ଝାରସୁଗୁଡା: ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋଲାବିରା ବ୍ଲକର ସେୱା ଅନୁଷ୍ଠାନ ତରଫରୁ ଜିୱା ପ୍ରୋଜେକ୍ଟ ମାଧ୍ୟମରେ ଲଇକେରା ବ୍ଲକ ଅଧୀନ ହୁଡୁକୁଡିହି ଗ୍ରାମରେ ଏକ ଦେଶୀ କିସମ ବିହନ ମେଳା ଆୟୋଜିତ ହୋଇଯାଇଛି।
ଏହି ମେଳାରେ ଧାନ, ମାଣ୍ଡିଆ, ଡାଲି, ତୈଳବୀଜ ଓ ପନିପରିବା ଇତ୍ୟାଦିର ବିଭିନ୍ନ ପ୍ରକାର ଦେଶୀ କିସମର ବିହନ ପ୍ରଦର୍ଶନ କରାଯାଇଥିଲା। ବାବୁଛିପିଡିହି ଓ ଜାମମାଲ ପଞ୍ଚାୟତର ଚାଷୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ବିହନର ବିଶେଷତ୍ୱ, ଅମଳ କ୍ଷମତା ଓ ଜଳବାୟୁ ଅନୁକୂଳତା ବିଷୟରେ ଅବଗତ ହୋଇଥିଲେ।
ମେଳାରେ ଦେଶୀ ବିହନର ସଂରକ୍ଷଣ, ବିନିମୟ ଓ ଜୈବିକ କୃଷିର ପ୍ରସାର ଉପରେ ମୁଖ୍ୟ ଆଲୋଚନା କରାଯାଇଥିଲା। ଏହି ପ୍ରୟାସ ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି ବିବିଧତା ସଂରକ୍ଷଣରେ ସହାୟକ ହେବ ବୋଲି ସେୱାର ସମ୍ପାଦକ ସୁଶିଲ କୁମାର ଦାଶ ସୂଚନା ଦେଇଥିଲେ।
ସେୱା ସମ୍ପାଦକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେୱା ଦ୍ୱାରା ପରିଚାଳିତ କୃଷି ଉତ୍ପାଦକ କ୍ଲଷ୍ଟର ପ୍ରୋଜେକ୍ଟ ଓ ଶ୍ରୀ ଅନ୍ନ ଅଭିଯାନର କର୍ମୀମାନେ ସହଯୋଗ କରିଥିଲେ।








