ବ୍ରହ୍ମପୁର, ଅପ୍ରେଲ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍), ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିଛି । ଏହି କ୍ରମରେ କମ୍ପାନୀ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପାୱାର ସବ୍-ଷ୍ଟେସନ (ପିଏସ୍ଏସ୍) ରେ ସ୍ଥାପନ କରାଯାଇଛି । ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ, ଭବିଷ୍ୟତ ପ୍ରସ୍ତୁତ ଏବଂ ସ୍ଥିର ବିଜୁଳି ଯୋଗାଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ଥିବା ପ୍ରତିବଦ୍ଧତାକୁ ଏହି ଅଭିନବ ପଦକ୍ଷେପ ଦର୍ଶାଉଛି ।
ସହରାଞ୍ଚଳ, ସରକାରୀ ପ୍ରତିଷ୍ଠାନ ଏବଂ ଉଦୀୟମାନ ବାଣିଜ୍ୟିକ କାର୍ଯ୍ୟକଳାପର ମିଶ୍ରଣ ସହିତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଜିଲ୍ଲା ମୁଖ୍ୟାଳୟ ଭାବେ ରାୟଗଡ଼ା ଏହି ଅଞ୍ଚଳରେ ଏକ ରଣନୈତିକ ଗୁରୁତ୍ୱ ବହନ କରେ । ଏଥିସହିତ ଏହା ମଧ୍ୟ ଜନଜାତି ଏବଂ ଗ୍ରାମାଞ୍ଚଳ ପାଇଁ ଏକ ପ୍ରମୁଖ ପ୍ରାଶାସନିକ ଓ ସଂଯୋଗ କେନ୍ଦ୍ର ଭାବରେ ସେବା ଯୋଗାଇଥାଏ । ଶାସନ, ଜନସେବା, ସ୍ଥାନୀୟ ବ୍ୟବସାୟ ଏବଂ ସାମଗ୍ରିକ ଭାବରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଏହି ଅଞ୍ଚଳରେ ଦୃଢ଼ ତଥା ସ୍ଥିର ଓ ଭରସାଯୋଗ୍ୟ ବିଜୁଳି ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ସହରର ବର୍ଦ୍ଧିତ ବିଜୁଳି ଚାହିଦାକୁ ଦୃଷ୍ଟିରେ ରଖି ଟିପିଏସ୍ଓଡିଏଲ୍ ତରଫରୁ ୩୩/୧୧ କେଭି, ୧୨.୫/୧୬ ଏମଭିଏ ଟ୍ରାନ୍ସଫର୍ମର ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ କରାଯାଇଛି । ଏହି ଉନ୍ନତିକରଣ ଫଳରେ ଓଭରଲୋଡିଂ ସମସ୍ୟା ଦୂରୀଭୂତ ହେବ । ଏଥିସହିତ ବିଦ୍ୟୁତ ସଂସ୍ଥାପନର କ୍ଷମତା ବୃଦ୍ଧି ପାଇବା ସହିତ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ ହୋଇଛି ।
ନୂତନ ଭାବରେ ସ୍ଥାପନ ହୋଇଥିବା ଏହି ଟ୍ରାନ୍ସଫର୍ମର ବର୍ତ୍ତମାନ ୧୧କେଭି ଟାଉନ – ୩ ଫିଡରକୁ ବିଦ୍ୟୁତ ଯୋଗାଣ କରିବ । ଫଳତଃ ଏହି ଉନ୍ନତିକରଣ ଯୋଗୁଁ ବହୁ ଘରୋଇ ଉପଭୋକ୍ତା, ସରକାରୀ କାର୍ଯ୍ୟାଳୟ ସମେତ ପ୍ରମୁଖ ଜିଲ୍ଲା ପ୍ରଶାସନର ସୁବିଧା ମିଳୁଥିବା ଅଞ୍ଚଳ ସହିତ ପ୍ରାୟ ୮,୦୦୦ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି । ଏଥିସହିତ ନୂତନ ୩୩କେଭି ଏବଂ ୧୧କେଭି ଲାଇନ ସଂଯୋଗ ଯୋଗୁଁ ପୁରୁଣା ଭିତ୍ତିଭୂମି ଉପରେ ଥିବା ଲୋଡ୍ ହ୍ରାସ ପାଇବ ଏଥିସହିତ ବିଦ୍ୟୁତ ପରିଚାଳନା ଅଧିକ ସୁଗମ ଓ ଦକ୍ଷତାର ସହିତ ହୋଇପାରିବ ।
ସେହିଭଳି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଟିପିଏସ୍ଓଡିଏଲ୍ ତରଫରୁ ସବଷ୍ଟେସନରେ ଏକ ୩୩ କେଭି ରିଙ୍ଗ ମେନ୍ ୟୁନିଟ୍ (ଆରଏମୟୁ) ମଧ୍ୟ ସ୍ଥାପନ ହୋଇଛି । ଯାହା ଏକ ଦ୍ୱୈତ ଉତ୍ସକୁ ସମର୍ଥନ କରେ ଏଥିସହିତ ଜରୁରୀକାଳୀନ ସମୟରେ ଓ ଫିଡରରେ କୌଣସି ତୃଟି ହେଲେ ମଧ୍ୟ ବିଦ୍ୟୁତ ଯୋଗାଣ ଦିଗରେ ସ୍ଥିରତା ଆଣିବାରେ ସହାୟକ ହେବ ।
ରାୟଗଡ଼ା ଜିଲ୍ଲାର ବିଦ୍ୟୁତ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ଦିଗରେ ଟିପିଏସ୍ଓଡିଏଲ୍ ତରଫରୁ ନିଆଯାଇଥିବା ଏହି ପଦକ୍ଷେପ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ । ଉପଭୋକ୍ତାମାନେ ଏହି ଉନ୍ନତୀକରଣ ପରେ ବିଦ୍ୟୁତ ଯୋଗାଣରେ କମ୍ ବାଧା, ଉନ୍ନତ ଭୋଲ୍ଟେଜ ସ୍ଥିରତା ଏବଂ ସାମଗ୍ରିକ ସେବା ପାଇବାରେ ସମର୍ଥ ହେବେ । ଯାହା ସହରର ଅଭିବୃଦ୍ଧି ଓ ବିକାଶକୁ ବଳ ଯୋଗାଇବ ।
ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ସମଗ୍ର ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ । ଅଟୋନଗର ପିଏସ୍ଏସ୍ ରେ ସ୍ଥାପନ ହୋଇଥିବା ଏହି ନୂତନ ଟ୍ରାନ୍ସଫର୍ମର ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ । ଏହା ରାୟଗଡ଼ାର ଲୋକଙ୍କୁ ବିଶେଷ ଭାବରେ ଉପକାର ପ୍ରଦାନ କରିବା ସହିତ ଜିଲ୍ଲାର ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରା କରିବ” ।
ଟିପିଏସ୍ଓଡିଏଲ୍ ନିରନ୍ତର ଭିତ୍ତିଭୂମିର ଉନ୍ନତିକରଣ ଏବଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରି ଗ୍ରାହକଙ୍କ ସନ୍ତୁଷ୍ଟି ପାଇଁ ପ୍ରତିବଦ୍ଧ ।








