ଭୁବନେଶ୍ୱର, ୨୭/୦୫: ସିଜୋଫ୍ରେନିଆ ଏକ ଚିକିତ୍ସାସାପେକ୍ଷ ମାନସିକ ସମସ୍ୟା ଯାହାକି ଆଗୁଆ ଚିହ୍ନଟ, ଉପଯୁକ୍ତ ଚିକିତ୍ସା, ପରିବାର ଏବଂ ସମାଜର ସହଯୋଗ ଦ୍ୱାରା ଉପଯୁକ୍ତ ଭାବେ ନିୟନ୍ତ୍ରଣ କରିହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ପକ୍ଷରୁ ସୋମବାର ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ ଅବସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବକ୍ତାମାନେ ଏହି ମତ ରଖିଥିଲେ ।
ହସ୍ପିଟାଲ୍ର ମାନସିକ ରୋଗ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସିଜୋଫ୍ରେନିଆ ସମସ୍ୟାକୁ ବୁଝିବା, ଏହି ମାନସିକ ରୋଗକୁ ନେଇ ଲାଗି ରହିଥିବା କଳଙ୍କକୁ ହ୍ରାସ କରିବା ଏବଂ ଆଗୁଆ ପରୀକ୍ଷଣ ଓ ଚିକିତ୍ସାକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଥିଲା ।
କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟରେ ଏହି ସମସ୍ୟାର ପ୍ରାଥମିକ ଲକ୍ଷଣ, ରୋଗର ଅଗ୍ରଗତି, ଉପଲବ୍ଧ ଚିକିତ୍ସା ସମ୍ପର୍କରେ ଆଲୋଚନା କରାଯାଇଥିଲା । ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଆଡିସ୍ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସି ପତି ଏବଂ ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ଭବାନୀଶଙ୍କର ଶିତଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ, ଡାକ୍ତର ସ୍ୱୟଂପ୍ରଭା ବରାଳ ଓ ଡାକ୍ତର ଜ୍ଞାନେନ୍ଦ୍ର ରଘୁବଂଶୀ ନିଜ ବକ୍ତବ୍ୟରେ ସମାଜରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଏହି ସମସ୍ୟାରୁ ସୁସ୍ଥ ହେବା ନିମନ୍ତେ ଉପଯୁକ୍ତ ସମୟରେ ମାନସିକ ଚିକିତ୍ସା, ପରିବାର ଓ ସମାଜର ସହଯୋଗ ସମ୍ପର୍କରେ କହିଥିଲେ ।
ଏହି ଅବସରରେ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ଅଭିଷେକ ସାମଲ, ଡାକ୍ତର କୀର୍ତି ଅନୁରାଗ, ଡାକ୍ତର ସୁଜାତା ସାହୁ, ଡାକ୍ତର ସୁଚରିତା ମିଶ୍ର, ଡାକ୍ତର ସୁମାଲିଆ ଆସିଫ ଓ ସିନିୟର ରେସିଡେଂଟ ଡାକ୍ତର ସତୀଶ ରଞ୍ଜନ, କ୍ଲିନିକାଲ୍ ସାଇକୋଲୋଜିଷ୍ଟ ମିସ୍ ଲୀଜା ଡାନିଏଲ୍ ଓ ମନସ୍ତତ୍ୱବିତ୍ ଓ ସାମାଜିକ କର୍ମୀ ମିସ୍ ସୁହାସିନୀ ମହାନ୍ତି ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ପ୍ରଫେସର ଡାକ୍ତର ସାଇ ପ୍ରସାଦ ରାଏ ଧନ୍ୟବାଦ ଅର୍ପଣ କରିଥିଲେ ।







