ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦଘାଟନ ସହ କଲେ ଶିଳାନ୍ୟାସ


ରାଉରକେଲା,(ବସନ୍ତ କୁମାର ଜେନା): ରାଜ୍ଯ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହ ସେ କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ପ୍ରକଳ୍ପର ବାସ୍ତବିକ ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ। ଏହା ସହ ପ୍ରକଳ୍ପ ସହ ଜଡ଼ିତ ହିତାଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସାଞ୍ଝ ବଜାର ଠାରେ ଅନୁଷ୍ଠିତ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ପ୍ରାୟ ୭ କୋଟିରୁ ୭୧ ଲକ୍ଷ ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହିତ ପ୍ରାୟ ୯ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସାଞ୍ଝ ବଜାରରେ ୧୦ଟି ଦୋକାନ ଗୃହ ରହିଥିବା ବେଳେ ମାନ୍ୟବର ମନ୍ତ୍ରୀ ୫ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଦୋକାନ ଗୃହ ଚାବି ହସ୍ତାନ୍ତର କରିଥିଲେ।

ଉଦଘାଟିତ ହୋଇଥିବା ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି - କୋଏଲ ନଗର ସ୍ଥିତ ବିର୍ସାମୁଣ୍ଡା ପାର୍କ, ବିର୍ସାମୁଣ୍ଡା ଆଥଲେଟିକ ଷ୍ଟାଡିୟମ ସାମ୍ନାରେ ତିଆରି କ୍ରୀଡ଼ା ବନ, ରୁପୁଟୋଲା କେୟାର କ୍ଲଷ୍ଟର, ଏସଟିଆଇ ଛକ ସ୍ଥିତ ଗଣେଶ ମାର୍କେଟ କମ୍ପ୍ଲେକ୍ସ, ସାଞ୍ଝ ବଜାର ଓ ପାହାଡପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।

ଏହି ଅବସରରେ ସେ କହିଥିଲେ ଯେ, ବିକାଶକୁ ଗତି ପ୍ରଦାନ କରିଥିବା ଏହି ପ୍ରକଳ୍ପଗୁଡ଼ିକ ସହରର ରୂପରେଖ ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ସହ ସହରକୁ ବସ୍ତି ମୁକ୍ତ କରିବାକୁ ଆମ ସରକାର ଗୁରୁତ୍ଵ ଦେଉଥିବା ବେଳେ ସବୁ ବର୍ଗର ଲୋକଙ୍କ ପାଇଁ ସୁରକ୍ଷିତ ଆଶ୍ରୟ ସୁନିଶ୍ଚିତ କରିବା ସକାଶେ ଆଗାମୀ ଦିନରେ ସହରରେ ଅଧିକରୁ ଅଧିକ ସୁଲଭ ବାସଗୃହ ପ୍ରକଳ୍ପ, ରେଣ୍ଟାଲ ହାଉସ୍, ଏମ୍ଆଇଜି, ଏଲ୍ଆଇଜି ହାଉସ୍ ନିର୍ମାଣ କରାଯିବ।

ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଓ ୨୦୩୬ ସୁଦ୍ଧା ଓଡିଶା ଏକ ବିକଶିତ ରାଜ୍ଯ ଭାବେ ପରିଣତ ହେବାକୁ ଯାଉଥିବା ବେଳେ ରାଉରକେଲା ମଧ୍ୟ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ମତ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଯୋଗ ଦେଇଥିବା ବେଳେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀ ଦୁର୍ଗା ଚରଣ ତନ୍ତୀ, ମାନ୍ୟବର ବିଧାୟକ ରାଉରକେଲା ଶ୍ରୀ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ସହ ସେ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବେଦବ୍ୟାସ ପୀଠ ପରିଦର୍ଶନ କରିବା ସହ ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ଏହା ସହ ଶ୍ମଶାନର ଉନ୍ନତିକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ବାଲୁଘାଟ ପିକନିକ୍ ପ୍ରକଳ୍ପ ସ୍ଥଳ ସମେତ ବାଲୁଘାଟ ସ୍ଥିତ ମଳ ଉପଚାର କେନ୍ଦ୍ର, ଛେଣ୍ଡ ସ୍ଥିତ ସୁଲଭ ବାସଗୃହ ପ୍ରକଳ୍ପ ସ୍ଥଳ, ବାୟୋ ମାଇନିଂ ପ୍ରକ୍ରିୟାକରଣ ସ୍ଥଳ, ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। ଉଦଘାଟିତ ହୋଇଥିବା ଗଣେଶ ମାର୍କେଟ କମ୍ପ୍ଲେକ୍ସ ମଧ୍ଯ ପରିଦର୍ଶନ କରିଥିଲେ।

ଏହା ସହ ରାଉରକେଲା ୱାନ ଠାରେ ନିର୍ମିତ ଜନଜାତି ସଂଗ୍ରହାଳୟ ଓ ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିଥିଲେ। ମାନ୍ୟବର ମନ୍ତ୍ରୀ ତାଙ୍କର ଏହି ରାଉରକେଲା ଗସ୍ତ କାଳରେ ବେଦବ୍ୟାସ ସ୍ଥିତ ଗୋଶାଳା ପରିଦର୍ଶନ କରିବା ସହ ସେଠାକାର ପରିଚାଳନା ବାବଦରେ ପଚାରି ବୁଝିଥିଲେ।

୩୧ତମ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ବୈଠକରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ତିଆରି ପାଇଁ ପରାମର୍ଶ ଦେଇଥିଲେ। ଏହା ସହ ରାଉରକେଲା ମହାନଗର ନିଗମ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ବିଭିନ୍ନ ପ୍ରକଳ୍ପ ବାବଦରେ ଅବଗତ ହୋଇଥିଲେ। ଶେଷରେ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ପୌରପାଳିକାର ପ୍ରମୁଖ ଯୋଜନାଗୁଡିକର ଅଗ୍ରଗତି ବାବଦରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ ସମସ୍ତ ବିଭାଗକୁ ନିର୍ମାଣ କାର୍ଯ୍ୟରେ ଗୁଣବତ୍ତା ବଜାୟ ରଖିବା ସହ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସହରୀକରଣ ବୃଦ୍ଧି ସହ ଏକ ସୁନ୍ଦର ଓ ସରସ ରାଉରକେଲା ଗଠନ ପାଇଁ ଆହ୍ଵାନ ଦେଇଥିଲେ।

0
0
0
s2sdefault