ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଗ୍ରଣୀ ଧାତବ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ସମ୍ବଲପୁର ଜିଲ୍ଲାର ହୀରାକୁଦରେ ଉତ୍ତମ ଶିକ୍ଷା ଆହରଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକାଧିକ ପଦକ୍ଷେପ ଗ୍ରହଣ କରିଛି ।
ଆର୍ଥିକ ବର୍ଷ ୨୦୨୫-୨୬ କାଳରେ କମ୍ପାନୀ କମ୍ ସେବା ପାଉଥିବା ଜନସମୁଦାୟଙ୍କର ଛାତ୍ର ଛାତ୍ରୀଙ୍କୁ ସମର୍ଥନ ଯୋଗାଇଦେବା ଲକ୍ଷ୍ୟରେ ବିଦ୍ୟାଳୟ ଭିତ୍ତିଭୂମି ପରିବର୍ଦ୍ଧନ, ଅତ୍ୟାବଶ୍ୟକ ଶିକ୍ଷା ଆହରଣ ସମ୍ବଳ ଯୋଗାଣ ଏବଂ ସମାବେଶୀ ଶିକ୍ଷାକୁ ପ୍ରୋତ୍ସାହନ ଦ୍ୱାରା ଏକାଧିକ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ନେଇଥିଲା ।
ଏହି ପ୍ରୟାସଗୁଡିକର ଅଂଶ ଭାବରେ ହିଣ୍ଡାଲ୍କୋ ୨୩ଟି ବିଦ୍ୟାଳୟରେ ୫,୧୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ବହି, ଖାତା ଏବଂ ବିଦ୍ୟାଳୟ ଉପକରଣ ବଣ୍ଟନ କରିଥିଲା । କମ୍ପାନୀ ମଧ୍ୟ ୧୩ଟି ବିଦ୍ୟାଳୟକୁ ୨୩୦ରୁ ଅଧିକ ଡୁଆଲ-ଡେସ୍କ ବେଞ୍ଚ ଯୋଗାଇ ଦେଇଥିଲା, ଯଦ୍ଧ୍ୱାରା ପ୍ରାୟ ୨,୫୦୦ ଉପକୃତ ହୋଇଥିଲେ । ଏହା ଶ୍ରେଣୀଗୃହ ଭିତ୍ତିଭୂମି ଏବଂ ସାମ୍ରଗିକ ଶିକ୍ଷା ଆହରଣ ପରିବେଶରେ ଉଲ୍ଲେଖନୀୟ ଉନ୍ନତି ଘଟାଇଥିଲା ।
ଏହି ସମସ୍ତ ପ୍ରୟାସର ପ୍ରଭାବ ସମ୍ପର୍କରେ ଆଲୋକପାତ କରି ଧନକଉଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ କରନ ଶର୍ମା କହିଥିଲେ, “ଏହି ପରିମାଣର ସମର୍ଥନ- ପ୍ରୋଜେକ୍ଟ ଅନ୍ୱେଷା ଅଧୀନରେ ଡିଜିଟାଲ ଶ୍ରେଣୀଗୃହର ବିକାଶ ସାଧନ ଦ୍ୱାରା ସମସ୍ତ ୨୩ଟି ବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ କରୁଛି ଏବଂ ୫୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କ ନିକଟରେ ପହଞ୍ଚୁଛି, ଯେଉଁଠାରେ ଶିକ୍ଷକ ନିଅଣ୍ଟ ମୁକାବିଲା କରିବା ନିମନ୍ତେ ଓଡ଼ିଶା ବୋର୍ଡ ଅନୁମୋଦିତ ପାଠ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ଏବଂ ଏହା ଗ୍ରାମାଞ୍ଚଳରେ ସାମଗ୍ରିକ ଶିକ୍ଷା ଆହରଣ ପରିବେଶରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସହିତ ଛାତ୍ର ଛାତ୍ରୀଙ୍କର ଅଂଶଗ୍ରହଣରେ ବୃଦ୍ଧି ଘଟାଇଛି । ଏଥିସହିତ ହୀରାକୁଦରେ ସମସ୍ତ ବିଦ୍ୟାଳୟକୁ ଫାଷ୍ଟ ଏଡ୍ କିଟ୍ ଯୋଗାଇ ଦିଆଯାଇଛି । ଏକ ଅନନ୍ୟ ପ୍ରୟାସ ଭାବରେ ଏକ ଇ-ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯାଇଛି । ସରକାରଙ୍କର ସମ୍ମିଶ୍ରିତ ଯୋଜନା ଅଧୀନରେ ଏବଂ ପୂର୍ବରୁ ମୋ ସ୍କୁଲ ଅଧୀନରେ ଦୁଇଟି ବିଦ୍ୟାଳୟରେ ପ୍ରାଚୀର ଏବଂ ଗୋଟିଏ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି । ଏହା ବ୍ୟତୀତ ତିନିଟି ନୂଆ ଶ୍ରେଣୀଗୃହ, ପାଇଖାନା ଏବଂ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ୧୦ ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ବୃତ୍ତି ପ୍ରଦାନ କରାଯାଇଛି ।”
