ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ପକ୍ଷରୁ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ ୨୦୨୬-୨୭ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହିତ ଟାଟା ଷ୍ଟିଲ ଏସଇଜେଡ ଲିଃର ପରିଚାଳନା ନିର୍ଦ୍ଦେଶକ, ମଣିକାନ୍ତ ନାୟକ ଏହି ଅବଧି ପାଇଁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ରହିଥିବା ପ୍ରାଥମିକତା ସମ୍ପର୍କରେ ଅନୀଲ କୁମାର ସିଂହ ଗୁରୁତ୍ୱାରୋପକରି କହିଛନ୍ତି ଯେ, “ସିଆଇଆଇ ଓଡିଶା ଭିତିଭୂମି ଅଭିବୃଦ୍ଧି, ଶିଳ୍ପ ଇକୋସିଷ୍ଟମକୁ ମଜବୁତ କରି ଓ ସମାବେଶୀ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରି ଓଡିଶାରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶକୁ ପରିଚାଳନା କରିବା ପାଇଁ ପ୍ରତିବଦ୍ଧ ରହିଛି । ୨୦୩୬ ସୁଦ୍ଧା ରାଜ୍ୟରେ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ଶିଳ୍ପ ଉତ୍ପାଦକତା ବୃଦ୍ଧି କରିବା ଓ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ସହିତ ସିଆଇଆଇ ଉଦ୍ଭାବନ, ଅନ୍ତର୍ଭୁକ୍ତୀକରଣ ଓ ସ୍ଥିରତା ପାଇଁ ଓଡିଶାକୁ ବିଶ୍ୱସ୍ତରରେ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ର ଭାବେ ପରିକଳ୍ପନା କରିଛି ।
ସିଆଇଆଇ ପର୍ଯ୍ୟଟନ, ଉଦ୍ଭାବନ ଓ ଟେକ୍ନୋଲୋଜି-ଆଧାରିତ ଅର୍ଥନୀତି, କୃଷି, ଜଳସେଚନ ଓ ଉଦ୍ୟାନ କୃଷି, ଧାତୁ ଓ ଖଣି ଖନନ, ଉତ୍ପାଦନ, ବନ୍ଦର-ପରିଚାଳିତ ବିକାଶ, ମତ୍ସ୍ୟଚାଷ ଓ ଆକ୍ୱାକଲ୍ଚର, ପରିବହନ ଓ ମଲ୍ଟି-ମୋଡାଲ ଲଜିଷ୍ଟିକ୍ସ, ମହିଳା-ନେତୃତ୍ୱାଧୀନ ଅଭିବୃଦ୍ଧି, ମାନବ ସମ୍ବଳ ବିକାଶ, ଆଦିବାସୀ ଓ ଆର୍ଥିକ ଦୁର୍ବଳ ବର୍ଗର ବିକାଶ, ସ୍ୱାସ୍ଥ୍ୟସେବା ଓ ପୋଷଣ, କଳା, ଐତିହ୍ୟ ଓ କ୍ରୀଡା, ଶକ୍ତି ରୂପାନ୍ତରଣ, ବିପର୍ଯ୍ୟୟ ସ୍ଥିରତା ଓ ଜଳବାୟୁ ପରିବର୍ତନ ଭଳି ପ୍ରମୁଖ ଅଭିବୃଦ୍ଧି ପରିଚାଳକଗୁଡିକ ଉପରେ ଗୁରୁତ୍ୱ ଦେବ ।
