ହେଡଲାଇନସ୍:

ନିର୍ଗୁନଡିହିରେ ୧୫ ଦିନ ଧରି ବନ୍ଦ ମେଗା ଜଳଯୋଗାଣ, ପଡ଼ାବାସୀଙ୍କ ଅସନ୍ତୋଷ ବୃଦ୍ଧି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଗୁଡିଗାଁ ଗ୍ରାମର ନିର୍ଗୁନଡିହି ପଡ଼ାରେ ମେଗା ପାଇପ୍ ଜଳଯୋଗାଣ ପ୍ରକଳ୍ପ ବ୍ୟବସ୍ଥା ଥିବା ସତ୍ତ୍ୱେ ଗତ ୧୫ ଦିନ ଧରି ପାଣି ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ଉଠିଛି। ତୀବ୍ର ଖରା ସମୟରେ ପାଣି ନ ମିଳିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି।

ଅଭିଯୋଗ ଅନୁଯାୟୀ, ପୂର୍ବରୁ ଏହି ପଡ଼ାରେ କୌଣସି ପାଇପ୍ ଜଳଯୋଗାଣ ବ୍ୟବସ୍ଥା ନଥିଲା। ପ୍ରାୟ ୫ ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଗା ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ପଡ଼ାର ପ୍ରତ୍ୟେକ ଘର ସମ୍ମୁଖରେ ଷ୍ଟାଣ୍ଡପୋଷ୍ଟ ସ୍ଥାପନ କରାଯାଇଥିଲା। ପ୍ରାୟ ଦେଢ଼ ମାସ ପୂର୍ବରୁ ଜଳଯୋଗାଣ ଆରମ୍ଭ ହେବା ପରେ ଲୋକମାନେ ଆଶ୍ୱସ୍ତ ହୋଇଥିଲେ ଓ ଏକ ମାସ ଧରି ସମ୍ୟକ୍ ଭାବେ ପାଣି ମିଳୁଥିଲା।

କିନ୍ତୁ ହଠାତ୍ ଗତ ୧୫ ଦିନ ଧରି ଷ୍ଟାଣ୍ଡପୋଷ୍ଟରୁ ପାଣି ଆସିବା ବନ୍ଦ ହୋଇଯାଇଛି। ପଞ୍ଚାୟତ ପକ୍ଷରୁ ଏହି ପ୍ରକଳ୍ପ ଚାଲିନଥିବାରୁ ଲୋକମାନେ କାହା ପାଖରେ ଅଭିଯୋଗ କରିବେ ତାହା ନିଜେ ନିଶ୍ଚିତ କରିପାରୁନାହାନ୍ତି।

ଏନେଇ କୋଲାବିରା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ରଞ୍ଜିତାବାଲା ଦାସଙ୍କୁ ପଚାରାଯାଇଥିବାବେଳେ ସେ କହିଛନ୍ତି ଯେ, ମେଗା ଜଳଯୋଗାଣ ପ୍ରକଳ୍ପରେ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ କରାଯାଉଛି। ଏପର୍ଯ୍ୟନ୍ତ କୋଲାବିରା ବ୍ଲକର ୬ଟି ଗ୍ରାମକୁ ମାତ୍ର ପାଣି ଯୋଗାଣ ସମ୍ଭବ ହୋଇପାରିଛି। ନିର୍ଗୁନଡିହିରେ କାହିଁକି ପାଣି ବନ୍ଦ ହୋଇଛି, ସେଥିପାଇଁ ତଦନ୍ତ କରାଯାଇ ଶୀଘ୍ର ସମାଧାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମସ୍ୟାର ଶୀଘ୍ର ସମାଧାନ ଦାବି କରି ସ୍ଥାନୀୟ ଲୋକମାନେ ପ୍ରଶାସନଙ୍କ ନଜର ଆକର୍ଷଣ କରିଛନ୍ତି।

0
0
0
s2sdefault