ଶ୍ରୀ ଶର୍ମା ପୁନଶ୍ଚ କହିଥିଲେ, “ଛାତ୍ର ଛାତ୍ରୀଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ନିମନ୍ତେ ଏକ ମଞ୍ଚ ଯୋଗାଇଦେବାକୁ ହିଣ୍ଡାଲ୍କୋ ଓଡ଼ିଶା ସରକାରଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ‘ସୁରଭି’ ଏବଂ ତାହାସହିତ ବାର୍ଷିକ କ୍ରୀଡା କାର୍ଯ୍ୟକଳାପକୁ ସମର୍ଥନ କରିଛି । ପ୍ରତିବର୍ଷ ନିକଟବର୍ତ୍ତୀ ବିଦ୍ୟାଳୟଗୁଡିକରୁ ଛାତ୍ର ଛାତ୍ରୀଙ୍କୁ ଅଂଶଗ୍ରହଣ, ପରସ୍ପର ମଧ୍ୟରେ ଭାବ ବିନିମୟ ଏବଂ ଚିନ୍ତାଧାରା ବିନିମୟ ନିମନ୍ତେ ଆମନ୍ତ୍ରଣ କରି ଶିଶୁ ଦିବସ ପାଳନ କରାଯାଉଛି, ଯେଉଁଥିରେ ପ୍ରତିବର୍ଷ ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରୁଛନ୍ତି । କିଶୋରୀ ବାଳିକାମାନଙ୍କ ନିମନ୍ତେ ସଚେତନତା ଅଧିବେଶନ ଏବଂ ଅଗ୍ନି ନିରାପତ୍ତା ତାଲିମ ଜରିଆରେ ଏହା ୨୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କ ନିକଟରେ ପହଞ୍ଚିସାରିଛି ।”
ଅନ୍ୟ ଏକ ବୃହତ୍ ପ୍ରୟାସ ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବାକୁ ଦୁଇଟି ବସ୍ ନିୟୋଜିତ କରାଯାଇଛି । ଛାତ୍ର ଛାତ୍ରୀ ଓ ଅଭିଭାବକମାନଙ୍କର ଅନୁରୋଧ କ୍ରମେ ହିଣ୍ଡାଲ୍କୋ ମଧ୍ୟ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡିକରେ ୮ମ, ୯ମ ଏବଂ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ଫାଉଣ୍ଡେସନ-ସ୍ତରୀୟ କୋଚିଂ ଆରମ୍ଭ କରିଛି, ଯାହାକୁ ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ମୂଲ୍ୟାଙ୍କନ କରିବେ ।
ଏହି ପ୍ରୟାସଗୁଡିକ ସମ୍ପର୍କରେ ପ୍ରକାଶ କରି ଶ୍ରୀ କୈଳାସ ପାଣ୍ଡେ, ହେଡ୍, ହିଣ୍ଡାଲ୍କୋ ହୀରାକୁଦ କ୍ଲଷ୍ଟର ଏବଂ ମାଇନିଂ ବିଜିନେସ୍ ହେଡ୍ କହିଥିଲେ, “ସାମାଜିକ ରୂପାନ୍ତରଣ ନିମନ୍ତେ ଶିକ୍ଷା ସର୍ବାଧିକ ଶକ୍ତିଶାଳୀ ଭୂମିକା ନିର୍ବାହ କରୁଛି । ହିଣ୍ଡାଲ୍କୋରେ ଆମେ ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ, ଗୁଣାତ୍ମକ ଶିକ୍ଷା ଆହରଣ ସମ୍ବଳର ସୁଯୋଗ ପରିବର୍ଦ୍ଧିତ ଏବଂ ତୃଣମୂଳ ସ୍ତରରେ ପ୍ରତିଭାମାନଙ୍କର ପରିପୋଷଣ କରି ପ୍ରତ୍ୟେକ ପିଲା ନିମନ୍ତେ ଅର୍ଥପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଛୁ । ୫,୦୦୦ରୁ ଅଧିକ ଛାତ୍ର ଛାତ୍ରୀଙ୍କୁ ସମର୍ଥନ କରି ଏବଂ ପ୍ରାୟ ୩,୯୦୦ ଶିକ୍ଷା ଆହରଣକାରୀଙ୍କ ନିମନ୍ତେ ସୁବିଧାରେ ଉନ୍ନତି ଆଣି ଆମେ ଶିକ୍ଷାଗତ ଅସାମଞ୍ଜସ୍ୟ ହ୍ରାସ କରିବା ଏବଂ ହୀରାକୁଦରେ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସମାନ ସୁଯୋଗ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛୁ । ପ୍ରତ୍ୟେକ ପିଲା ଯେଭଳି ଶିକ୍ଷାର ଫାଇଦା ଉପଭୋଗ କରିବେ ତାହା ସୁନିଶ୍ଚିତ କରିବାକୁ ଆମେ ସହଭାଗୀମାନଙ୍କ ସହିତ ନିବିଡ ଭାବରେ ନିରନ୍ତର କାର୍ଯ୍ୟ ଜାରି ରଖିବୁ ।”
