ଝାରସୁଗୁଡା ଜିଲ୍ଲା ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ “ପରଫର୍ମାନ୍ସ ଗ୍ରେଡିଙ୍ଗ ଇଣ୍ଡେକ୍ସ ଫର୍ ଡିଷ୍ଟ୍ରିକ୍ଟସ୍ ୨୦୨୪-୨୫” ରେ ଝାରସୁଗୁଡା ଜିଲ୍ଲା ଓଡ଼ିଶାର ସର୍ବଶ୍ରେଷ୍ଠ ଜିଲ୍ଲା ଭାବେ ଉଭା ହୋଇଛି। ଜିଲ୍ଲା ସମୁଦାୟ ୬୦୦ ମଧ୍ୟରୁ ୩୯୫ ଅଙ୍କ ହାସଲ କରି “ଉତ୍ତମ-୩” ଗ୍ରେଡ୍ରେ ସ୍ଥାନ ପାଇଛି। ଏହା ଝାରସୁଗୁଡାର ଶିକ୍ଷା କ୍ଷେତ୍ରରେ ନିରନ୍ତର ପ୍ରଗତି ଓ ସାମୁହିକ ପ୍ରୟାସର ଫଳ ବୋଲି ମନେ କରାଯାଉଛି। ପି ଜି ଆଇ ଡି ହେଉଛି ଦେଶର ସମସ୍ତ ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ମୂଲ୍ୟାୟନ ପାଇଁ ତିଆରି ହୋଇଥିବା ଏକ ଜାତୀୟ ସୂଚକାଙ୍କ। ଏଥିରେ ଶିକ୍ଷାର ଫଳାଫଳ, କ୍ଲାସ୍ରୁମ୍ ପରିଚାଳନା, ପାରସ୍ପରିକ ସୁବିଧା, ଛାତ୍ର ସୁରକ୍ଷା, ଡିଜିଟାଲ ଶିକ୍ଷା ଓ ପ୍ରଶାସନିକ ପ୍ରକ୍ରିୟା ଭଳି ମୁଖ୍ୟ କ୍ଷେତ୍ରକୁ ଆଧାର କରି ଜିଲ୍ଲାମାନଙ୍କର ପ୍ରଦର୍ଶନ ମାପାଯାଏ। ରିପୋର୍ଟ ଅନୁସାରେ, ଝାରସୁଗୁଡା “ଆଉଟକମ୍” ବିଭାଗରେ ୧୫୯ ଅଙ୍କ, “ଇଫେକ୍ଟିଭ୍ କ୍ଲାସ୍ରୁମ୍ ଟ୍ରାଞ୍ଜାକ୍ସନ୍”ରେ ୭୦ ଅଙ୍କ, “ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ଷ୍ଟୁଡେଣ୍ଟ ଏଣ୍ଟାଇଟଲମେଣ୍ଟ”ରେ ୩୮ ଅଙ୍କ, “ସ୍କୁଲ ସେଫ୍ଟି ଏବଂ ଚାଇଲ୍ଡ ପ୍ରୋଟେକ୍ସନ୍”ରେ ୩୦ ଅଙ୍କ, “ଡିଜିଟାଲ ଲର୍ଣ୍ଣିଂ”ରେ ୩୩ ଅଙ୍କ ଏବଂ “ଗଭର୍ନାନ୍ସ ପ୍ରୋସେସ୍”ରେ ୬୬ ଅଙ୍କ ଅର୍ଜନ କରିଛି।
ଝାରସୁଗୁଡା ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ପୁରୀ ପରି ବଡ଼ ଜିଲ୍ଲାମାନଙ୍କୁ ପଛକୁ ପକାଇ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ସମ୍ବଲପୁର ୩୬୪ ଅଙ୍କ ଓ ସୁନ୍ଦରଗଡ଼ ୩୬୦ ଅଙ୍କ ପାଇଥିବା ବେଳେ ଝାରସୁଗୁଡା ସବୁଠାରୁ ଆଗରେ ରହିଛି।
ଏହି ସଫଳତା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ କରିବା ଓ ଶିକ୍ଷଣ ଫଳାଫଳ ବୃଦ୍ଧି କରିବାରେ ସହାୟକ ହୋଇଥିବା ଝାରସୁଗୁଡା ଜିଲ୍ଲା ପ୍ରଶାସନର ମାର୍ଗଦର୍ଶନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ 'ଉଦିଆଁ ତରା', 'ପଠନ ପାର୍ବଣ' 'ଉନ୍ମେଷ' ଆଦି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଏହା ସହିତ ଜିଲ୍ଲାର ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିଷ୍ଠା, ଶିକ୍ଷାଧିକାରୀମାନଙ୍କର ସଠିକ୍ ନେତୃତ୍ୱ ଓ ନିୟମିତ ନିରୀକ୍ଷଣର ଫଳ ବୋଲି ଝାରସୁଗୁଡା ଜିଲ୍ଲା ଶିକ୍ଷାଧିକାରୀ ଡ. ରାଧାକାନ୍ତ ଗଡ଼ତିଆ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।







