ଓଡ଼ଗାଁ, ୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ହିନ୍ଦୁ ସଂସ୍କୃତିର ଆରାଧ୍ୟା ଗୋମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଓ ସୁରକ୍ଷା ପ୍ରଦାନ ସହ ଗୋହତ୍ୟା ବନ୍ଦ ଦାବିରେ ସୋମବାର ସର୍ବଭାରତୀୟ ସ୍ତରରେ ସାଧୁସନ୍ଥମାନଙ୍କ ଆହ୍ୱାନକ୍ରମେ “ଗୋ ସମ୍ମାନ ଅଭିଯାନ” ଆୟୋଜିତ ହୋଇଥିଲା। ଏହାର ଅଂଶ ଭାବେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଶାଖା ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।
ଓଡ଼ଗାଁର ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ଏହି ଶୋଭାଯାତ୍ରା ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।
ଅଭିଯାନ କାରୀମାନେ କହିଥିଲେ ଯେ, ଭାରତୀୟ ଗୋବଂଶ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ଜୀବନ୍ତ ପ୍ରତୀକ। ସେମାନଙ୍କ ସୁରକ୍ଷା ବିନା ସାଂସ୍କୃତିକ ପୂର୍ଣ୍ଣତା ଅସମ୍ଭବ। ବର୍ତ୍ତମାନ ଚୋରା ଚାଲାଣ, ଅବୈଧ ହତ୍ୟା ଓ ରାସ୍ତା ଘାଟରେ ଅବହେଳିତ ଅବସ୍ଥାରେ ଘୁରୁଥିବା ଗାଈମାନଙ୍କ ଦୁର୍ଦ୍ଦଶା ଚିନ୍ତାଜନକ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସେମାନେ ଆହୁରି କହିଥିଲେ ଯେ, ଗୋବଂଶ କେବଳ ଧାର୍ମିକ ବିଶ୍ୱାସର ପ୍ରତୀକ ନୁହେଁ, ଗ୍ରାମୀଣ ଅର୍ଥନୀତିର ମୂଳ ଭିତ୍ତି ମଧ୍ୟ। ଗାଈ ଆଧାରିତ ପ୍ରାକୃତିକ କୃଷିକୁ ପ୍ରୋତ୍ସାହନ ଦେଇ କୃଷକମାନଙ୍କୁ ରାସାୟନିକ ସାରରୁ ମୁକ୍ତ କରାଯାଇ ପାରିବ ଏବଂ ଦେଶବାସୀଙ୍କୁ ସୁସ୍ଥ ଓ ସାତ୍ତ୍ୱିକ ଖାଦ୍ୟ ଯୋଗାଣରେ ସହାୟକ ହେବ। ଏହି ଅବସରରେ ଗୋମାତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦେବା ସହ ଗୋହତ୍ୟା ବନ୍ଦ ପାଇଁ କେନ୍ଦ୍ରୀୟ ଆଇନ କଡାକଡି କରିବାକୁ ସ୍ଲୋଗାନ ଦିଆଯାଇଥିଲା।
ଓଡ଼ଗାଁର ଆବାହକ ଗୋସେବକ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପଦଯାତ୍ରା ପରିଚାଳିତ ହୋଇଥିଲା। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଉପସ୍ଥିତି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଗୋସେବକମାନଙ୍କୁ ଉତ୍ସାହିତ କରିଥିଲା। ଅଚ୍ୟୁତ ପଣ୍ଡା, ଜଗନ୍ନାଥ ପାଣିଗ୍ରାହୀ, ପ୍ରତାପ କୁମାର ଦାସ, ରାଜେଶ ସେଠୀ, ହିମାଦ୍ରୀ ମହାରଣା, ଭଗବାନ ପ୍ରଧାନ ସମେତ ଅନେକ ଗୋସେବକ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ରାଜ୍ୟ
ଗୋ ସମ୍ମାନ ଓ ସୁରକ୍ଷା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବି
- Hits: 57








