ଭୁବନେଶ୍ୱର, ୧୭.୦୪.୨୦୨୬ :ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ତଥା ଓଡ଼ିଆ ସ୍ୱାଭିମାନର ପ୍ରତୀକ ମହାନ ଜନନାୟକ ବିଜୁ ପଟ୍ଟନାୟକ ଜଣେ କିମ୍ବଦନ୍ତୀ ପୁରୁଷ ଥିଲେ। ସେ ନିଜର ଦୁଃସାହସିକତା, ନିର୍ଭୀକତା, ସେବାଭାବ ଓ ତ୍ୟାଗମୟ ଜୀବନ ମାଧ୍ୟମରେ ଓଡ଼ିଆ ଜାତିର ଗୌରବକୁ ସୁଦୃଢ଼ କରିଥିଲେ। ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ଆଜି ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ବିଜୁବାବୁଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ, ଦୁଃସାହସିକ ବୈମାନିକ, ଲୋକପ୍ରିୟ ରାଜନୀତିଜ୍ଞ ଓ ସମାଜସେବକ ଭାବେ ତାଙ୍କର ଅସାଧାରଣ ଅବଦାନ ସଦା ସ୍ମରଣୀୟ ରହିବ ବୋଲି ଏହି ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି କ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ, ଭୁବନେଶ୍ୱରରେ ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ଅବସରରେ ସାନ୍ଧ୍ୟ ସମାରୋହ ପାଳିତ ହୋଇଥିଲା। ଏହି ଅବସରରେ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀଯୁକ୍ତ ଗୁରବୀର ସିଂହ, ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ, ବିତ୍ତ ପରାମର୍ଶଦାତା ଶ୍ରୀ ପୃଥ୍ୱୀରାଜ ପାଣି ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।
ପରେପରେ ଭଜନ ସମାରୋହ ଆୟୋଜିତ ହୋଇଥିଲା ଏବଂ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରଭ ନାୟକଙ୍କ ସହ ଗାୟିକା ଯଶସ୍ୱିନୀ ନାୟକ ଓ ଗୋପାଳଙ୍କ ଦ୍ୱାରା ଭକ୍ତି ସଂଗୀତ ପରିବେଷଣ କରାଯାଇଥିଲା। ସଙ୍ଗୀତରେ ତବଲାରେ ରାକେଶ, ଢୋଲକରେ ସାଗର, ଅକ୍ଟୋପ୍ୟାଡରେ ଅଭିଲାଶ ଏବଂ କିବୋର୍ଡରେ ବସନ ମିଶ୍ର ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ବିନୋଦ ଓ ସୁନୀତାଙ୍କ ଦ୍ୱାରା କରାଯାଇଥିଲା। ଏହି ସମଗ୍ର ପରିବେଷଣ ଉପସ୍ଥିତ ଦର୍ଶକମାନଙ୍କୁ ଭାବବିହ୍ୱଳ କରିଥିଲା।
ସାନ୍ଧ୍ୟ ସମାରୋହରେ ବିଭିନ୍ନ ସ୍ତରର ବିଶିଷ୍ଟ ବ୍ୟକ୍ତିବର୍ଗ, ସାମାଜିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ବରପୁତ୍ରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।








