ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ
ନୟାଗଡ଼(ବିଶ୍ୱଜିତ ନାୟକ) :- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଶ୍ରୀ ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଲୋକନାଥ ସାହୁ, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଉପାଧ୍ୟକ୍ଷ ଶ୍ରୀ ଗୁରୁପ୍ରସାଦ ଜେନା, ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବିରଜାଲକ୍ଷ୍ମୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର କଅଁର, ଶ୍ରୀ କ୍ଷୀରୋଦ କୁମାର ମହାପାତ୍ର, ଶ୍ରୀ ସରୋଜ କୁମାର ରଣସିଂହ, ବିଜେଡ଼ି ବ୍ଲକ୍ ସଭାପତି ଶ୍ରୀ ଭଞ୍ଜ ବାବୁ, ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଦୁର୍ଯ୍ୟୋଧନ ବେହେରା, ପୂର୍ବତନ ଛାତ୍ର ସଭାପତି ଶ୍ରୀ ନୀଳମାଧବ ପଣ୍ଡା ଓ ସଂଖ୍ୟା ଲଘୁ ସେଲର ସଭାପତି ଶ୍ରୀ ଏସ.କେ. ନଇମ୍ ପ୍ରମୁଖ ଉପସ୍ଥିତ ଥିଲେ।
ସମସ୍ତ ଅତିଥିମାନେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ତାଙ୍କ ଦେଶପ୍ରେମ, ଦୃଢ଼ ନେତୃତ୍ୱ ଓ ଓଡ଼ିଶାର ଉନ୍ନତି ପାଇଁ ଅମୂଲ୍ୟ ଅବଦାନ ବିଷୟରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।
ସଭା ଶେଷ ପରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗସ୍ତ କରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଶ୍ରୀମତୀ ପୁଷ୍ପା ଲାକ୍ରାଙ୍କ ସହ ଭେଟ କରି ରୋଗୀମାନଙ୍କୁ କିପରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହା ନେଇ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ସମାଜସେବାରେ ନିଯୁକ୍ତ ରହିବାକୁ ସମସ୍ତେ ସଙ୍କଳ୍ପ ଗ୍ରହଣ କରିଥିଲେ।