ନିଜର ଅନୁଭୂତି ପ୍ରକାଶ କରି ଜଣେ ହିତାଧିକାରୀ ଛାତ୍ର ପାର୍ଥ ସାରଥୀ ତ୍ରିପାଠୀ କହିଥିଲେ, “ଉନ୍ନତ ଶିକ୍ଷା ଆହରଣ ପରିବେଶ ଏବଂ ଗୁଣାତ୍ମକ ଶିକ୍ଷଣ ସାମଗ୍ରୀର ସୁଯୋଗ ଆମର ଶିକ୍ଷାଲାଭ ସାମର୍ଥ୍ୟ ଏବଂ ବିଦ୍ୟାଳୟରେ ନିୟୋଜିତ ରହିବା କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇଛି ।”
ଏହି ଲକ୍ଷ୍ୟଭିତ୍ତିକ, ଗୋଷ୍ଠୀ-କୈନ୍ଦ୍ରିକ ଆଭିମୁଖ୍ୟ ଜରିଆରେ ହିଣ୍ଡାଲ୍କୋ ହୀରାକୁଦରେ ଶିକ୍ଷା ପରିବ୍ୟବସ୍ଥାକୁ ନିରନ୍ତର ସୁଦୃଢ କରୁଛି । ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟସମୂହ, ବିଶେଷକରି ଏସ୍ଡିଜି ୪ (ଗୁଣାତ୍ମକ ଶିକ୍ଷା) ଏବଂ ଏସ୍ଡିଜି ୧୦ (ଅସମାନତାରେ ହ୍ରାସ) ସହିତ ମେଳଖୁଆଇ କମ୍ପାନୀ ଏହି ଅଞ୍ଚଳରେ ସମାଶେୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି । ଶ୍ରୀମତୀ ରାଜଶ୍ରୀ ବିର୍ଲା, ନେଲସନ ମଣ୍ଡେଲାଙ୍କ ବିଚାରଧାରେ ବିଶ୍ୱାସ ରଖନ୍ତି, ଯିଏ କହିଥିଲେ, “ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ଆପଣ ବିଶ୍ୱରେ ପରିବର୍ତ୍ତନ ଆଣିବାକୁ ବ୍ୟବହାର କରିପାରିବେ ।”
ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଏବଂ ସମାଜ ପାଇଁ ପ୍ରତିଦାନ ରଖିବାର ନିରନ୍ତର ପ୍ରେରଣାରେ ପରିଚାଳିତ ହୋଇ ଆଦିତ୍ୟ ବିର୍ଲା ଗ୍ରୁପ୍ ଓଡ଼ିଶରେ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚୁଛି ଏବଂ ୧୨୮ଟି ଗ୍ରାମରେ ୨ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍ର ସିଏସଆର୍ କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଦିତ୍ୟ ବିର୍ଲା ସେଣ୍ଟର ଫର୍ କମୁ୍ୟନିଟି ଇନିସିଏଟିଭସ୍ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ଅଧୀନରେ କାର୍ଯ୍ୟକାରୀ କରାଯାଉଛି । ଗ୍ରୁପ୍ର ଲକ୍ଷ୍ୟ ହେଉଛି ଏହା ନିଜର ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରୁଥିବା ଅଞ୍ଚଳରେ ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ସକ୍ରିୟ ଅବଦାନ ରଖିବା । ଏଭଳି କରିବା ଦ୍ୱାରା ସମାଜର ଦୁର୍ବଳ ବର୍ଗଙ୍କ ନିମନ୍ତେ ଏକ ଉତ୍ତମ, ଦୀର୍ଘସ୍ଥାୟୀ ଜୀବନ ଧାରଣ ପନ୍ଥା ନିର୍ମାଣ ଏବଂ ଦେଶର ମାନବ ସମ୍ବଳ ସୂଚୀରେ ଉତ୍ଥାନ କରାଯାଉଛି । ଗ୍ରୁପ୍ର ସିଏସଆର ଲକ୍ଷ୍ୟ ୟୁଏନଏସ୍ଡିଜି ଲକ୍ଷ୍ୟସମୂହ ଆଧାରରେ ଦାରିଦ୍ର୍ୟ ଦୂରୀକରଣ ଏବଂ କ୍ଷୁଧାରୁ ମୁକ୍ତି ସୁନିଶ୍ଚିତ କରିବା ହୋଇଛି ।







