ଜଗତସିଂହପୁର,ତା-୦୧.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ପ୍ରଫୁଲ ପାଠାଗାର ପରିସରରେ ପବିତ୍ର ଉତ୍କଳ ଦିବସ ଓ ବୈଜ୍ଞାନିକ ଡକ୍ଟର ପ୍ରାଣ କୃଷ୍ଣ ପରିଜାଙ୍କ 135 ତମ ଜୟନ୍ତୀ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ର ନାଥ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି କହିଥିଲେ I ଏହି କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ୟାପକ ତଥା ସାରସ୍ୱତ ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ, ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ, ବରିଷ୍ଠ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗ ଦେଇ କହିଥିଲେ ଯେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସ,ଉତ୍କଳମଣି ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ମୟୁରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ, ବ୍ୟାସ କବି ଫକୀର ମୋହନ, ସ୍ଵଭାଵ କବି ଗଙ୍ଗାଧର ମେହେର କବିବର ରାଧାନାଥ ରାୟ,କର୍ମବୀର ଗୌରୀ ଶଙ୍କର ରାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ I ସେହିପରି ଆମ ଜିଲ୍ଲାର ଗର୍ବ ଓ ଗୌରବ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଡକ୍ଟର ପ୍ରାଣ କୃଷ୍ଣ ପରିଜାଙ୍କ 135 ତମ ଜୟନ୍ତୀ ଅବସରରେ ଆଲୋଚନାରେ ଭାଗନେଇ ଶିକ୍ଷାବିତ ସତ୍ୟବାଦୀ ଦାସ, ରାମଚନ୍ଦ୍ର ଆଚାର୍ଯ୍ୟ, ସଞ୍ଜୟ କୁମାର ସାମନ୍ତସିଂହାର ପ୍ରମୁଖ ଶିକ୍ଷା ଓ ବିଜ୍ଞାନ କ୍ଷେତ୍ରରେ ସ୍ବର୍ଗତ ପରିଜାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଓ ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ନଗଦ ଅର୍ଥ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
ରାଜ୍ୟ
ପବିତ୍ର ଉତ୍କଳ ଦିବସ ଓ ବୈଜ୍ଞାନିକ ପ୍ରାଣ କୃଷ୍ଣ ପରିଜାଙ୍କ ଜୟନ୍ତୀ
- Hits: 8








