ବଲାଙ୍ଗିର (୧୧/୦୫): ଭାରତୀୟ ସଂସ୍କୃତିର ଅମର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ “ସୋମନାଥ ସ୍ୱାଭିମାନ ପର୍ବ” ଭକ୍ତି, ଗର୍ବ ଓ ଆନନ୍ଦର ସହ ପାଳିତ ହେଲା। ଏହି ଅବସରରେ, ବଲାଙ୍ଗୀର ସଦରମହକୁମା ସ୍ଥିତ ପ୍ରଭୁ ଓମ ଶ୍ରୀ ଶ୍ରୀ ଶ୍ରୀ ଲୋକନାଥ ବାବା ମନ୍ଦିର ପରିସରରେ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟାରେ ଆୟୋଜିତ କାର୍ଯ୍ୟକ୍ରମ ଏକ ସ୍ଵତନ୍ତ୍ର ଆଧ୍ୟାତ୍ମିକ ପରିବେଶରେ, ଅତ୍ୟନ୍ତ ଉତ୍ସାହ ଓ ଭକ୍ତିପୂର୍ଣ୍ଣ ଭାବରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରିଡା ଅଧିକାରୀ ପରାସର ବାଗ, ବରିଷ୍ଠ ନାଗରିକ ଓ ସମାଜସେବୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମନ୍ଦିରର ଗୌରବକୁ ସ୍ମରଣ କରିଥିଲେ। ସୋମନାଥ ମନ୍ଦିର କେବଳ ପଥରର ଗଠନ ନୁହେଁ, ଏହା ଭାରତୀୟ ଆସ୍ଥା, ତ୍ୟାଗ ଓ ପୁନର୍ଜୀବନର ଜୀବନ୍ତ ପ୍ରତୀକ। ଅନେକ ଆକ୍ରମଣ, ବିଧ୍ୱଂସ ଓ ପୁନର୍ନିର୍ମାଣର ଇତିହାସ ମଧ୍ୟରେ, ସୋମନାଥ ଆଜି ମଧ୍ୟ ଅଦମ୍ୟ ସ୍ୱାଭିମାନର ସ୍ମାରକ ଭାବେ ଦେଶକୁ ପ୍ରେରଣା ଦେଇଆସୁଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଗୁଜରାଟର ପ୍ରଭାସ ପାଟନସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିଚାଳିତ ଭବ୍ୟ ସମାରୋହର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ଦେଖାଯାଇଥିଲା। ସୋମନାଥ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଓ ପୂଜାର୍ଚ୍ଚନା କାର୍ଯ୍ୟକ୍ରମକୁ ଉପସ୍ଥିତ ଅତିଥିମାନେ ଓ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ସହ ଅନୁଭବ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ସାହିତ୍ୟିକ, ସାଂସ୍କୃତିକ ଓ ସାମାଜିକ ସଂଗଠନମାନେ ସକ୍ରିୟ ଭାଗ ନେଇଥିଲେ ।
ରାଜ୍ୟ
ବଲାଙ୍ଗିରରେ “ସୋମନାଥ ସ୍ୱାଭିମାନ ପର୍ବ”
- Hits: 29







