ହେଡଲାଇନସ୍:

ବେଆଇନ କ୍ଲିନିକ ବିରୋଧରେ ଖବର ସଂଗ୍ରହକୁ ଯାଇଥିବା ସାମ୍ବାଦିକଙ୍କୁ ଦୂର୍ବ୍ୟବହାର : କାଶୀପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥା ଦିନକୁ ଦିନ ଗମ୍ଭୀର ରୂପ ନେଉଥିବା ବେଳେ, ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ବେଆଇନ କ୍ଲିନିକ ଓ ନକଲି ଡାକ୍ତରମାନଙ୍କ ଦାଦାଗିରି ବଢ଼ିବାରେ ଲାଗିଛି । ସରକାରୀ ହସ୍ପିଟାଲରେ ଡାକ୍ତର ଅଭାବ, ଠିକ୍‌ଠାକ ଚିକିତ୍ସା ସୁବିଧା ନ ମିଳିବା ଓ ଦୂରଦୂରାନ୍ତର ଗ୍ରାମରେ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ଥିବାର ସୁଯୋଗ ନେଇ ଅଞ୍ଚଳରେ ଛତୁ ଫୁଟିଲା ପରି ବେଆଇନ କ୍ଲିନିକ ଗଢ଼ିଉଠିଛି ।
ଅଭିଯୋଗ ଅନୁସାରେ, ଦୋରାଗୁଡା ଅନ୍ତର୍ଗତ ନୂଆପୋଡା ଛକରେ “ଇସାନି କ୍ଲିନିକ” ନାମରେ ଏକ କ୍ଲିନିକ ଦୀର୍ଘଦିନ ଧରି ବିନା ପ୍ରମାଣପତ୍ର ଓ ବିନା ଅନୁମତିରେ ଚାଲିଆସୁଛି । ସେଠାରେ ଚିକିତ୍ସା କରୁଥିବା ବ୍ୟକ୍ତିଙ୍କ ପାଖରେ ଆବଶ୍ୟକ ଡାକ୍ତରୀ ଯୋଗ୍ୟତା ଓ ସରକାରୀ ଅନୁମୋଦନ ଥିବାର କୌଣସି ସ୍ପଷ୍ଟ ତଥ୍ୟ ନଥିବା କୁହାଯାଉଛି । ତଥାପି ନିରୀହ ଓ ଗରିବ ଲୋକଙ୍କୁ ଭୁଲ ଔଷଧ, ଇଞ୍ଜେକ୍ସନ ଓ ଚିକିତ୍ସା ଦେଇ ଟଙ୍କା ଆଦାୟ କରାଯାଉଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ଏହି ବେଆଇନ କ୍ଲିନିକ ସମ୍ପର୍କରେ ଖବର ସଂଗ୍ରହ କରିବା ପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥଳକୁ ପହଞ୍ଚିଥିବା ବେଳେ, କ୍ଲିନିକ ପକ୍ଷରୁ ସେମାନଙ୍କୁ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ବରଂ ସତ୍ୟ ଲୁଚାଇବା ପାଇଁ ସାମ୍ବାଦିକମାନଙ୍କ ସହ ଅସଦ୍‌ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଖବର ପ୍ରକାଶ ହେବାର ଭୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧମକ ଓ ଦୂର୍ବ୍ୟବହାର କରାଯାଇଥିବା ଘଟଣାକୁ ସାମ୍ବାଦିକ ମହଳ ଗୁରୁତର ଭାବେ ନେଇଛି ।
ଏନେଇ ସାମ୍ବାଦିକମାନେ ଦୋରାଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ଅନ୍ୟପଟେ ଜିଲ୍ଲାର କିଛି ପ୍ରଭାବଶାଳୀ ଅଧିକାରୀଙ୍କ ଛତ୍ରଛାୟା ତଳେ ଏପରି ବେଆଇନ କ୍ଲିନିକ ଚାଲୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗର ନିରୀକ୍ଷଣ ଓ କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହିପରି ନକଲି ଡାକ୍ତରମାନଙ୍କ ଭୁଲ ଚିକିତ୍ସା ଓ ଅବୈଧ ଔଷଧ ବ୍ୟବହାର କାରଣରୁ ପୂର୍ବରୁ ମଧ୍ୟ ଅନେକ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ ରହିଛି । କିନ୍ତୁ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଏମାନଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ନିଆଯାଉନାହିଁ ।
ସାମ୍ବାଦିକମାନେ କହିଛନ୍ତି, “ସତ ଖବର ଲୋକଙ୍କ ସାମ୍ନାକୁ ଆଣିବାକୁ ଗଲେ ଆମକୁ ନାଲି ଆଖି ଦେଖାଯାଉଛି । କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟ ଓ ଜୀବନ ସହ ଖେଳୁଥିବା ଏହିପରି ବେଆଇନ କାରବାର ବିରୋଧରେ ଆମର ଲଢ଼େଇ ଜାରି ରହିବ ।”
ଏବେ ଦେଖିବାକୁ ବାକି ରହିଲା, ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ଏହି ବେଆଇନ କ୍ଲିନିକ ଓ ନକଲି ଡାକ୍ତରଙ୍କ ବିରୋଧରେ କେବେ ଓ କେମିତି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

0
0
0
s2sdefault