ମାଛିପଡ଼ାଠାରେ ଅଟକିଛି ନୂଆ ଲାଇନ୍, ଓଡ଼ଗାଁରେ ବିଦ୍ୟୁତ୍ ସଙ୍କଟ
ଓଡ଼ଗାଁ,୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଦ୍ୟୁତ୍ ସେକ୍ସନ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଚ୍ଛିନ୍ନ ହେବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଯୋଗୁଁ ଲୋକେ ଅତ୍ୟନ୍ତ ହନ୍ତସନ୍ତ ହେଉଥିବା ବେଳେ, ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଅଞ୍ଚଳବାସୀଙ୍କ ଦୁର୍ଭୋଗକୁ ଆହୁରି ବଢ଼ାଇଦେଇଛି। ସୂଚନାନୁସାରେ, ନୟାଗଡ଼ ଗ୍ରୀଡ୍ରୁ ଓଡ଼ଗାଁକୁ ଆସୁଥିବା ପୁରୁଣା ୩୩ କେଭି ଲାଇନ୍ରେ ବାରମ୍ବାର ତ୍ରୁଟି ଦେଖାଦେଉଛି। ପ୍ରାୟ ୬୦ରୁ ୭୦ ବର୍ଷ ପୁରୁଣା ଏହି ଲାଇନ୍ଟି ଘନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବାରୁ ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ଗଛ ଡାଳ ପଡ଼ିବା, ଇନସୁଲେଟର କ୍ଷତିଗ୍ରସ୍ତ ହେବା ପରି କାରଣରୁ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେଉଛି। ଗତ ୧୫ ଦିନ ମଧ୍ୟରେ କାଳବୈଶାଖୀ ଝଡ଼ବର୍ଷା କିମ୍ବା ଅଧିକ ଲୋଡ୍ କାରଣରୁ ବିଦ୍ୟୁତ୍ ବିଚ୍ଛିନ୍ନ ହେବା ସାଧାରଣ ଘଟଣାରେ ପରିଣତ ହୋଇଛି। କେତେକ ସମୟରେ ୧୮ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ଠପ୍ ରହିଥିବା ଅଭିଯୋଗ ହୋଇଛି। ମେଘ ପରେ ଆକାଶ ସ୍ୱାଭାବିକ ହୋଇଯାଉଥିଲେ ମଧ୍ୟ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବାରେ ବହୁ ସମୟ ଲାଗୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ସରକାର ସମୟରେ ନୟାଗଡ଼ ଗ୍ରୀଡ୍ରୁ ଓଡ଼ଗାଁକୁ ଏକ ନୂଆ ୩୩ କେଭି ଲାଇନ୍ ନିର୍ମାଣ ପାଇଁ ଯୋଜନା ହୋଇ ଅର୍ଥ ବରାଦ କରାଯାଇଥିଲା। ଖୁଣ୍ଟ ପୋତାଯାଇ ଅଧିକାଂଶ ସ୍ଥାନରେ ତାର ଟଣା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ ମାଛିପଡ଼ା ଗ୍ରାମ ନିକଟରେ ପ୍ରାୟ ୭ରୁ ୮ ଗୋଟି ସ୍ପାନ୍ ତାର ଟଣା ବାକି ରହିଥିବାରୁ କାମ ଅଟକି ରହିଛି। ମାଛିପଡ଼ା ଗ୍ରାମବାସୀଙ୍କ ଦାବି ଅନୁଯାୟୀ, ତାଙ୍କ ଅଞ୍ଚଳର ପ୍ରାୟ ଦେଢ଼ କିଲୋମିଟର ୧୧ କେଭି ଖୋଲା ତାରକୁ ହଟାଇ ଇନସୁଲେଟେଡ୍ ତାର ଟଣାଯିବା ପରେ ଯାଇ ୩୩ କେଭି ଲାଇନ୍ କାମ ଆଗକୁ ବଢ଼ିବ। ଏହି କାମ ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ, ଏତେ ବ୍ୟୟ ନୟାଗଡ଼ ବିଦ୍ୟୁତ୍ ଡିଭିଜନ ପକ୍ଷରୁ ସମ୍ଭବ ନୁହେଁ ବୋଲି ଜଣାପଡ଼ିଛି। ଏହି ଗୁରୁତର ସମସ୍ୟା ସମ୍ପର୍କରେ ନୟାଗଡ଼ ଜିଲ୍ଲା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି। ତେବେ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ୍ ବିଭାଗ କେବେ ଏହାର ସମାଧାନ କରୁଛନ୍ତି, ସେପର୍ଯ୍ୟନ୍ତ ଓଡ଼ଗାଁବାସୀ ଅପେକ୍ଷାକରି ରହିବାକୁ ପଡିବ ବୋଲି ଜଣାପଡ଼ିଛି ।








