
ଭୁବନେଶ୍ୱର : କଳିଙ୍ଗର ବରପୁତ୍ର , ମହାନ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ତଥା ତାଙ୍କ ହାତ ତିଆରି ଅନୁଷ୍ଠାନ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପରିସରରେ ପ୍ରବାଦପୁରୁଷ ବିଜୁବାବୁଙ୍କ ମହାପ୍ରୟାଣ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟ ପରିସରରେ ବିଜୁବାବୁଙ୍କର ଏକ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଟ୍ରଷ୍ଟର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଡଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ; ସଚିବ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ; ଟ୍ରଷ୍ଟି ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ବୈଜ୍ଞାନିକ ଡଃ ଓଁକାର ନାଥ ମହାନ୍ତି; ଟ୍ରଷ୍ଟି ତଥା କବି, ଲେଖକ ଓ ଶିଳ୍ପପତି ଡଃ ଶ୍ରୀକାନ୍ତ ମିଶ୍ର; ଟ୍ରଷ୍ଟି ତଥା ଆଡ଼ଭୋକେଟ ଶ୍ରୀ ଅଶ୍ୱିନୀ ପଟ୍ଟନାୟକ; ଟ୍ରଷ୍ଟି ଶ୍ରୀ ଅମର ନାଥ ମିଶ୍ର; ଟ୍ରଷ୍ଟି ତଥା ଶିକ୍ଷା ଉଦ୍ୟୋଗୀ ଶ୍ରୀ ଧର୍ମେନ୍ଦୁ ପଟ୍ଟନାୟକ ଆଦି ସଦସ୍ୟମାନେ ଉପସ୍ଥିତ ରହି ବିଜୁବାବୁଙ୍କର ସ୍ମୃତିଚାରଣ କରିଥିଲେ ।
ସ୍ମୃତିଚାରଣ ସଭାରେ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ପ୍ରଫୁଲ୍ଲୁ ଚନ୍ଦ୍ର ଘଡାଇ ସଭାପତିତ୍ୱ କରି ନବ ଉତ୍କଳର ନିର୍ମାଣରେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ଅଦ୍ୱିତୀୟ ଅବଦାନ ତଥା ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟଭାବେ ଗଢ଼ି ତୋଳିବାରେ ଏବଂ ମହିଳାମାନଙ୍କର ଉତ୍ଥାନ ଦିଗରେ ତାଙ୍କର ଅସାଧାରଣ ଯୋଗଦାନ ତାଙ୍କୁ ଚିରକାଳ ଓଡ଼ିଆ ଜନମାନସରେ ମହାନ ଯୁଗପୁରୁଷ ଭାବେ ଉଜ୍ଜୀବିତ କରି ରଖିଥିବ ବୋଲି ଅବତାରଣା କରିଥିଲେ ।
୧୯୫୦ ମସିହାରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ପ୍ରତିଷ୍ଠା ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ବିଜୁବାବୁଙ୍କ ଅସାମାନ୍ୟ କୃତି ଓ କୀର୍ତ୍ତି ବିଶ୍ୱ ବିଜ୍ଞାନ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ କାଳକାଳକୁ ରହିଥିବ ବୋଲି ସେ ପ୍ରକାଶ କରିଥିଲେ । ୟୁନେସ୍କୋ, ପ୍ୟାରିସ ମାଧ୍ୟମରେ ୧୯୫୨ ମସିହାରୁ ବିଜ୍ଞାନକୁ ଲୋକପ୍ରିୟ କରିବା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର “ଆନ୍ତର୍ଜାତିକ କଳିଙ୍ଗ ପୁରସ୍କାର”ର ପ୍ରତିଷ୍ଠା କରି ବିଜୁବାବୁ ବିଶ୍ୱ ବିଜ୍ଞାନ ଜଗତରେ ଚହଳ ସୃଷ୍ଟି କରିଥିଲେ ବୋଲି ସଭାପତି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଭାଷାତତ୍ତ୍ୱବିତ ପଦ୍ମଶ୍ରୀ ଡଃ ଦେବୀପସନ୍ନ ପଟ୍ଟନାୟକ, ଗାନ୍ଧିବାଦୀ ଶ୍ରୀ ପ୍ରହଲ୍ଲାଦ ସିଂ, ଇଂ. ପାର୍ଥସାରଥି ମୁଦୁଲି ପ୍ରମୁଖ ସ୍ମୃତିଚାରଣ କରି ବିଜୁବାବୁଙ୍କୁ ଜଣେ ରାଷ୍ଟ୍ର ନାୟକ ଏବଂ ପ୍ରବାଦ ପୁରୁଷ ଭାବରେ ବର୍ଣ୍ଣନା କରିଥିଲେ ।
ଶେଷରେ ଯୁଗ୍ମ ମ୍ୟାନେଜିଂ ଟ୍ରଷ୍ଟି ବୈଜ୍ଞାନିକ ଡ଼କ୍ଟର ଚିତ୍ତରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କ ଅଭିଭାଷଣରେ ସମଗ୍ର ବିଶ୍ୱରେ ବିଜ୍ଞାନକୁ ଲୋକପ୍ରିୟ କରିବା କ୍ଷେତ୍ରରେ ବିଜୁବାବୁଙ୍କ କାଳଜୟୀ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ଉଲ୍ଲେଖ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ କୁମାର ମହାପାତ୍ର, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସ୍କୁଲ କଲେଜର ଛାତ୍ରଛାତ୍ରୀ, ରାଜନେତା, ବରିଷ୍ଠ ନାଗରିକ, ଗଣମାଧ୍ୟମର ପ୍ରତିନିଧି ଓ ସର୍ବସାଧରଣ ଜନତା ଉପସ୍ଥିତ ରହି ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରିଥିଲେ ।








