ହେଡଲାଇନସ୍:

ସାଂସ୍କୃତିକ ବିବିଧତାର ପ୍ରାଣବନ୍ତ ପ୍ରତିଛବି ହେଉଛି ଜିଲ୍ଲା ମହୋତ୍ସବ କଲ୍ଲୋଳ: ମୁଖ୍ୟ ଅତିଥି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ "କଲ୍ଲୋଳ-୨୦୨୬" ର ଉଦ୍‌ଘାଟନୀ ଉତ୍ସବ


ଜଗତସିଂହପୁର-ତା ୧.୪.୨୦୨୬/ସୁମନ୍ତ କୁମାର ଦାସ:  ଆଜି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ୨୦୨୬ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉତ୍ସବକୁ ଉଦ୍‌ଘାଟନ କରିବା ସହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶାର ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ଶ୍ରୀ ଗୋକୁଳାନନ୍ଦମଲ୍ଲିକ କହିଲେ ଜଗତସିଂହପୁର ଜିଲ୍ଲା ଏକ ସମୃଦ୍ଧ ଜିଲ୍ଲା । କଳା,ସଂସ୍କୃତି, ଐତିହ୍ୟ ଓ ଶିକ୍ଷା କ୍ଷେତ୍ରରେ ଏ ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସାଂସ୍କୃତିକ ବିବିଧତାର ପ୍ରାଣବନ୍ତ ପ୍ରତିଛବି ହେଉଛି ଜିଲ୍ଲା ମହୋତ୍ସବ କଲ୍ଲୋଳ। ଏହା ହସ ଓ ଆନନ୍ଦ ଉଲ୍ଲାସ ର ପର୍ବ।ଏହି ମାଟିର ସୁଯୋଗ୍ୟ ସନ୍ତାନମାନେ ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲେ । ଏହା ଏକ ଲଢ଼ୁଆ ଜିଲ୍ଲା। ସାହିତ୍ୟ, ସଂସ୍କୃତି, ପରମ୍ପରା,ଶିକ୍ଷା, ଶିଳ୍ପ କ୍ଷେତ୍ର ରେ ଏ ଜିଲ୍ଲା ର ଅବଦାନ ସାନ ସିନା ଦାନ ତା ମହାନ ପରି। ଆଜିର ଯୁବପିଢ଼ି ଜିଲ୍ଲା ର ସେହି ଇତିହାସ କୁ ଜାଣିବା ଦରକାର।ଦଳମତ ନିର୍ବିଶେଷରେ ସମସ୍ତେ ଜିଲ୍ଲା ତଥା ରାଜ୍ୟର ଉନ୍ନତି ପାଇଁ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଶା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଲେ ସବୁ ଓଡ଼ିଶାବାସୀ ଓଡ଼ିଆ ଭାବେ ଗର୍ବ କରିବା ଉଚିତବୋଲି ସେ କହିଥିଲେ।ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଅସ୍ମିତା କୁ ଘରେ ଘରେ ପହଞ୍ଚାଇବା ପାଇଁ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ବିଷୟ ରେ ଆଲୋକପାତ କରିଥିଲେ।। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମାନ୍ୟବର ସାଂସଦ, ଜଗତସିଂହପୁର ଶ୍ରୀ ବିଭୂ ପ୍ରସାଦ ତରାଇ କହିଲେ ଜିଲ୍ଲା ର ଉନ୍ନତି ଓ ଅଭିବୃଦ୍ଧି ଆମ ସମସ୍ତଂକର କର୍ତ୍ତବ୍ୟ। ଜିଲ୍ଲା ପ୍ରତି ସମର୍ପଣ ଭାବ ରହିଲେ ଜିଲ୍ଲା ଓଡ଼ିଶା ମାନଚିତ୍ର ରେ ବିକଶିତ ଜିଲ୍ଲା ହୋଇପାରିବସ୍ଵତନ୍ତ୍ର ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ମାନଙ୍କ ବଳିଦାନ ଜଗତସିଂହପୁର ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀମାନଙ୍କ ଏନ୍ତୁଡ଼ିଶାଳ କହିଲେ ଅତ୍ୟୁକ୍ତି ହେବ ନାହିଁ।ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ କହିଲେ ଜିଲ୍ଲା ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି । ଜିଲ୍ଲା ପ୍ରଗତି ପଥରେ ଆଗେଇ ଚାଲିଛି ଏବଂ ଆମେ ସମସ୍ତେ ଏକତ୍ରିତ ହୋଇ ଜିଲ୍ଲାକୁ ଆହୁରି ଆଗକୁ ଆଗେଇ ନେବା । