ରାଉରକେଲା,(ବସନ୍ତ କୁମାର ଜେନା): ବେଦବ୍ୟାସ ଗୋଶାଳା ସମିତି, ରାଉରକେଲା ଆନୁକୂଲ୍ୟରେ ସୋମବାର ‘ଗୋ-ସମ୍ମାନ ଆହ୍ୱାନ ଦିବସ’ ଅବସରରେ ଏକ ବ୍ୟାପକ ଜନଜାଗରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉଦିତନଗର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ଗୋ-ସମ୍ମାନ ପଦଯାତ୍ରା ବାହାରିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଗୋ-ଭକ୍ତ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୋମାତାଙ୍କ ସେବା, ସୁରକ୍ଷା, ସଂରକ୍ଷଣ ଓ ସମ୍ମାନକୁ ମୌଳିକ ଅଧିକାର ଦେବା, ଗୋ-ହତ୍ୟା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ଏବଂ ସାମ୍ବିଧାନିକ ଭାବେ “ରାଷ୍ଟ୍ରମାତା” ଘୋଷଣା କରିବା ଦାବିକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା। ପଦଯାତ୍ରା ସମୟରେ ଜନସମ୍ପର୍କ, ସ୍ୱାକ୍ଷର ଅଭିଯାନ ଏବଂ ଭଜନ-କୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।
ବେଦବ୍ୟାସ କଲ୍ୟାଣ ଆଶ୍ରମର ଅଗ୍ନି ବାବାଙ୍କ ସାନିଧ୍ୟରେ ବାହାରିଥିବା ଏହି ଯାତ୍ରାରେ ସମିତି ସଭାପତି ଅଶୋକ ଅଗ୍ରୱାଲ, ସୁରେଶ ମିତ୍ତଲ, କୈଳାଶ ମାରୋଠିଆ, ପୂରନମଲ ଅଗ୍ରୱାଲ, ସୁରେଶ କେଜ୍ରିୱାଲ, ରାଧେଶ୍ୟାମ ବେରଲିଆ, ରାଜୁ ସିଂହ, ବିନୋଦ ବାଲ୍ଟିୱାଲା, ପ୍ରଦୀପ ମୋଦୀ, କେଦାର ମହାନ୍ତି, ଉଦୟ ରାଜଗଡ଼ିଆ, ଡାକ୍ତର ସମନ୍ତ ସାହୁ, ଗୋଲ୍ଡି ସିଂହ, ବିନୟ ପାଣ୍ଡେ, ସୁରେଶ ଜିନ୍ଦଲ, ପବନ ଅଗ୍ରୱାଲ, ରମେଶ ଗୋପାଳବାସିଆ, ହରିଓମ ବଂଶଲ, ରାମୁ ବଂଶଲ, ରାଜକୁମାର ଯାଦବ, ବୀରେନ ପତି, ପ୍ରଭୁ ପାତ୍ର ଏବଂ ପ୍ରମୋଦ ଶର୍ମାଙ୍କ ସମେତ ଅନେକ ବ୍ୟକ୍ତି ସାମିଲ ହୋଇଥିଲେ।
ଏହା ସହିତ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜୁ ସିଂହ ଏବଂ ଇନ୍ଦ୍ରଜିତ୍ ଠାକୁରଙ୍କ ସମେତ ଅନେକ ଗୋ-ପ୍ରେମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।








