ସ୍ନେହ-ସେତୁ' ମାଧ୍ୟମରେ ୨ ବର୍ଷର ନିଖୋଜ ପରେ ପରିବାରକୁ ଫେରିଲେ ରାଜକିଶୋର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ଅଭିଯାନ 'ସ୍ନେହ-ସେତୁ' ଆଜି ଏକ ବିଚ୍ଛିନ୍ନ ହୋଇଯାଇଥିବା ପରିବାର ପାଇଁ ଆଶାର ଆଲୋକ ସାଜିଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ରାଜକିଶୋର ଷଣ୍ଢ (୩୬) ଆଜି ନିଜ ପତ୍ନୀ ଓ ସନ୍ତାନମାନଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭେଟିଛନ୍ତି।

ସୁନ୍ଦରଗଡ଼ କିଞ୍ଜିରକେଲା ଅଞ୍ଚଳର ରାଜକିଶୋର ମାନସିକ ଅସୁସ୍ଥତା ଯୋଗୁଁ ଘରୁ ବାହାରି ଆସି ନିଖୋଜ ହୋଇଯାଇଥିଲେ। ଗତ ୨୨ ଏପ୍ରିଲ ୨୦୨୪ରେ ଝାରସୁଗୁଡ଼ା ବେହେରାମାଲଠାରେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ବୁଲୁଥିବା ବେଳେ 'ଏଇତ ଜୀବନ ଫାଉଣ୍ଡେସନ'ର ସଭାପତି ସୁଜାତା ମିଶ୍ର ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଶାସନିକ ସହାୟତାରେ ତାଙ୍କୁ 'ମିଶନ ଆଶାଲୋକ'ଠାରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଶ୍ରୀମତୀ ମିଶ୍ରଙ୍କ ଦ୍ୱାରା ପ୍ରସାରିତ ଏକ ସୋସିଆଲ ମିଡିଆ ପୋଷ୍ଟକୁ ଦେଖି ରାଜକିଶୋରଙ୍କ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ କହିଛନ୍ତି ଯେ, "ସ୍ନେହ-ସେତୁ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନର ସହ ନିଜ ପରିବାର ନିକଟରେ ପହଞ୍ଚାଇବା। ସୋସିଆଲ ମିଡିଆର ସଠିକ୍ ବ୍ୟବହାର ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ସହଭାଗିତା ଯୋଗୁଁ ଆଜି ରାଜକିଶୋର ନିଜ ପରିବାର ସହ ମିଳିତ ହୋଇପାରିଛନ୍ତି। ଜିଲ୍ଲା ପ୍ରଶାସନ ସବୁବେଳେ ଏଭଳି ସାମାଜିକ କାର୍ଯ୍ୟ ପାଇଁ ପ୍ରତିବଦ୍ଧ।"

ଏଇତ ଜୀବନ ଫାଉଣ୍ଡେସନର ସଭାପତି ସୁଜାତା ମିଶ୍ର ନିଜର ପ୍ରତିକ୍ରିୟା ରଖି କହିଛନ୍ତି, "ଜଣେ ଅସହାୟ ବ୍ୟକ୍ତିକୁ ଉଦ୍ଧାର କରିବା ପରେ ତାଙ୍କୁ ତାଙ୍କ ପରିବାର ସହ ଭେଟ କରାଇବା ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ଅତୁଳନୀୟ। ସ୍ନେହ-ସେତୁ ଅଭିଯାନ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଯେଉଁ ସହଯୋଗ ପ୍ରଦାନ କରୁଛନ୍ତି, ତାହା ଅଭିନନ୍ଦନୀୟ। ଆଜି ରାଜକିଶୋରଙ୍କ ପିଲାମାନଙ୍କ ମୁହଁରେ ହସ ଦେଖି ଆମର ସବୁ ଶ୍ରମ ସାର୍ଥକ ହେଲା ବୋଲି ମୁଁ ଅନୁଭବ କରୁଛି।"

ଆଜିର ଏହି ପୁନଃମିଳନ ସମୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ଆଦିତ୍ୟ ବାଦି ଓ 'ପିପୁଲସ ଫୋରମ'ର ସଦସ୍ୟମାନେ ଉପସ୍ଥିତ ରହି ରାଜକିଶୋରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

0
0
0
s2sdefault