ଦଳୀୟ ମନ୍ତ୍ରୀଙ୍କ ବିରୋଧରେ ସାର୍ବଜନିକ ଭାବେ ନିନ୍ଦା ଓ ସମାଲୋଚନା କରିବା ଗ୍ରହଣୀୟ ନୁହେଁ
ବେଲପାହାଡ, ଗୁରୁବାର : ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିରୋଧରେ ବିଭିନ୍ନ ସଭାସମିତିରେ ଦିଆଯାଉଥିବା ଟିପ୍ପଣୀକୁ ନେଇ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଗୁରୁବାର ବେଲପାହାଡ ସ୍ଥିତ ଏକ ଘରୋଇ ହୋଟେଲରେ ଆୟୋଜିତ ପ୍ରେସମିଟ୍ରେ ଦଳୀୟ କର୍ମକର୍ତ୍ତାମାନେ ବିଧାୟକ ତ୍ରିପାଠୀଙ୍କୁ ଏପରି ଟିପ୍ପଣୀରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ ।
ପ୍ରେସମିଟ୍ରେ ଭାଜପା ନେତାମାନେ କହିଥିଲେ ଯେ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ଝାରସୁଗୁଡା ଓ ବ୍ରଜରାଜନଗର ଅଞ୍ଚଳରେ ସକ୍ରିୟ ଭାବେ ଲୋକଙ୍କ ସମସ୍ୟା ବୁଝି ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ କିଛିଦିନ ଧରି ଅଞ୍ଚଳ ଗସ୍ତ କରିପାରୁନଥିବା ବେଳେ, ଏହାକୁ ନେଇ ଝାରସୁଗୁଡା ବିଧାୟକ ବିଭିନ୍ନ ମଞ୍ଚରେ କଟୁ ଟିପ୍ପଣୀ ଓ ସମାଲୋଚନା କରୁଥିବା ଅଭିଯୋଗ କରାଯାଇଥିଲା ।
ଜିଲ୍ଲା ଭାଜପା ସଭାପତି ରଘୁନନ୍ଦନ ପଣ୍ଡା କହିଥିଲେ ଯେ, ଦଳର ନୀତି ଓ ଆଦର୍ଶ ମଧ୍ୟରେ ରହି ସମସ୍ତେ କାମ କରିବା ଆବଶ୍ୟକ । ଦଳୀୟ ମନ୍ତ୍ରୀଙ୍କ ବିରୋଧରେ ସାର୍ବଜନିକ ଭାବେ ନିନ୍ଦା ଓ ସମାଲୋଚନା କରିବା ଗ୍ରହଣୀୟ ନୁହେଁ । ଏପରି କାର୍ଯ୍ୟ ଜିଲ୍ଲା ଭାଜପା ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିପାରେ ବୋଲି ସେ ସତର୍କ କରାଇଥିଲେ ।
ଏହି ପ୍ରେସମିଟ୍ରେ ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡାଙ୍କ ସହ ସଞ୍ଜୟ ସିଂ, ତପନକାନ୍ତ ଜେନା, କୈଳାଶ ନାଏକ, ରାଜକୁମାର ଅଗ୍ରୱାଲ, ମୋନାଲିସା ମୋଦକ, ଅମରେନ୍ଦ୍ର ରାୟ ଓ ତପନ ସ୍ୱାଇଁ ମଞ୍ଚାସୀନ ଥିଲେ । ସେହିପରି ଚକାନନ୍ଦ ସା, ଦୀପକ ଭଇଁଶାଲ, କ୍ଷୀତିଭୂଷଣ ପ୍ରଧାନ, ରାଜେଶ ବହିଦାର, ମୋହନ ସାହୁ, ତ୍ରିଲୋଚନ ପ୍ରଧାନ, ସୁଶାନ୍ତ ଚଇନୀ, ଆଲୋକ ସାହୁ, ନିରାକାର ବଢେଇ ଓ ରମେଶ ସାହୁ ସହ ଅନେକ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।







