ଝାରସୁଗୁଡା, ୧୫/୫: ସମ୍ପ୍ରତି ଆନ୍ତର୍ଜାତୀୟ ପରିସ୍ଥିତି ଏବଂ ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତଣାଟଣି ପରିପ୍ରେକ୍ଷୀରେ ଦେଶରେ ତୈଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତୈଳର ସଞ୍ଚୟମୂଳକ ବ୍ୟବହାର ପାଇଁ ଆହ୍ୱାନ କରିଥିବା କଥା କହିଛି ଜିଲ୍ଲା ବିଜେଡି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଝାରସୁଗୁଡା ସରବାହାଲ ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟ୍ରେ ଜିଲ୍ଲା ବିଜେଡି ପକ୍ଷରୁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ନେଇ କଟାକ୍ଷ କରାଯାଇଥିଲା।
ପ୍ରେସମିଟ୍ରେ ବକ୍ତାମାନେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପେଟ୍ରୋଲ ଓ ଡିଜେଲର କମ ବ୍ୟବହାର, ଆବଶ୍ୟକ ଛଡ଼ା ଯାତ୍ରା ନ କରିବା ଏବଂ ସଞ୍ଚୟମୂଳକ ଜୀବନଶୈଳୀ ଅନୁସରଣ ପାଇଁ ଅନୁରୋଧ କରିଥିବାବେଳେ, ଝାରସୁଗୁଡା ବିଧାୟକ ଏବେ ମଧ୍ୟ ଏସ୍କର୍ଟ ଓ ପୋଲିସ ଗାଡ଼ିର ବ୍ୟାପକ ବ୍ୟବହାର କରୁଛନ୍ତି।
ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା ଅଭିଯୋଗ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ସରକାରୀ କାର୍ଯ୍ୟରେ ଗାଡ଼ି ବ୍ୟବହାର କମ କରିଥିବାବେଳେ ଝାରସୁଗୁଡା ବିଧାୟକ ସେହି ଆହ୍ୱାନକୁ ମାନୁନାହାନ୍ତି। ସେ କହିଥିଲେ, ବିଧାୟକ କୌଣସି ସ୍ଥାନକୁ ଯାଇଥିବାବେଳେ ଆଗପଛରେ ପୋଲିସ ଏସ୍କର୍ଟ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେଉଛି, ଯାହା ଅନାବଶ୍ୟକ ତୈଳ ଅପଚୟକୁ ବୃଦ୍ଧି କରୁଛି।
ଏହାସହ ପୂର୍ବତନ ଜିଲ୍ଲା ସଭାପତି ରବି ସିଂ ପ୍ରଶ୍ନ କରିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଭଳି ଝାରସୁଗୁଡା ବିଧାୟକ ମଧ୍ୟ ନିଜ ଏସ୍କର୍ଟ ଗାଡ଼ି ବ୍ୟବହାର କମ କରିବେ କି? ସେ ଆହୁରି କହିଥିଲେ ଯେ, ବିଧାୟକ ନିରନ୍ତର ଭାବେ ରାଜସ୍ୱମନ୍ତ୍ରୀଙ୍କୁ କଟାକ୍ଷ କରୁଥିବା ଦେଖାଯାଉଛି।
ଅନୁଷ୍ଠିତ ପ୍ରେସମିଟ୍ରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ପୂର୍ବତନ ସଭାପତି ରବି ସିଂ, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ପବନ ସିଂ ଯାଦବ, ଉପସଭାପତି ଅଶୋକ ଦାସ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶିବାଶିଷ ପଟ୍ଟନାୟକ, ଆଲୋକ ତ୍ରିପାଠୀ ଓ ସୁବାଷ କେଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।







