ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେଡିର ପ୍ରତିନିଧି ଦଳ
ଭୁବନେଶ୍ୱର, ୧୧/୦୫/୨୦୨୬: ଗତ ରାଜ୍ୟସଭା ନିର୍ବାଚନ ସମୟରେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଅନୈତିକ ଭାବେ ଦ୍ୱିତୀୟ ବାଲାଟ ପେପର ଜାରି କରିଥିଲେ ନିର୍ବାଚନ ଅଧିକାରୀ, ଯାହା ନିର୍ବାଚନର ନୀତି ବିରୋଧୀ । ତେଣୁ ବିଜୁ ଜନତା ଦଳ ଏହାକୁ କଡା ବିରୋଧ କରି ଗତ ଏପ୍ରିଲ ୨୮ ତାରିଖରେ ଭାରତୀୟ ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲା । ଏପ୍ରିଲ ୨୯ ତାରିଖରେ ଭାରତୀୟ ନିର୍ବାଚନ କମିଶସନର ରାଜ୍ୟ ନିର୍ବାଚନ କମିଶନରଙ୍କୁ ନିଦେ୍ର୍ଦଶ ଦେଇ କହିଥିଲେ ବିଜୁ ଜନତା ଦଳ ସହ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରାଯାଉ ।
ଇସିଆଇଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟ ନିର୍ବାଚନ କମିଶନର ଦେଇଥିବା ନିର୍ଦ୍ଧାରିତ ସମୟରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟସଭା ନିର୍ବାଚନରେ ଦ୍ୱିତୀୟ ବାଲାଟ ପେପର ବ୍ୟବହାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନକୁ ଭେଟିଥିଲେ । ଏହି ପ୍ରତିନିଧିମଣ୍ଡଳୀରେ ବିରୋଧୀ ଦଳର ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ଶ୍ରୀ ପ୍ରତାପ ଦେବ, ବିଧାୟକ ଡ଼ ଅରୁଣ କୁମାର ସାହୁ, ସାଂସଦ ଡ଼ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ ସାମିଲ ଥିଲେ ।
ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟ ନିର୍ବାଚନ କମିଶନର ବିଜେଡିର ଅଭିଯୋଗକୁ ବିଚାର କରିବା ପାଇଁ ନିଜର ଅସମର୍ଥ ପ୍ରକାଶ କଲେ, ଯାହା ସବୁଠାରୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ରାଜ୍ୟ ନିର୍ବାଚନ କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଭୋଟ ଦେଲା ବେଳେ ବ୍ୟବହାର ହେଉଥିବା କଲମରୁ ଅତ୍ୟାଧିକ କାଳି ବୋହିଗଲା । ଆଶ୍ଚର୍ଯ୍ୟର ବିଷୟ ଉକ୍ତ କଲମକୁ ଅନ୍ୟ ବିଧାୟକମାନେ ଭୋଟ ଦେଲାବେଳେ ବ୍ୟବହାର କରିଥିଲେ, କିନ୍ତୁ ସେଥିରୁ କାଳି ବୋହିନଥିଲା ବେଳେ ବିଧାୟିକା ଉପାସନା ମହାପାତ୍ର ଭୋଟ ପାଇଁ ବ୍ୟବହାର କଲା ବେଳେ କେମିତି କାଳି ବୋହିଲା? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଧାୟିକାଙ୍କ ଭୋଟ ନାକଚ ହୋଇଥିଲା, ଯାହାକୁ ବିଜେଡି ଏଜେଣ୍ଟ ବିରୋଧ କରି ଅଭିଯୋଗ କରିଥିଲେ । କିନ୍ତୁ ନିର୍ବାଚନ କମିଶନର ଶାସକ ବିଜେପିର ପ୍ରରୋଚନାରେ ଦ୍ୱିତୀୟ ବାଲାଟ ପ୍ରଦାନ କରିଥିଲେ, ଯାହା ନିର୍ବାଚନର ନିୟମକୁ ଉଲ୍ଲଙ୍ଘନ କରୁଛି । ଯଦି ଭାରତବର୍ଷରେ ସମ୍ବିଧାନକୁ ରକ୍ଷା କରୁଥିବା ସଂସ୍ଥାମାନେ ନିରପେକ୍ଷ ଭାବେ ନିଜ କାର୍ଯ୍ୟ ନିର୍ବାହ କରିବେ ନାହିଁ, ତାହା ହେଲେ ଦେଶରେ ଗଣତନ୍ତ୍ର ଦୁର୍ବଳ ହେବ । ଏହା ଦେଶ ଓ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ।







