ହେଡଲାଇନସ୍:

ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଷଷ୍ଠ ସନ୍ଧ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବନବାସ ବେଶ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତମଣ୍ଡଳୀ


ଓଡ଼ଗାଁ, ୧।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ଷଷ୍ଠ ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଦର୍ଶନ ଭକ୍ତମାନଙ୍କ ମନରେ ଗଭୀର ବିଶାଦ ଓ ଭାବବିହ୍ୱଳତା ସୃଷ୍ଟି କରିଥିଲା। ରାମଙ୍କ ରାଜ୍ୟାଭିଷେକ ପାଇଁ ଅଯୋଧ୍ୟାବାସୀ ଖୁସିରେ ପ୍ରସ୍ତୁତି ନେଉଥିବା ସମୟରେ ହଠାତ୍ ବନବାସ ସମ୍ବାଦ ସମଗ୍ର ନଗରକୁ ଶୋକାକୁଳ କରିଥିବା ଦୃଶ୍ୟ ଏହି ବେଶରେ ଜୀବନ୍ତ ହୋଇଉଠିଥିଲା। ଶନିବାର ସନ୍ଧ୍ୟାରେ ଏହି ବେଶ ଦର୍ଶନ କରି ଓଡ଼ଗାଁରେ ଅଯୋଧ୍ୟାର ପରି ଏକ ଭାବାନୁଭୂତିମୟ ପରିବେଶ ସୃଷ୍ଟି ହୋଇଥିଲା। ପିତା ଦଶରଥଙ୍କ ସତ୍ୟ ପାଳନ ପାଇଁ ପ୍ରଭୁ ଶ୍ରୀରାମ ରାଜ୍ୟ ଓ ସିଂହାସନ ତ୍ୟାଗ କରି ଭାଇ ଲକ୍ଷ୍ମଣ ଓ ଭାର୍ଯ୍ୟା ସୀତାଙ୍କ ସହ ବନବାସକୁ ବରଣ କରିଥିବା କଥା ଏହି ଅବସରରେ ଉପସ୍ଥାପିତ ହୋଇଥିଲା। ଏହାକୁ ଏକ ପକ୍ଷରେ ବିଧିର ବିଧାନ ଓ ଅନ୍ୟ ପକ୍ଷରେ ରାବଣ ବଧର ଅୟମ୍ ଆରମ୍ଭ ଭାବେ ଗ୍ରହଣ କରାଯାଏ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ନିରହଂକାର ତ୍ୟାଗ ଓ ଧର୍ମ ପାଳନର ଉଦାହରଣ ସ୍ୱରୂପ ବନବାସକୁ ସ୍ୱୀକାର କରିଥିବା ବେଳେ, ରାବଣ ବଧ ପାଇଁ କୈକେୟୀଙ୍କ ତ୍ୟାଗ ମଧ୍ୟ ସବୁଦିନ ପାଇଁ ମହାନ ହୋଇରହିଛି। ଏହି ଘଟଣା ମାଧ୍ୟମରେ ଧର୍ମ, ସତ୍ୟ ଓ ତ୍ୟାଗର ମୂଲ୍ୟବୋଧ ସମାଜକୁ ପ୍ରେରଣା ଦେଇଥାଏ । ସୂଚନାଯୋଗ୍ୟ ଯେ, ଓଡ଼ଗାଁରେ ପୂଜିତ ଦାରୁ ବିଗ୍ରହରେ ରାମ ଓ ଲକ୍ଷ୍ମଣଙ୍କୁ ଜଟାଜୁଟ ଓ ଦାଢ଼ି ସହିତ ବନବାସ ରୂପେ ପୂଜା କରାଯାଏ। ଆସନ୍ତାକାଲି ରବିବାର ସନ୍ଧ୍ୟାରେ ପ୍ରଭୁଙ୍କ ଚିତ୍ରକୁଟ ବେଶ ଅନୁଷ୍ଠିତ ହେବ।

0
0
0
s2sdefault