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ, ବାଲିକୁଦା-ଏରସମା ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ ଓଡିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବାରେ ଜଗତସିଂହପୁର ଜିଲ୍ଲାର ବରପୁତ୍ରମାନଙ୍କ ଅବଦାନ ରହିଛି । ଜଗତସିଂହପୁର ଜିଲ୍ଲା କଳା, ସାହିତ୍ୟ ଓ ଐତିହ୍ୟ ପାଇଁ ଗୌରବନ୍ଵିତ। ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଶାର ବରପୁତ୍ର ଙ୍କ ଭୂମିକା ଓ ଜଗତସିଂହପୁର ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ, ଜଗତସିଂହପୁର ଶ୍ରୀଯୁକ୍ତ ଅଙ୍କିତ କୁମାର ବର୍ମା କହିଲେ ଜିଲ୍ଲା ମହୋତ୍ସବ କଲ୍ଲୋଳ ଆମର କଳା, ସଂସ୍କୃତି ଓ ପରମ୍ପରା କୁ ଉଜ୍ଜିବୀତ କରିଛି।ଜିଲ୍ଲା ର ଉନ୍ନତି ପ୍ରଗତି ଜିଲ୍ଲାବାସୀ ଙ୍କ ର କାମ୍ୟ।ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଅଧ୍ଯକ୍ଷତା କରି କହିଲେ _ଆଜି ହେଉଛି ସେହି ଦିବସ ଯେଉଁ ଦିବସରେ ସମଗ୍ର ଭାରତ ବର୍ଷରେ ଏକ ଭାଷାଭିତ୍ତିକ ରାଜ୍ୟ ଗଠନ ହୋଇଥିଲା । ସେହି ରାଜ୍ୟଟି ଆମ ଜନ୍ମଭୂମି ଓଡିଶା । ଓଡ଼ିଶା ଦିବସ ସହିତ ଜିଲ୍ଲା ଉତ୍ସବ କଲ୍ଲୋଳ ୫ ଦିନ ବ୍ୟାପି ଚାଲିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଲନା କରିଥିଲେ। ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗୀତା,ଦେଶାତ୍ମବୋଧକ ସଂଗୀତ ଓ ଜଣା ଅଜଣା ପ୍ରତିଯୋଗିତା, ଚିତ୍ରାଙ୍କନ, ମୋ ସ୍ବପ୍ନ ର ଓଡ଼ଶା ଆଧାରିତ ପ୍ରକଳ୍ପ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ ପିଲ୍ଲେ ଧନ୍ୟବାଦ ଅର୍ପଣ କରିଥିଲେ । ସକାଳେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ରାମଧୂନ୍ ସହରରେ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରଭାତ ଫେରିରେ ଆସି ଗୋପବନ୍ଧୁ ନଗର ଉଦ୍ୟାନ ଠାରେ ମିଳିତ ହୋଇଥିଲେ । ସେଠାରେ ପୁରୋହିତପୁର ନୋଡାଲ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ପିଲା ମାନଙ୍କୁ ଓଡ଼ିଶାର ଇତିହାସକୁ ଜାଣିବା ପାଇଁ ଉପଦେଶ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରୁ ଏକ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଶୁଭ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ କରାଯାଇଛି। ଜିଲ୍ଲା ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜିବୀ,ଆଇନଜୀବୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ପରିଶେଷରେ ଓଡିଶୀ ନୃତ୍ୟ, ବିବିଧ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଉତ୍ସବ ରେ ଓରମାସ ପକ୍ଷରୁ ଆୟୋଜିତ ଷ୍ଟଲ୍ ରେ ଜିଲ୍ଲା, ତଥା ରାଜ୍ୟ ବାହାରୁ ଆସିଥିବା ଷ୍ଟଲ୍,ବିଭାଗୀୟ ଷ୍ଟଲ୍ ଏବଂ ଖାଦ୍ୟ ଷ୍ଟଲ ଆୟୋଜିତ ହୋଇଛି।

0
0
0
s2sdefault