ଏହି ଅବସରରେ ଶ୍ରୀଯୁକ୍ତ ମଣିକାନ୍ତ ନାୟକ, ସିଆଇଆଇ ଇଣ୍ଡିଆନ ୱମେନ ନେଟ୍ୱର୍କ (ଆଇଡବ୍ଲ୍ୟୁଏନ) ମାଧ୍ୟମରେ ମହିଳା ସଶକ୍ତିକରଣ ଓ ଉଦ୍ୟୋଗିକତା ବିକାଶ ପାଇର୍ଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲାଗି ପରିଷଦର ନିରନ୍ତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଶିଳ୍ପ ଉତ୍ପାଦନ ଓ ପ୍ରତିଯୋଗିତା ବୃଦ୍ଧି କରିବା ପାଇଁ ସିଆଇଆଇ ଜିଏସଟି, ଜିଇଏମ, ଟୋଟାଲ କ୍ୱାଲିଟି ମ୍ୟାନେଜମେଂଟ (ଟିକ୍ୟୁଏମ) ଓ ଏକ୍ସପୋର୍ଟ ଡକ୍ୟୁମେଂଟେଶନ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରିବ ।
ରାଜ୍ୟ ପରିଷଦ ରାଜ୍ୟରୁ ରପ୍ତାନୀ ସମ୍ଭାବନା ବୃଦ୍ଧି, ଓଡିଶାବ୍ୟାପୀ ଏମଏସଏମଇ କନେକ୍ଟ ସିରିଜ ମାଧ୍ୟମରେ ଏମଏସଏମଇ ଓ ବୃହତ ଶିଳ୍ପଗୁଡିକ ମଧ୍ୟରେ ସଂଯୋଗକୁ ମଜବୁତ କରିବା, ଗ୍ରୀନ ସାର୍ଟିଫିକେଶନ ସହିତ ଭିତିଭୂମି ପ୍ରକଳ୍ପଗୁଡିକର ପ୍ରସାର ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ସୁବିଧା ଓ ସଂଯୋଗ ମାଧ୍ୟମରେ ମେଡିକାଲ ଟୁରିଜିମର ବିକାଶ ସମେତ ସିଆଇଆଇ ଓଡିଶାର ନୀତିଗତ ପଦକ୍ଷେପଗୁଡିକୁ ହାଇଲାଇଟ କରିଛି । ସିଆଇଆଇ ଓଡିଶା ଦକ୍ଷତା-ନିର୍ମାଣ ଅଭିଯାନ ଉପରେ ଦକ୍ଷତା ବିକାଶ ଓ ବୈଷ୍ରୟିକ ଶିକ୍ଷା ବିଭାଗ ସହ ସହଭାଗିତା କରିବା ଜାରି ରଖିବ, ବିଭିନ୍ନ ନୀତି ପ୍ରସଙ୍ଗ ଉପରେ ଶିଳ୍ପର ପରାମର୍ଶଗୁଡିକୁ ଦାଖଲ କରିବ, ନିବେଶ ପ୍ରୋତ୍ସାହାନ ପାଇଁ ସରକାରଙ୍କ ସହ ସହଯୋଗିତା କରିବ, ଫୁଡ ଓ ଟ୍ରାଭେଲ ବ୍ଲଗରଙ୍କ ସହିତ ନିୟୋଜନ ମାଧ୍ୟମରେ ପର୍ଯ୍ୟଟନର ପ୍ରଚାର ପ୍ରସାର କରିବ, ରପ୍ତାନୀ ବୃଦ୍ଧିରେ ସହଯୋଗ କରିବ ଏବଂ ଅର୍ବାନ ଡେଭ୍ଲପମେଂଟ ଡିପାର୍ଟମେଂଟ୍ସ ଓ ଅର୍ବାନ ଲୋକାଲ ବଡିଜ୍ (ୟୁଏଲବି)ର ଅଧିକାରୀଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମର ପରିଚାଳନା କରିବ ।
ଏହି ପଦକ୍ଷେପଗୁଡିକ ମାଧ୍ୟମରେ ସିଆଇଆଇ ଓଡିଶା, ଓଡିଶାର ଶିଳ୍ପ ଇକୋସିଷ୍ଟମକୁ ଆହୁରି ମଜବୁତ କରିବା ଏବଂ ରାଜ୍ୟର ଦୀର୍ଘକାଳିନ ଅର୍ଥନୈତିକ ଓ ସାମାଜିକ ବିକାଶ ଲକ୍ଷ୍ୟ ଦିଗରେ ବହୁମାତ୍ରାରେ ଯୋଗଦାନ ଦେବା ପାଇଁ ଲକ୍ଷ୍ୟ ରଖିଛି ।







