ ଟିକିଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଣ୍ଢେଇ ଗାଁର ବାସିନ୍ଦା। ମୁଖ୍ୟମନ୍ତ୍ରୀ ତା' ଦୁଃଖ ଶୁଣିବେ ବୋଲି ଟିକିଲି ଆଶା ରଖିଛି।







