-
ଜଙ୍ଗଲ ସମ୍ପଦ ସୁରକ୍ଷା ଏବଂ ପୁନୋରୁଦ୍ଧାର ପାଇଁ ସଙ୍କଳ୍ପ,
-
ଉତ୍ତମ କାର୍ଯ୍ୟ ପାଇଁ ୯ ବନ ସୁରକ୍ଷା ସମିତି ପୁରସ୍କୃତ,
-
ଜଙ୍ଗଲ ହେବ ବିକଳ୍ପ ଅର୍ଥନୀତିର ମାଧ୍ୟମ ଆଲୋଚନା,
ଓଡ଼ଗାଁ,୨୧।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ବ ବନ ଦିବସ - ୨୦୨୬ ଓଡ଼ଗାଁ ବନାଞ୍ଚଳ କୋମଣ୍ଡ ପଲିଟେକନିକ କଲେଜ ପରିସରରେ ଶନିବାର ପାଳିତ ହୋଇ ଯାଇଛି। ଚଳିତ ବର୍ଷର 'ଜଙ୍ଗଲ ଏବଂ ଅର୍ଥନୀତି' ବିଷୟ ଉପରେ ଆଲୋଚନା ରଖି ବିଲୁପ୍ତ ଜଙ୍ଗଲ, ବିଲୁପ୍ତ ବନ୍ୟପ୍ରାଣୀ, ବିଲୁପ୍ତ ପକ୍ଷୀ ଏବଂ ମୃତ୍ତିକାର ପୁନୋରୁଦ୍ଧାର ପାଇଁ ସଙ୍କଳ୍ପ ନେଇଥିଲେ। ଏବଂ ଜଙ୍ଗଲ ହେବ ବିକଳ୍ପ ଅର୍ଥନୀତିର ମାଧ୍ୟମ ବୋଲି କୋମଣ୍ଡ ପଲିଟେକନିକ କଲେଜ ଅଧ୍ୟକ୍ଷ ସର୍ବେଶ୍ୱର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଶ୍ବ ବନ ଦିବସ ପାଳନ ଉତ୍ସବରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବର୍ଚ୍ଚନ ବେହେରା, ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ସହକାରୀ ବନ ସଂରକ୍ଷକ ହିମାଂଶୁ ଶେଖର ମୁଦୂଲି, ଡ.ସତ୍ୟଜିତ କର, ଅମ୍ରିତ କୁମାର ସାହୁ, ଚୂଡ଼ାରାଣୀ ମୁର୍ମୂ, ସେତୁ ରଜନୀ ଗମାଙ୍ଗ, ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ପ୍ରକୃତି ବନ୍ଧୁ କବି ପ୍ରଫୁଲ୍ଲ ମାଝି ପ୍ରମୁଖ ନିଜ ନିଜର ମନ୍ତବ୍ୟ ରଖିଥିଲେ। ଏବଂ ଜଙ୍ଗଲ ଅଞ୍ଚଳରେ ଇକୋ ଟୁରିଜିମ ବ୍ୟବସ୍ଥା ହେଲେ ମାନସିକ ଅବସାଦ ଏବଂ କ୍ଳାନ୍ତି ଦୂର କରିବା ନିମନ୍ତେ ପର୍ଯ୍ୟଟକ ମାନେ ଆସିବେ। ସ୍ଥାନୀୟ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ବଢ଼ିବ। ଏବଂ ସେମାନେ ଆତ୍ମନିର୍ଭରଶୀଳ ହେବେ। ଫଳରେ ଦେଶର ଅର୍ଥନୀତିକୁ ସୁଦୃଢ଼ ହେବ। ବନ ଦିବସ ପାଳନ ଅବସରରେ ଜିଲ୍ଲାର ୩ଶହରୁ ଉର୍ଦ୍ଧ୍ବ ବନ ସୁରକ୍ଷା ସମିତି ମଧ୍ୟରୁ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିଥିବା ଗୋଚ୍ଛାର ମା ବାନ୍ଦେରୀ ବନ ସୁରକ୍ଷା ସମିତି, ବାଣ୍ଠପୁର ମା ଅନ୍ଧାରବାଉତୀ, ଭୋବସର ମା ଅନ୍ଧାରବାଉତୀ, ଅଁଳାପାଟ ଯୋଗିଯୋଗିଆଣୀ, ଚଡ଼କମରା ମା ବନଦୁର୍ଗା, ସଂପଡା ବାଲୁଙ୍କେଶ୍ୱର ମହାଦେବ, ମହିପୁର ବାରପଲ୍ଲା, ମହୁକଣ ମା' ମଙ୍ଗଳା ଏବଂ ନେନ୍ଦିରିଝରୀ ଏହିପରି ୯ ବନ ସୁରକ୍ଷା ସମିତି ସହିତ ଆଜିର କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିବା ଶିକ୍ଷା ଭାରତୀ ଟ୍ରଷ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏବଂ ଉକ୍ତ କଲେଜରେ 'ପରିବେଶ ଓ ପର୍ଯ୍ୟଟନ' ବିଷୟରେ ଚିତ୍ରାଙ୍କନ, 'ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ବ ଓ କର୍ତ୍ତବ୍ୟ' ବିଷୟରେ ବକ୍ତୃତା ଏବଂ ତତ୍ ସମ୍ବନ୍ଧିତ କୁଇଜ୍ ପ୍ରତିଯୋଗିତାରେ ପ୍ରତ୍ୟେକ ବିଭାଗରେ ୧ମ, ୨ୟ, ଓ ୩ୟ ସ୍ଥାନ ଅଧିକାର କରିଥିବା ୯ ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମକୁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ ପରିଚାଳନା କରିଥିବା ବେଳେ ପ୍ରକୃତି ବନ୍ଧୁ ପଞ୍ଚାନନ ପଣ୍ଡା ଏବଂ ରଞ୍ଜନ କୁମାର ଦାଶ ସଂଯୋଜନା କରିଥିଲେ। ପଲିଟେକନିକର ଜନ ସମ୍ପର୍କ ଅଧିକାରୀ ଗୋଲକ ଯେନା ଧନ୍ୟବାଦ ଅର୍ପଣ କରିଥିଲେ।








