ହେଡଲାଇନସ୍:

ଓଡିଶା ମେଟାଲିକ୍ସ ମାମଲାରେ ଏନଜିଟି ର କଡ଼ା ଆଭିମୁଖ୍ୟ : ଝାରସୁଗୁଡା ଡିଏଫଓଙ୍କୁ ୨୫ ହଜାର ଜରିମାନା, ୧୩ ବେଆଇନ ଗଭୀର ନଳକୂପ ସିଲ ନିର୍ଦ୍ଦେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା, : ଓଡିଶା ମେଟାଲିକ୍ସ କମ୍ପାନୀଙ୍କ ବିରୋଧରେ ଚାଲିଥିବା ବେଆଇନ ଜଙ୍ଗଲ ଜମି ଦଖଲ ମାମଲାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ପୂର୍ବ ଜୋନ ବେଞ୍ଚ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ବାରମ୍ବାର ଜବାବ ଦାଖଲ ନ କରିବା ଏବଂ ଶୁଣାଣିରେ ପକ୍ଷ ରଖିବାରେ ବିଫଳ ହେବା ଅଭିଯୋଗରେ ଝାରସୁଗୁଡା ଡିଏଫଓ ଅଶୋକ ମନୁ ଭଟ୍ଟଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ଲଗାଯାଇଛି।

ସେହିପରି, ଓଡିଶା ମେଟାଲିକ୍ସ କମ୍ପାନୀ ପରିସରରେ ବେଆଇନ ଭାବେ ବ୍ୟବହୃତ ୧୩ଟି ଗଭୀର ନଳକୂପକୁ ସିଲ କରିବା ପାଇଁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା।

ମରାକୁଟା ଅଞ୍ଚଳରେ ଥିବା ଓଡିଶା ମେଟାଲିକ୍ସ କମ୍ପାନୀଙ୍କ ବିରୋଧରେ ଦାଖଲ ହୋଇଥିବା ବେଆଇନ ଜଙ୍ଗଲ ଜମି ଜବରଦଖଲ ମାମଲାର ଶୁଣାଣି ଗତ ମେ ୨୫ ତାରିଖରେ ଭର୍ଚୁଆଲ ମାଧ୍ୟମରେ ହୋଇଥିଲା। ବିଚାରପତି ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ଓ ବିଶେଷଜ୍ଞ ସଦସ୍ୟ ଈଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆବେଦନକାରୀ ଶତ୍ରୁଘ୍ନ ମେହେରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ଯୁକ୍ତି ଉପସ୍ଥାପନ କରିଥିଲେ।

ତିନିଥର ସୁଯୋଗ ଦିଆଯାଇଥିଲେ ମଧ୍ୟ ଝାରସୁଗୁଡା ଡିଏଫଓ ପକ୍ଷରୁ ଜବାବ ଦାଖଲ ନ କରାଯାଇଥିବାରୁ ମାମଲାରେ ଅନାବଶ୍ୟକ ବିଳମ୍ବ ଓ ଖର୍ଚ୍ଚ ବଢୁଥିବା ନେଇ ଏନଜିଟି ଅସନ୍ତୋଷ ପ୍ରକାଶ କରିଛନ୍ତି। ଜରିମାନା ରାଶି ଏକ ମାସ ମଧ୍ୟରେ ଆବେଦନକାରୀଙ୍କ ଓକିଲଙ୍କ ପାଖରେ ଜମା କରିବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିସହ ଶେଷ ଥର ପାଇଁ ଜବାବ ଦାଖଲର ସୁଯୋଗ ମଧ୍ୟ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୮ ତାରିଖରେ ହେବ।

ଅନ୍ୟପଟେ, ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ବିଭାଗ, ସ୍ଥାନୀୟ ଜନପ୍ରତିନିଧି ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ କରାଯାଇଥିବା ଯାଞ୍ଚ ସମୟରେ କମ୍ପାନୀ ପରିସରରେ ମୋଟ ୨୦ଟି ଗଭୀର ନଳକୂପ ଥିବା ଚିହ୍ନଟ ହୋଇଥିଲା। ସେଥିରୁ କେବଳ ୭ଟି ପାଇଁ ଅନୁମତି ଥିବା ବେଳେ ୧୩ଟି ବେଆଇନ ଭାବେ ଚାଲିଥିବା ଜଣାପଡ଼ିଥିଲା।

ଏନେଇ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା କହିଛନ୍ତି ଯେ, ହୀରାକୁଦ ଡ୍ୟାମ ପ୍ରୋଜେକ୍ଟର ଅଧିକ୍ଷଣ ଯନ୍ତ୍ରୀଙ୍କ ଚିଠି ଅନୁଯାୟୀ ୧୩ଟି ବେଆଇନ ଗଭୀର ନଳକୂପକୁ ସିଲ କରାଯିବ ଏବଂ କମ୍ପାନୀ ବିରୋଧରେ ଜରିମାନାମୂଳକ କାର୍ଯ୍ୟନୁଷ୍ଠାନ ହେବ।

ସେ ଆହୁରି କହିଛନ୍ତି ଯେ, ଏହାଛଡ଼ା ଆହୁରି କିଛି ବେଆଇନ ଗଭୀର ନଳକୂପ ଥିବା ଅଭିଯୋଗ ମିଳିଥିବାରୁ ପୁନଃ ତଦନ୍ତ ପାଇଁ ହୀରାକୁଦ ଡ୍ୟାମ ପ୍ରୋଜେକ୍ଟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ଏନେଇ ଓଡିଶା ମେଟାଲିକ୍ସ କମ୍ପାନୀର ବରିଷ୍ଠ ଅଧିକାରୀ ସୁମିତ ପାଲଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ପର୍କ ସ୍ଥାପିତ ହୋଇପାରିନଥିଲା।

0
0
0
s2sdefault